ନିଜ ଜାଲରେ ଫସିଛି ପାକିସ୍ତାନ: ବର୍ଷକରେ ୩୦୬ ଆତଙ୍କୀ ଆକ୍ରମଣ, ୭୦୦ ମୃତ, ୧୨ ଶହ ଆହତ

ଇସଲାମାବାଦ: ଜାତିସଂଘ ନିରାପତ୍ତା ପରିଷଦରେ କାଶ୍ମୀର ପ୍ରସଙ୍ଗରେ ବାରମ୍ବାର ଭାରତ ବିରୋଧରେ ବିଷୋଦ୍‌ଗାର କରୁଥିବା ପାକିସ୍ତାନ ଏବେ ଆତଙ୍କବାଦକୁ ନେଇ ନିଜ ଜାଲରେ ଫସିଛି। ପାକିସ୍ତାନ ଏବେ ଜାତିସଂଘରେ ଆତଙ୍କବାଦ ବିରୋଧରେ ସ୍ୱର ଉତ୍ତୋଳନ କରିବାକୁ ବାଧ୍ୟ ହୋଇଥିବାରୁ ସର୍ବଦା ଆତଙ୍କବାଦକୁ ପ୍ରୋତ୍ସାହିତ କରିଆସିଥିବା ଏହି ରାଷ୍ଟ୍ର ଆଭିମୁଖ୍ୟକୁ ନେଇ ଏବେ ସରଗରମ ଚର୍ଚ୍ଚା ଚାଲିଛି । ଜାତିସଂଘରେ ପାକିସ୍ତାନ ରାଷ୍ଟ୍ରଦୂତ ମୁନିର ଆକ୍ରମ ନିରାପତ୍ତା ପରିଷଦରେ କହିଛନ୍ତି ଯେ ଆଫ୍‌ଗାନ ଆତଙ୍କୀ ଏବେ ପାକିସ୍ତାନକୁ ଟାର୍ଗେଟ୍‌ କରି ଅନର୍ଥ ସୃଷ୍ଟି କରୁଛନ୍ତି। ଆଫଗାନିସ୍ତାନରେ ଶାସନ କରୁଥିବା ତାଲିବାନ ଏ କ୍ଷେତ୍ରରେ ପାକିସ୍ତାନକୁ ଯଥୋଚିତ ସହାୟତା କରୁନଥିବାରୁ ତେହରିକ-ଏ-ତାଲିବାନ ପାକିସ୍ତାନ (ଟିଟିପି) ତୁହାକୁ ତୁହା ଆକ୍ରମଣ କରିବାକୁ ସକ୍ଷମ ହେଉଛି । ତାଲିବାନ ସରକାର ପାକିସ୍ତାନର ଖୈବର ପଖତୁନଖ୍ବାରେ ତେହରିକ-ଏ-ତାଲିବାନର କାୟାବିସ୍ତାର ପାଇଁ ସହାୟତା ଯୋଗାଉଥିବାରୁ ସମଗ୍ର ଅଂଚଳ ଏବେ ଆତଙ୍କବାଦୀଙ୍କ ନିୟନ୍ତ୍ରଣକୁ ଚାଲିଯିବା ଆଶଙ୍କା ସୃଷ୍ଟି ହୋଇଛି ।

ଜାତିସଂଘରେ ପାକିସ୍ତାନ ରାଷ୍ଟ୍ରଦୂତ କହିଛନ୍ତି ଯେ ଯଦି ଟିଟିପିକୁ ନିୟନ୍ତ୍ରଣ କରା ନଯାଏ, ତେବେ ଦିନେ ଏହା ବିଶ୍ୱ ଆତଙ୍କବାଦୀ ସଂଗଠନରେ ପରିଣତ ହେବ। ୟୁଏନ୍‌ଏସ୍‌ସି ସ୍ୱତନ୍ତ୍ର ଅଧିବେଶନରେ ପାକିସ୍ତାନ ରାଷ୍ଟ୍ରଦୂତ କହିଛନ୍ତି, ଗତବର୍ଷ ପାକିସ୍ତାନରେ ୩୦୬ଟି ଆତଙ୍କବାଦୀ ଆକ୍ରମଣ ହୋଇଥିଲା। ଏଥିରେ ୨୩ଟି ଆତ୍ମଘାତୀ ଆକ୍ରମଣ ରହିଛି। ଆତ୍ମଘାତୀ ଆକ୍ରମଣରେ ୭୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଥିବା ବେଳେ ୧୧୨୪ ଜଣ ଆହତ ହୋଇଛନ୍ତି। କେବଳ ସେତିକି ନୁହେଁ, ଚଳିତ ବର୍ଷ ଫେବ୍ରୁଆରିରେ ପାକିସ୍ତାନରେ ମୋଟ ୯୭ଟି ଆତଙ୍କବାଦୀ ଆକ୍ରମଣ ହୋଇଥିଲା। ଏଥିରେ ୮୭ ଜଣଙ୍କ ମୃତ୍ୟୁ ହୋଇଥିଲା।

ଏକ ରିପୋର୍ଟରେ କୁହାଯାଇଛି ଯେ ପାକିସ୍ତାନରେ ୭୮ ପ୍ରତିଶତ ଆତଙ୍କବାଦୀ ଆକ୍ରମଣ ‘ତେହରିକ-ଏ-ତାଲିବାନ ପାକିସ୍ତାନ’ ଦ୍ୱାରା ହେଉଛି। ଯଦି ଏଭଳି ଆକ୍ରମଣ ଜାରି ରହେ ତେବେ ପାକିସ୍ତାନ ଆଉ ଏକ ବିଭାଜନ ଆଡ଼କୁ ମୁହାଁଇବ। ପାକିସ୍ତାନ ଏବେ ନିଜ ଆତଙ୍କବାଦୀ ସଂଗଠନର ଶିକାର ହେବାପରେ ଜାତିସଂଘରେ ଯେଉଁ ଅସହାୟତା ପ୍ରକାଶ କରିଛି ତାହା ଭାରତର ଯୁକ୍ତିକୁ ଯଥାର୍ଥ ପ୍ରମାଣିତ କରିଛି। ଭାରତ ଉପରେ ଆକ୍ରମଣ ପାଇଁ ଲଗାତାର ଷଡ଼ଯନ୍ତ୍ର କରୁଥିବା ପାକ୍‌ ଆତଙ୍କବାଦୀ ସଂଗଠନଗୁଡ଼ିକୁ ପାକିସ୍ତାନର ସେନା ଓ ଗୁଇନ୍ଦା ବିଭାଗ ସମସ୍ତ ସୁରକ୍ଷା ଓ ପ୍ରୋତ୍ସାହନ ଦେଇଆସୁଥିବା ବେଳେ ଏବେ ପାକିସ୍ତାନ ନିଜେ ଏହାର ଶିକାର ହୋଇଛି।

Spread the love