ଅଯୋଧ୍ୟାରେ ପ୍ରାଣ ପ୍ରତିଷ୍ଠା ପୂର୍ବରୁ ଆରମ୍ଭ ହେବ ବିଶାଳ ‘ରାମ ନାମ ମହାଯଜ୍ଞ’

ଆସନ୍ତା ଜାନୁଆରୀ ୨୨ ତାରିଖରେ ଅଯୋଧ୍ୟାରେ ହେବାକୁ ଯାଉଛି ଭବ୍ୟ ରାମ ମନ୍ଦିରର ଉଦଘାଟନ । ଏଥିପାଇଁ ସବୁଠି ଚାଲିଛି ପ୍ରସ୍ତୁତି । ତେବେ ଏହି ସମାରୋହ ପୂର୍ବରୁ ଜାନୁଆରୀ ୧୪ ତାରିଖରେ ସରାୟୁ ନଦୀ ତଟରେ ଆରମ୍ଭ ହେବ ବିଶାଳ ରାମ ନାମ ମହାଯଜ୍ଞ । ଜାନୁଆରୀ ୧୪ ତାରିଖରୁ ଆରମ୍ଭ ହେଇ ଏହି ମହାଯଜ୍ଞ ଜାନୁଆରୀ ୨୫ ତାରିଖ ଯାଏଁ ଚାଲିବ । ଯେଉଁଥିରେ କି ୨୧ ହଜାର ପୂଜାରୀ ଯୋଗଦେବେ । ସରାୟୁ ନଦୀ ତଟରେ ୧୦୦୮ ଶିବଲିଙ୍ଗର ସ୍ଥାପନା କରାଯିବ । ଆଉ ଏହାପରେ ମହାଯଜ୍ଞର ଆରମ୍ଭ କରାଯିବ । ମହାଯଜ୍ଞକୁ ସଞ୍ଚାନ କରିବାକୁ ନେପାଳରୁ ୨୧ ହଜାର ପୂଜାରୀ ଅଯୋଧ୍ୟାରେ ପହଞ୍ଚିବେ । ଯେଉଁଥିପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ ହେଇସାରିଛି । ଅଯୋଧ୍ୟା ରାମ ମନ୍ଦିର ଠାରୁ ୨ କିଲୋମିଟର ଦୂରରେ ଭବ୍ୟ ଯଜ୍ଞ ବେଦୀର ମଧ୍ୟ ନିର୍ମାଣ ସରିଛି ।

ରାମ ମନ୍ଦିର ଠାରୁ ଅଳ୍ପ କିଛି ଦୂରରେ ୧୦୦ ଏକର ଜମିରେ ଏହି ଯଜ୍ଞବେଦୀର ନିର୍ମାଣ କରାଯାଇଛି । ମହାଯଜ୍ଞର ଆୟୋଜନ ଆତ୍ମାନନ୍ଦ ଦାସ ମହାତ୍ୟାଗୀ ଅର୍ଥାତ ନେପାଳୀ ବାବାଙ୍କ ଦ୍ୱାରା କରାଯିବ । ତାଙ୍କ କହିବା ମୁତାବକ, ପ୍ରତିବର୍ଷ ମକର ସଂକ୍ରାନ୍ତି ଅବସରରେ ଏହା କରାଯାଇଥାଏ, ହେଲେ ଚଳିତ ବର୍ଷ ରାମ ମନ୍ଦିର ପ୍ରତିଷ୍ଠା ସମାରୋହ ପାଇଁ ଏହା ଆୟୋଜନ କରାଯାଉଛି ।

ସୂଚନା ମୁତାବକ, ଏଠାରେ ୫୦ ହଜାର ଭକ୍ତଙ୍କ ରହିବା ପାଇଁ ବ୍ୟବସ୍ଥା କରାଯାଇଛି । ତା ସହିତ ପ୍ରତିଦିନ ୧ ଲକ୍ଷ ଭକ୍ତଙ୍କୁ ଏଠାରେ ପ୍ରସାଦ ବଣ୍ଟନ କରାଯିବ । ମହାଯଜ୍ଞ ସମାପ୍ତ ହେବା ପରେ ୧୦୦୮ ଶିବଲିଙ୍ଗକୁ ସରାୟୁ ନଦୀରେ ବିସର୍ଜନ କରାଯିବ ବୋଲି ସୂଚନା ମିଳିଛି ।

Spread the love