ଫୁଡ୍‌ ପଏଜନିଂ ଓ ତା’ର ଘରୋଇ ପ୍ରତିକାର

ଦୂଷିତ ଖାଦ୍ୟଜନିତ ଏକ ରୋଗ ହେଉଛି ଫୁଡ୍‌ ପଏଜନିଂ। ଏହାକୁ ଫୁଡ୍‌ବୋର୍ଣ୍ଣ ଇଲ୍‌ନେସ୍‌ ମଧ୍ୟ କୁହାଯାଏ। ବିଭିନ୍ନ ପ୍ରକାର ଭୂତାଣୁ ଦ୍ବାରା ସଂକ୍ରମିତ ଖାଦ୍ୟ ଖାଇବା ଯୋଗୁଁ ଫୁଡ୍‌ ପଏଜନିଂ ସମସ୍ୟା ଦେଖାଯାଏ। ଏହାର ଲକ୍ଷଣଗୁଡ଼ିକ ଖାଦ୍ୟ ଖାଇବାର ୧-୨ ଘଣ୍ଟା ଭିତରେ ଦେଖାଯାଏ। ଏହାର ମୁଖ୍ୟ ଲକ୍ଷଣଗୁଡ଼ିକ ହେଉଛି ବାନ୍ତି, ଝାଡ଼ା, ଜ୍ବର ଓ ମୁଣ୍ଡ ବୁଲାଇବା ଇତ୍ୟାଦି। ଖରାଦିନ ଆସିଲେ ଫୁଡ୍‌ ପଏଜନିଂ ସମସ୍ୟା ଅଧିକ ହୋଇଥାଏ।

କାରଣ

ଫୁଡ୍‌ ପଏଜନିଂ ପାଇଁ ତିନୋଟି ମୁଖ୍ୟ କାରଣ ଦାୟୀ। ଯଥା – ବ୍ୟାକ୍ଟେରିଆ, ପରଜୀବୀ ଓ ଭାଇରସ୍‌। ବ୍ୟାକ୍ଟେରିଆ ଭିତରେ ଇ.କୋଲି, ଲିଷ୍ଟେରିଆ ଓ ସାଲ୍‌ମୋନେଲା ଖାଦ୍ୟକୁ ସଂକ୍ରମିତ କରିଥାନ୍ତି। ପରଜୀବୀ ଯୋଗୁଁ ଖାଦ୍ୟ ଦୂଷିତ ହୁଏ ଏବଂ ତାହା ଖାଦ୍ୟ ମାଧ୍ୟମରେ ପାଚନତନ୍ତ୍ର ଉପରେ କୁପ୍ରଭାବ ପକାଏ। ପରଜୀବୀ ବା ପାରାସାଇଟ୍ସଗୁଡ଼ିକ ପେଟ ଭିତରେ ଅଧÒକ ସମୟ ପର୍ଯ୍ୟନ୍ତ ରହିଥାନ୍ତି। ତେଣୁ ଖାଦ୍ୟ ବିଷାକ୍ତ ହୋଇଯାଏ। ଗର୍ଭବତୀ ଓ ରୋଗପ୍ରତିରୋଧକ ଶକ୍ତି କମ୍‌ ଥିବା ଲୋକଙ୍କ କ୍ଷେତ୍ରରେ ପରଜୀବୀ ସଂକ୍ରମଣଜନିତ ଫୁଡ୍‌ ପଏଜନିଂ ଅଧିକ ଦେଖାଯାଏ। ଭାଇରସ୍‌ କ୍ଷେତ୍ରରେ ନୋରୋ ଭାଇରସ୍‌ ଖାଦ୍ୟକୁ ବିଷାକ୍ତ କରିଥାଏ। ଏହା ବ୍ୟତୀତ ସାପୋଭାଇରସ୍‌, ରୋଟାଭାଇରସ୍‌ ଓ ଆଷ୍ଟ୍ରୋଭାଇରସ୍‌ ନାମକ ଭାଇରସ୍‌ ଯୋଗୁଁ ଫୁଡ୍‌ ପଏଜନିଂ ସମସ୍ୟା ଦେଖାଯାଇଥାଏ।

କେଉଁମାନଙ୍କ ପାଇଁ ଘାତକ

ସାଧାରଣତଃ ଫୁଡ୍‌ ପଏଜନିଂ ହେଲେ, ଦିନେ ଦୁଇଦିନ ଭିତରେ ଭଲ ହୋଇଯାଏ। କିନ୍ତୁ ବୟସାଧିକ୍ୟ ବ୍ୟକ୍ତି, ଶିଶୁ, ଗର୍ଭବତୀ ଓ ଅନ୍ୟ ରୋଗାକ୍ରାନ୍ତ ବ୍ୟକ୍ତିଙ୍କ ପାଇଁ ଏହା ମାରାତ୍ମକ ହୋଇପାରେ। ବୟସ ବଢ଼ିବା ସହିତ ରୋଗ ପ୍ରତିରୋଧକ ଶକ୍ତି ହ୍ରାସ ପାଏ। ତେଣୁ ବୟସାଧିକ୍ୟ ହେଲେ ଅନେକ ପ୍ରକାର ସ୍ବାସ୍ଥ୍ୟ ସମସ୍ୟା ଦେଖାଯାଏ। ତେଣୁ ଏହି ସମୟରେ ଖାଦ୍ୟ ଉପରେ ଗୁରୁତ୍ବ ଦେବାକୁ ହୁଏ। ନଚେତ୍‌ ଫୁଡ୍‌ ପଏଜନିଂ ଭଳି ଖାଦ୍ୟଜନିତ ଅନେକ ସମସ୍ୟାର ଜଟିଳତା ବୃଦ୍ଧି ପାଏ। ବୃଦ୍ଧଙ୍କ ଭଳି ଶିଶୁଙ୍କଠାରେ ମଧ୍ୟ ଇମ୍ୟୁନିଟି କମ୍‌ ଥାଏ।

