ଏଣିକି ବିଳମ୍ବରେ ଅଫିସ୍ ପହଞ୍ଚିଲେ କଟିବ ଦରମା

କଠୋର ନିୟମ ଆଣିଛି ବିଏମସି। ଏଣିକି ବିଳମ୍ବରେ ପହଞ୍ଚିଲେ ଦରମା କାଟ୍ ହେବ ବୋଲି ନିର୍ଦ୍ଦେଶନାମା ଜାରି ହୋଇଛି । ବିଏମ୍ସି କମିଶନର ରାଜେଶ ପ୍ରଭାକର ପାଟିଲ ବିଳମ୍ବରେ ପହଞ୍ଚୁଥିବା କର୍ମଚାରୀଙ୍କୁ ତାଗିଦ୍ କରିଛନ୍ତି । ଅଧିକାଂଶ ବିଏମ୍ସି ଅଧିକାରୀ, ଚୁକ୍ତିଭିତ୍ତିକ କର୍ମଚାରୀ, ଡିଏଲ୍ଆର ଓ ସିଏଲ୍ଆର ମାନେ ବିଳମ୍ବରେ ଅଫିସ ଆସୁଛନ୍ତି । ଫଳରେ କାମରେ ବାଧା ଉପୁଜୁଛି । ତେଣୁ ଏଣିକି ପ୍ରତିଦିନ ୧୦ଟାରେ ଅଫିସ ପହଞ୍ଚିବାକୁ କୁହାଯାଇଛି । ଯଦି ୧୦ଟା ୩୦ ପରେ କୌଣସି କର୍ମଚାରୀ ଅଫିସ ଆସନ୍ତି ତା’ହେଲେ ତାଙ୍କ ଉପରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନିଆଯିବ । ଦୁଇରୁ ଅଧିକ ଦିନ ବିଳମ୍ବ ହେଲେ ଅଧାଦିନର ସିଏଲ୍ କଟିବ । ୧୦ରୁ ଅଧିକ ବିଳମ୍ବ ହେଲେ ଚାକିରିରେ ନାଲି ଗାର ବାଜିବ । ଯେଉଁମାନଙ୍କ କ୍ଷେତ୍ର ପରିଦର୍ଶନ ରହିଛି, ସେମାନେ ଉପରିସ୍ଥ ଅଧିକାରୀମାନଙ୍କୁ ଜଣାଇବାକୁ କୁହାଯାଇଛି । ସୂଚନାଯୋଗ୍ୟ, ତତ୍କାଳୀନ ବିଏମ୍ସି କମିଶନର ବିଜୟ ଅମୃତା କୁଲାଙ୍ଗେ ପୂର୍ବରୁ ଏହି ନିୟମ ଜାରି କରିଥିଲେ । ପ୍ରତି ମହଲା ପାଇଁ ଜଣେ ବରିଷ୍ଠ ଅଧିକାରୀଙ୍କୁ ଦାୟିତ୍ୱ ଦିଆଯାଇଥିଲା । ହେଲେ ସେ ଗଲା ପରେ ଏହି ନିୟମ କୋମାରେ । କର୍ମଚାରୀ ମନଇଚ୍ଛା ଅଫିସ୍ ଆସୁଥିବା କୁହାଯାଉଛି।

Spread the love