୧୪୦ କୋଟି ଭାରତୀୟ ମୋର ପରିବାର: ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ପରିବାର ନାହିଁ। ତେଣୁ ସେ ପରିବାରର କଷ୍ଟ କ’ଣ ବୁଝନ୍ତି ନାହିଁ। ଗତକାଲି ପାଟନାଠାରେ ବିରୋଧୀ ଇଣ୍ଡି ମେଣ୍ଟର ଜନ ବିଶ୍ବାସ ମହା ରାଲିରେ ଯୋଗଦେଇ ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଉଦ୍ଦେଶ୍ୟରେ ଏଭଳି ମନ୍ତବ୍ୟ ଦେଇଥିଲେ। ‌ସେ କହିଥିଲେ, ନରେନ୍ଦ୍ର ମୋଦୀଙ୍କର ଯଦି ନିଜର ପରିବାର ନାହିଁ ତାହେଲେ ଆମେ କ’ଣ କରିପାରିବୁ? ଏଥିସହିତ ମୋଦୀଙ୍କୁ ଟାର୍ଗେଟ କରି ଲାଲୁ ଏହା ମଧ୍ୟ କହିଥିଲେ ଯେ ସେ ରାମ ମନ୍ଦିର ସଂପର୍କରେ ସେ ଗର୍ବର ସହ କଥା କହୁଛନ୍ତି। କିନ୍ତୁ ସେ ଜଣେ ହିନ୍ଦୁ ନୁହନ୍ତି। କାରଣ ହିନ୍ଦୁ ପରମ୍ପରାରେ ପିତାମାତାଙ୍କ ମୃତ୍ୟୁପରେ ପୁଅ ନିଶ୍ଚିତ ଭାବେ ନଣ୍ଡା ହେବା ସହିତ ଦାଢ଼ି ନିଶ କାଟିଥାଏ। ମୋଦୀଙ୍କର ମା’ଙ୍କ ମୃତ୍ୟୁ ସମୟରେ ସେ ତାହା କରି ନଥିଲେ ବୋଲି ଲାଲୁ କହିଥିଲେ।

ଏହାର ଜବାବ ଆଜି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, ମୁଁ ଯେତେବେଳେ ବିରୋଧୀଙ୍କୁ ସେମାନଙ୍କ ବଂଶବାଦ ରାଜନୀତି କଥା ଉଠାଏ ସେମାନେ କୁହନ୍ତି ମୋଦୀଙ୍କର ପରିବାର ନାହିଁ। କିନ୍ତୁ ଦେଶର କୋଟି କୋଟି ଲୋକ ମାତେ ସେମାନଙ୍କ ପରିବାରର ସଦସ୍ୟ ଭଳି ଅନୁଭବ କରନ୍ତି। ତେଣୁ ମୁଁ କହେ ୧୪୦ କୋଟି ଲୋକ ମୋର ପରିବାର। ଚଳିତ ବର୍ଷ ଲୋକସଭା ନିର୍ବାଚନ ପୂର୍ବରୁ ତାଙ୍କର ନୂଆ ସ୍ଲୋଗାନ ହେଉଛି ‘ଆପଣମାନେ ମୋଦୀଙ୍କର ଓ ମୋଦୀ ଆପଣଙ୍କର’। ସମଗ୍ର ଦେଶ ଆଜି ଏକ ସ୍ୱରରେ କହୁଛି, ‘ମେ ହୁଁ ମୋଦୀ କା ପରିବାର’ (ମୁଁ ମୋଦୀଙ୍କ ପରିବାର)। ଅନ୍ୟପକ୍ଷରେ ଲାଲୁଙ୍କ ସମାଲୋଚନା ପରେ ମୋଦୀଙ୍କ ସପକ୍ଷରେ ପୂରା ବିଜେପି ବାହାରିଛି। ପ୍ରମୁଖ କେନ୍ଦ୍ରମନ୍ତ୍ରୀମାନଙ୍କ ସମେତ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ସେମାନଙ୍କ ଏକ୍ସ ସୋସିଆଲ ମିଡିଆ ହ୍ୟାଣ୍ଡେଲ ବାୟୋରେ ‘ମୋଦୀ କା ପରିବାର’ ସ୍ଲୋଗାନ ଯୋଡ଼ିଛନ୍ତି। ଏହାପରେ ବିଜେପିର ‘ମୋଦୀ କା ପରିବାର’ ନାରା ଆରମ୍ଭ ହୋଇଯାଇଛି।

Spread the love