ତେଣୁ ଶିଶୁଙ୍କଠାରେ ଫୁଡ୍‌ ପଏଜନିଂ ହେଲେ ମାରାତ୍ମକ ହୋଇପାରେ। ମଧୁମେହ ବା ଲିଭର୍‌ଜନିତ ରୋଗରେ ପୀଡ଼ିତ ବ୍ୟକ୍ତିଙ୍କୁ ଫୁଡ୍‌ ପଏଜନିଂର ଆଶଙ୍କା ଅଧିକ ଥାଏ। ତେଣୁ ଏଭଳି ବ୍ୟକ୍ତିଙ୍କଠାରେ ଫୁଡ୍‌ ପଏଜନିଂ ସମସ୍ୟା ଘାତକ ହୋଇପାରେ। ତେଣୁ ବିଶେଷଭାବେ କୌଣସି ରୋଗରେ ପୀଡ଼ିତ ବ୍ୟକ୍ତିଙ୍କୁ ଖାଦ୍ୟପେୟର ବିଶେଷ ଧ୍ୟାନ ରଖିବା ଜରୁରୀ।

ଘରୋଇ ପ୍ରତିକାର

ଖାଦ୍ୟ ରାନ୍ଧିବା ପୂର୍ବରୁ ରନ୍ଧାପାତ୍ର ଓ ହାତକୁ ଭଲ ଭାବେ ଧୁଅନ୍ତୁ। ଖାଦ୍ୟ ଜିନିଷ ରଖିବା ସ୍ଥାନକୁ ମଧ୍ୟ ପରିଷ୍କାର କରି ରଖନ୍ତୁ। ରନ୍ଧାଖାଦ୍ୟକୁ କଞ୍ଚାଖାଦ୍ୟ ବା ପନିପରିବାଠାରୁ ଦୂରେଇ ରଖନ୍ତୁ। ବଳକା ଖାଦ୍ୟକୁ ୧ ଘଣ୍ଟାରୁ ଊର୍ଦ୍ଧ୍ବ ସମୟ ବାହାରେ ନ ରଖି ଫ୍ରିଜ୍‌ରେ ରଖନ୍ତୁ। ଫ୍ରିଜ୍‌ରୁ ବାହାର କରିବା ପରେ ଯଦି ବାସି ଖାଦ୍ୟ ଭଳି ଗନ୍ଧ ଆସୁଥାଏ, ତା’ହେଲେ ସେହି ଖାଦ୍ୟକୁ ନଖାଇବା ଉଚିତ। ଖରାଦିନରେ ଡିହାଇଡ୍ରେସନ୍‌ ଯୋଗୁଁ ଫୁଡ୍‌ ପଏଜନିଂ ଅଧିକ ହୋଇଥାଏ। ତେଣୁ ଅଧିକରୁ ଅଧିକ ପାଣି ପିଇବା ଉଚିତ।

ଖରାଦିନରେ ବାହାରର ଖାଦ୍ୟ ଖାଇବା ଉଚିତ ନୁହେଁ। କାରଣ ଏହି ଦିନରେ ଖାଦ୍ୟ ଖୁବ୍‌ ଶୀଘ୍ର ସଂକ୍ରମିତ ହୋଇଥାଏ। ଖରାଦିନରେ ଅଧିକ ମସଲା ଓ ଚର୍ବି ଜାତୀୟ ଖାଦ୍ୟ, ହଜମ ସମସ୍ୟା ସୃଷ୍ଟି କରେ। ତେଣୁ ଫୁଡ୍‌ ପଏଜନିଂ ହୋଇଥାଏ। ଏସବୁ ଖାଦ୍ୟରୁ ଦୂରେଇ ରୁହନ୍ତୁ। ଏସବୁ କରିବା ଦ୍ବାରା ଫୁଡ୍‌ ପଏଜନିଂ ହେବ ନାହିଁ। କିନ୍ତୁ ଯଦି ଫୁଡ୍‌ ପଏଜନିଂ ହୋଇସାରିଛି, ତେବେ ଖାଲି ପେଟରେ ହାଲ୍‌କା ଉଷୁମ ପାଣିରେ ଲେମ୍ବୁ ପକାଇ ପିଅନ୍ତୁ। ଲେମ୍ବୁରେ ଥିବା ଆଣ୍ଟି ବ୍ୟାକ୍ଟେରିଆଲ୍‌ ଓ ଆଣ୍ଟି ଇନ୍‌ଫ୍ଲାମେଣ୍ଟାରୀ ଗୁଣ ଫୁଡ୍‌ ପଏଜନିଂର ଜୀବାଣୁକୁ ନଷ୍ଟ କରିଦେଇଥାଏ। ଏହା ସହିତ ତୁଳସୀ ରସ ଓ ଦହି ମଧ୍ୟ ଖାଇପାରିବେ। ଓଆର୍‌ଏସ୍‌ ପିଇବା ଦ୍ବାରା ଆରାମ ମିଳିଥାଏ। ଫୁଡ୍‌ ପଏଜନ୍‌ର ଲକ୍ଷଣଗୁଡ଼ିକ ଅଧୀକ ହେଲେ ତୁରନ୍ତ ଡାକ୍ତରଙ୍କ ସହ ପରାମର୍ଶ କରିବା ଉଚିତ। କୌଣସି କେମିଷ୍ଟ୍‌ଙ୍କୁ ପଚାରି ଔଷଧ ଖାଇବା ଉଚିତ ନୁହେଁ।

Spread the love