ଆଜି ଲାଲା ଲଜପତ ରାୟଙ୍କ ଜନ୍ମ ଜୟନ୍ତୀ

ସ୍ଵାଧୀନତା ସଂଗ୍ରାମୀ ଲାଲା ଲଜପତ ରାୟଙ୍କ ଆଜି ଜନ୍ମ ଜୟନ୍ତୀ। ଲାଲା ଲଜପତ ରାୟଙ୍କ ଜନ୍ମ ୧୮୬୫ ଜାନୁଆରୀ ୨୮ରେ ପଞ୍ଜାବର ମୋଙ୍ଗା ଜିଲ୍ଲାରେ ହୋଇଥିଲା। ସେ ଜଣେ ରାଜନେତା, ଲେଖକ ଏବଂ ଓକିଲ ଭାବରେ ଦେଶର ସ୍ଵାଧୀନତା ପାଇଁ ଅମୂଲ୍ୟ ଯୋଗଦାନ ଦେଇଥିଲେ। ଆର‌୍ୟ୍ୟ ସମାଜ ଦ୍ଵାରା ପ୍ରଭାବିତ ଲାଲା ଲଜପତ ରାୟ ସମ୍ପୂର୍ଣ୍ଣ ଦେଶରେ ଏଥିପାଇଁ ପ୍ରଚାର ପ୍ରସାର ମଧ୍ୟ କରିଥିଲେ। ପଞ୍ଜାବରେ ତାଙ୍କ ଅମର କାମ ପାଇଁ ତାଙ୍କୁ ପଞ୍ଜାବ କେଶରୀ ଉପାଧିରେ ସମ୍ମାନିତ କରାଯାଇଥିଲା। ଲାଲା ଲଜପତ ରାୟଙ୍କ ପିତା ମୁନସୀ ରାଧାକୃଷ୍ଣ ଆଜାଦ ଜଣେ ଉର୍ଦ୍ଦୁ ଅଧ୍ୟାପକ। ସେ ପିଲା ଦିନରୁ ବହୁମୁଖୀ ପ୍ରତିଭାର ଅଧିକାରୀ ଥିଲେ। ୧୮୮୦ରେ ସେ କୋଲକାତା ଏବଂ ପଞ୍ଜାବ ବିଶ୍ଵବିଦ୍ୟାଳୟର ପ୍ରବେଶିକା ପରୀକ୍ଷାରେ ପାସ୍ କରିଥିଲେ। ଏହାପରେ ସେ ଓକିଲ ଡିଗ୍ରୀ ହାସଲ କରି ପ୍ରସ୍ତୁତି କରୁଥିଲେ। ଏହି ସମୟରେ ସେ ଆର‌୍ୟ୍ୟ ସମାଜର ସମ୍ପର୍କରେ ଆସିଥିଲେ ଓ ଏହାର ସଦସ୍ୟ ହୋଇଥିଲେ। ୧୮୮୫ରେ କଂଗ୍ରେସର ସ୍ଥାପନା ସମୟରେ ଲାଲା ଲଜପତ ରାୟ ଏଥିରେ ପ୍ରମୁଖ ସ୍ଥାନ ଗ୍ରହଣ କରିଥିଲେ।୧୯୨୮ରେ ବ୍ରିଟିଶମାନେ ଭାରତରେ ବୈଧାନିକ ସୁଧାର ପାଇଁ ସାଇମନ କମିଶନ ପ୍ରତିଷ୍ଠା କରିଥିଲେ। କିନ୍ତୁ ଏଥିରେ ଜଣେ ମାତ୍ର ଭାରତୀୟ ସଦସ୍ୟ ନଥିଲେ। ବମ୍ବେରେ ଯେତେବେଳେ ଏହି କମିଶନ ଆରମ୍ଭ କରାଯାଇଥିଲା ସେହି ସମୟରେ ସାଇମନ ଗୋ ବ୍ୟାକ୍ ନାରା ଲଗାଯାଇଥିଲା। ପଞ୍ଜାବରେ ଏହାକୁ ବିରୋଧ କରି ଲାଲା ଲଜପତ ରାୟଙ୍କ ନେତୃତ୍ଵରେ ପ୍ରଦର୍ଶନକାରୀମାନେ କଳା ପତାକା ଦେଖାଇଥିଲେ। ଏଥିରେ କ୍ଷୁବ୍ଧ ହୋଇ ବ୍ରିଟିଶ୍ ପୋଲିସ ସାନ୍ତିପୂର୍ଣ୍ଣ ଉପାୟରେ ବିରୋଧ ପ୍ରଦର୍ଶନ କରୁଥିବା ଭିଡ ଉପରେ ଲାଠି ଚାର୍ଜ କରିଥିଲେ। ଏଥିରେ ଲାଲା ଲଜପତ ରାୟଙ୍କ ମୃତ୍ୟୁ ହୋଇଥିଲା।

Spread the love