ଯୁବତୀଙ୍କୁ ନିଶା ଦେଇ ବଳାତ୍କାର, ବ୍ଲାକମେଲ୍‌

ଯୁବତୀଙ୍କୁ ନିଶା ଦେଇ ବଳାତ୍କାର କଲେ। ପରେ ସେହି ସମୟର ଫଟୋ ଓ ଭିଡିଓ ଭାଇରାଲ କରିଦେବାର ଧମକ ଦେଇ ୩ ଲକ୍ଷ ଟଙ୍କା ନେଇଗଲେ। ପୀଡିତାଙ୍କ ଏସବୁ ଅଭିଯୋଗକୁ ଭୁବନେଶ୍ୱର ମହିଳା ଥାନା ପୋଲିସ ଗୁରୁତ୍ୱର ସହ ନେଇ ଅଭିଯୁକ୍ତଙ୍କୁ ଗିରଫ କରିଛି। ସେ ହେଲେ ଭରତପୁର ଥାନା ଅନ୍ତର୍ଗତ କଳିଙ୍ଗନଗରରେ ରହୁଥିବା କନ୍ଧମାଳ ଜିଲା ଟିକାବାଲି ଥାନା ବେହେରା ଗାଁର ହିମାଂଶୁ ବେହେରା ଓରଫ ଚିକୁ (୨୭)। ଶୁକ୍ରବାର ହିମାଂଶୁଙ୍କୁ କୋର୍ଟଚାଲାଣ ପରେ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି।
ଅନୁଯାୟୀ, ପୀଡିତା ଯୁବତୀ ଓ ଅଭିଯୁକ୍ତ ହିମାଂଶୁ ପରସ୍ପର ପିଲାଦିନର ବନ୍ଧୁ। ୨୦୧୯ରେ ପୀଡିତାଙ୍କ ବାପାଙ୍କର ମୃତ୍ୟୁ ହେବା ପରେ ହିମାଂଶୁ ତାଙ୍କୁ ପ୍ରେମ ନିବେଦନ କରିଥିଲେ। ହେଲେ ଏହି ପ୍ରସ୍ତାବକୁ ପୀଡିତା ପ୍ରତ୍ୟାଖାନ କରିଥିଲେ। ପରବର୍ତ୍ତୀ ସମୟରେ ପୀଡିତାଙ୍କ ସହ ଫୋନ୍‌ରେ କଥା ହୋଇ ସମ୍ପର୍କ ବଢ଼ାଇଥିଲେ। ପୀଡିତା ଜଣକ ଭୁବନେଶ୍ୱର ଲୁମ୍ବିନିବିହାରସ୍ଥିତ ଏକ ଘରୋଇ ହସ୍ପିଟାଲରେ ଷ୍ଟାଫନର୍ସ ଭାବେ ଚାକିରି କରି ହଷ୍ଟେଲରେ ରହୁଥିଲେ। ହିମାଂଶୁ ଭୁବନେଶ୍ୱର ଆସି ପୀଡିତା ଯୁବତୀଙ୍କୁ ବରମୁଣ୍ଡାକୁ ଡାକି ଦେଖା କରିଥିଲେ। କିଛିଦିନ ପରେ ହିମାଂଶୁ ତାଙ୍କୁ କଳିଙ୍ଗବିହାରସ୍ଥିତ ନିଜ ଘରକୁ ଡାକିଥିଲେ। ଯୁବତୀ ଜଣକ ୨୦୨୩ ଏପ୍ରିଲ ୨୨ରେ ହିମାଂଶୁଙ୍କ ଘରକୁ ଯାଇଥିଲେ। ଏହି ସମୟରେ ହିମାଂଶୁ ତାଙ୍କୁ ଥଣ୍ଡା ପାନୀୟରେ ନିଶା ଦେଇ ବଳାତ୍କାର କରିବା ସହ ଫଟୋ ଓ ଭିଡିଓ ଉତ୍ତୋଳନ କରିନେଇଥିଲେ। ପରେ ଉକ୍ତ ଫଟୋ ଓ ଭିଡିଓ ସୋସିଆଲ୍‌ ମିଡିଆରେ ଭାଇରାଲ କରିଦେବାକୁ ଧମକ ଦେଇ ତାଙ୍କଠାରୁ ୩ ଲକ୍ଷ ଟଙ୍କା ନେଇଯାଇଥିଲେ। ଏପରିକି ପରବର୍ତ୍ତୀ ସମୟରେ ଅର୍ଥାତ୍‌ ମାର୍ଚ୍ଚ ୨୨ରେ ଉକ୍ତ ଘରୋଇ ହସ୍ପିଟାଲକୁ ଯାଇ ହିମାଂଶୁ ତାଙ୍କୁ ଗାଳିଗୁଲଜ କରିବା ସହ ମାଡ଼ ମାରିଥିଲେ। ଏନେଇ ପୀଡିତାଙ୍କ ଅଭିଯୋଗ ପରେ ମହିଳା ଥାନା ପୋଲିସ ଗତ ଫେବୃଆରୀ ୨୪ରେ ଏକ ମାମଲା (ନଂ.୪୨/୨୦୨୪) ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ପୋଲିସ ଟିମ୍‌ ଟିକାବାଲି ଅଞ୍ଚଳରେ ଚଢାଉ କରି ଅଭିଯୁକ୍ତ ହିମାଂଶୁଙ୍କୁ ଗିରଫ କରି ଭୁବନେଶ୍ୱର ଆଣିଥିଲା।

Spread the love