ଅଷ୍ଟମ ଆଶ୍ଚର୍ଯ୍ୟର ଗଣତି ଭୁଲ୍: ୪୦୦ ମିଟର ଦୀର୍ଘ ପୋଲ ଉପରେ ସହର

ଶିଳ୍ପପତି ହର୍ଷ ଗୋଏଙ୍କାଙ୍କ ଟ୍ବିଟର ଟାଇମ୍‌ଲାଇନ୍ ସର୍ବଦା ମଜାଦାର ଫଟୋ ଓ ଭିଡିଓରେ ଭରପୂର ଥାଏ। କାରଣ ଯଦି କୌଣସି କଥା ତାଙ୍କ ମନକୁ ଛୁଏଁ, ତେବେ ସେ ତାହାକୁ ତୁରନ୍ତ ତାଙ୍କ ଟାଇମ୍‌ଲାଇନରେ ସ୍ଥାନ ଦେଇଥା’ନ୍ତି। ତେବେ ନିକଟରେ ସେ ଛାଡ଼ିଥିବା ଏକ ଅନନ୍ୟ ଚୀନୀ ସହରର ଭିଡିଓ କ୍ଳିପିଂ ଏବେ ଖୁବ୍ ଭାଇରା଼ଲ୍ ହେବାରେ ଲାଗିଛି। ରଙ୍ଗବେରଙ୍ଗର ଉକ୍ତ ଦର୍ଶନୀୟ ସହରଟି ସେହି ସ୍ଥାନର ଉପଯୋଗକୁ ପ୍ରୋତ୍ସାହିତ କରିବା ସହ ଉଭୟ ପାରମ୍ପରିକ ଓ ପାଶ୍ଚାତ୍ୟ ଶୈଳୀର ଅଟ୍ଟାଳିକାର ମିଶ୍ରଣର ଏକ ଝଲକ ପ୍ରଦାନ କରୁଛି। ତେବେ ଚୀନ୍‌ର ଚୋଙ୍ଗକିଙ୍ଗ ଲିନ୍‌ଶି ଭାବେ ପରିଚିତ ସେହି ସହରଟିର ସ୍ୱତନ୍ତ୍ରତା ହେଉଛି ଯେ, ଏହା ୪୦୦ ମିଟର ଦୀର୍ଘ ଏକ ପୋଲ ଉପରେ ହିଁ ନିର୍ମିତ। ଆକାଶମାର୍ଗରୁ ଉତ୍ତୋଳନ କରାଯାଇଥିବା ଚିତ୍ରରୁ ଯାହା ଜଣାପଡୁଛି, ସତେ ଯେପରି ଉକ୍ତ ସହରଟି ଅନ୍ୟତମ ବୈଷୟିକ ଚମତ୍କାର।

‘ଏଠାରେ ବସବାସ କରିବା ପାଇଁ କଳ୍ପନା କରନ୍ତୁ’, ବୋଲି ଶୀର୍ଷକ ଥିବା ଏହି ଭିଡିଓ କ୍ଳିପିଂରେ ସଂପୃକ୍ତ ପୋଲ ଉପରେ ବିଭିନ୍ନ ଆକୃତିର ରଙ୍ଗିନ କୋଠାଗୁଡ଼ିକ ଜଳାଶୟ ଉପରେ ଆକାଶକୁ ଚାହିଁ ରହି ଅନନ୍ୟ ଶୋଭା ବଢାଉଛନ୍ତି। ତେବେ ଏକ ମନୋରମ ପ୍ରାକୃତିକ ଦୃଶ୍ୟରେ ପରିବେଷ୍ଟିତ ଏହି ସହରଟି ଏକ ସୁଦୃଶ୍ୟ ପର୍ବତଶ୍ରେଣୀ ମଧ୍ୟରେ ଅବସ୍ଥିତ। ଏଥି ସହିତ ଘରଗୁଡ଼ିକ ଗୋଟିଏ ଧାଡ଼ିରେ ନିର୍ମିତ ହୋଇଥିବାରୁ କୌଣସି କୋଠା ବା ଦୃଶ୍ୟ ମଝିରେ କୌଣସି ନଭଶ୍ଚୁମ୍ବୀ ଅଟ୍ଟାଳିକା ପ୍ରତିବନ୍ଧକ ସାଜୁନାହିଁ। ଚୋଙ୍ଗକିଙ୍ଗ ଲିନ୍‌ଶିର ମନୋରମ ଦୃଶ୍ୟକୁ ବାନ୍ଧି ରଖିଥିବା ଉକ୍ତ ଭିଡିଓଟି ସାମାଜିକ ଗଣମାଧ୍ୟମରେ ଭାଇରା଼ଲ୍ ହେବା ପରେ ହଜାର ହଜାର ଅନୁଗାମୀ ଉପଭୋଗ କରୁଛନ୍ତି ଏବଂ ରୋଚକ ମନ୍ତବ୍ୟମାନ ମଧ୍ୟ ଦେବାରେ ଲାଗିଛନ୍ତି।

Spread the love