ପଣ୍ଡିତ ଦୀନଦୟାଲଜୀଙ୍କ ୫୬ତମ ପୂଣ୍ୟତିଥି ତଥା ସମର୍ପଣ ଦିବସ ରାଜ୍ୟ କାର୍ଯ୍ୟାଳୟରେ ପାଳିତ

ଭୁବନେଶ୍ୱର, ତା.୧୧/୦୨: “ଅନ୍ତ୍ୟୋଦୟ ଦର୍ଶନ”ର ପରିକଳ୍ପନା ଓ ପ୍ରଣୟନ ପଣ୍ଡିତ ଦୀନଦୟାଲଜୀଙ୍କର ଏକ ଅଭୂତପୂର୍ବ ସଫଳତା । ସମାଜର ଅର୍ଥନୈତିକ ଶିଡିର ସବୁଠାରୁ ତଳ ସୋପାନରେ ଥିବା ଅନଗ୍ରସର ବ୍ୟକ୍ତିର ସର୍ବାଙ୍ଗୀନ ବିକାଶ ପାଇଁ ପଣ୍ଡିତ ଦୀନଦୟାଲ କାର୍ଯ୍ୟ କରୁଥିଲେ । ବର୍ତମାନ ଆମ ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଦୀନଦୟାଲଜୀଙ୍କ ଅନ୍ତ୍ୟୋଦୟ ପରିକଳ୍ପନାକୁ ଆଧାର କରି ବହୁ ସଫଳତା ପାଇଛନ୍ତି । ବିଶେଷ ଭାବେ ଦେଶରେ ବସବାସ କରୁଥିବା ଗରିବ ଓ ଆର୍ଥିକ ଅନଗ୍ରସରଙ୍କ ପାଇଁ ବହୁ ଗରିବକଲ୍ୟାଣ ମୂଳକ ଯୋଜନାକୁ ସଫଳତାର ସହିତ କାର୍ଯ୍ୟକାରୀ କରିଛନ୍ତି । ଗ୍ରାମାଂଚଳର ବିକାଶକୁ ପ୍ରାଧାନ୍ୟ, ବାସହୀନ ଗରିବଙ୍କୁ ପକ୍କାଘର, ସମସ୍ତଙ୍କୁ ଶସ୍ତା ବିଜୁଳି ଓ ପାନୀୟ ଜଳ ଯୋଗାଣ, ସମସ୍ତଙ୍କ ଘରେ ପାଇଖାନା ଓ ରୋସେଇ ଗ୍ୟାସ ଯୋଗାଣ, ଜାତୀୟ ଜିବୀକା ମିଶନରେ ସମସ୍ତଙ୍କୁ କାମ ଓ ରୋଜଗାର, ମହିଳା ସଶକ୍ତିକରଣ ଆଦି ଗରୀବକଲ୍ୟାଣମୂଳକ କାର୍ଯ୍ୟର ସଫଳ ରୂପାୟନ କରିବା ପଛରେ ପଣ୍ଡିତ ଦୀନଦୟାଲଜୀଙ୍କ ଦର୍ଶନ ଶାସ୍ତ୍ର ହିଁ ମୂଳ ଆଧାର । ଦୀନଦୟାଲଙ୍କ ଏକାତ୍ମ ମାନବବାଦ, ଆଜି ଭାରତୀୟ ରାଜନୀତିରେ ଗରିବଙ୍କ ଉତଥାନ ପାଇଁ ସର୍ବଶ୍ରେଷ୍ଠ ମଡେଲ ।
ଭାରତୀୟ ଜନସଂଘ ପାର୍ଟିର ସହ ସଂସ୍ଥାପକ, ଭାରତୀୟ ଜନସଂଘର ପ୍ରଥମ ସଂଗଠନ ସଂପାଦକ ଏବଂ ରାଷ୍ଟ୍ରୀୟ ଅଧ୍ୟକ୍ଷ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ୫୬ତମ ପୂଣ୍ୟତିଥି ତଥା ସମର୍ପଣ ଦିବସ ରାଜ୍ୟ କାର୍ଯ୍ୟାଳୟରେ ପାଳନ କରାଯାଇଛି । ବିଜେପି ନେତୃବୃନ୍ଦ ଓ କର୍ମୀମାନେ ଏକାଠି ହୋଇ ରାଜ୍ୟ କାର୍ଯ୍ୟାଳୟରେ ପଣ୍ଡିତ ଦୀନଦୟାଲଜୀଙ୍କ ସ୍ମୃତିଚାରଣ କରିବା ସହ ତାଙ୍କ ଫଟୋରେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଥିଲେ । ଏହି ଦିନଟିକୁ ବିଗତ କିଛିବର୍ଷ ଧରି “ସମର୍ପଣ ଦିବସ” ରୂପେ ପାଳନ କରାଯାଉଛି । ତାଙ୍କ ପ୍ରମୁଖ କାର୍ଯ୍ୟାବଳୀକୁ ସ୍ମରଣ କରି କର୍ମକର୍ତାମାନେ ନିଜକୁ ଦଳ ପାଇଁ ସମର୍ପଣର ଶପଥ ନେଉଛନ୍ତି । ଏହି ପ୍ରକ୍ରିୟା ସପ୍ତାହବ୍ୟାପୀ ଚାଲିବ ।
୧୯୮୫ ମସିହାରେ ଏକାତ୍ମ ମାନବବାଦକୁ ଭାରତୀୟ ଜନତା ପାର୍ଟି ନିଜର ବୈଚାରିକ ସିଦ୍ଧାନ୍ତ ଭାବରେ ଗ୍ରହଣ କରି ଏହାକୁ ପଂଚନିଷ୍ଠାରେ ସ୍ଥାନୀତ କରିଛି । ପରବର୍ତୀ ସମୟରେ ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତରତ୍ନ ସ୍ୱର୍ଗତଃ ଅଟଳ ବିହାରୀ ବାଜପେୟୀ ଏବଂ ବର୍ତମାନର ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଏହି ମହାନ ଦର୍ଶନକୁ ଆଧାର କରି ଦେଶ ତଥା ଦେଶବାସୀଙ୍କ କଲ୍ୟାଣ ପାଇଁ କାର୍ଯ୍ୟ କରୁଛନ୍ତି ବୋଲି ଆଜି ଏକାତ୍ମ ମାନବବାଦର ପ୍ରଣେତା ପଣ୍ଡିତ ଦିନଦୟାଲଜୀଙ୍କ ୫୬ ତମ ପୂଣ୍ୟତିଥି ଅବସରରେ ଉପସ୍ଥିତ ବକ୍ତାଗଣ ମତ ଉପସ୍ଥାପନା କରିଥିଲେ ।
ଏହି ଅବସରରେ ସାଧାରଣ ନିର୍ବାଚନ ରାଜ୍ୟ ପ୍ରଭାରୀ ଶ୍ରୀ ବିଜୟ ପାଲ ସିଂହ ତୋମାର, ସହ ପ୍ରଭାରୀ ଶ୍ରୀମତୀ ଲତା ଉସେଣ୍ଡି, ରାଜ୍ୟ ସାଧାରଣ ସଂପାଦକ (ସଂଗଠନ) ମାନସ ମହାନ୍ତି, ରାଜ୍ୟ ଉପସଭାପତି ବିରଂଚି ନାରାୟଣ ତ୍ରିପାଠୀ, ରାଜ୍ୟ ସାଧାରଣ ସଂପାଦକ ଶାରଦା ଶତପଥୀ, ରାଜ୍ୟ ମୁଖପାତ୍ର ସଜ୍ଜନ ଶର୍ମା, ବରିଷ୍ଠ ନେତା ଅଶୋକ ମିଶ୍ର, ପ୍ରଭାତୀ ପରିଡା, ଅନିତା ଶୁଭଦର୍ଶିନୀ ପଟ୍ଟନାୟକ, ପ୍ରଫେସର ପୂର୍ଣ୍ଣଚନ୍ଦ୍ର ମଲ୍ଲିକ, ସୁଦର୍ଶନ ପଟ୍ଟନାୟକ, ଭୁବନାନନ୍ଦ ତ୍ରିପାଠୀ, ରାଜ୍ୟ ଗଣମାଧ୍ୟମ ସଂଯୋଜକ ସୁଜିତ୍ କୁମାର ଦାସ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ମନସ୍ମିତା ଖୁଂଟିଆ ପ୍ରମୁଖ କାର୍ଯ୍ୟକର୍ତା ଉପସ୍ଥିତ ରହି ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଛନ୍ତି ।

Spread the love