୨୪ରୁ ଉପକୂଳ ଓଡ଼ିଶାରେ ବର୍ଷା

ଭୁବନେଶ୍ୱର: ଆସନ୍ତା ୨୨ ତାରିଖରେ ବଙ୍ଗୋପସାଗରରେ ସୃଷ୍ଟି ହେବାକୁ ଥିବା ଲଘୁଚାପକୁ ନେଇ ଭୟ ବଢ଼଼ିବାରେ ଲାଗିଛି। ଏହି ଲଘୁଚାପ ଘନୀଭୂତ ହୋଇ ବାତ୍ୟାରେ ପରିଣତ ହେବା ନେଇ ଏକାଧିକ ମଡେଲ୍‌‌ ଆକଳନ କରିବା ପରେ ରାଜ୍ୟବାସୀଙ୍କ ଚିନ୍ତା ବଢ଼ିଛି। ଯଦିଓ ବର୍ତ୍ତମାନ ପର୍ଯ୍ୟନ୍ତ ଆଇଏମ୍‌ଡି ପକ୍ଷରୁ ବାତ୍ୟା ସୃଷ୍ଟି ସମ୍ପର୍କରେ କୌଣସି ସୂଚନା ଜାରି କରାଯାଇନାହିଁ, ହେଲେ ୨୪ ତାରିଖରୁ ଏହି ସମ୍ଭାବ୍ୟ ବାତ୍ୟାର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଓ ସମୁଦ୍ର ଆଶାନ୍ତ ହେବା ନେଇ ବିଭାଗ ପକ୍ଷରୁ କୁହାଯାଇଛି। ୨୪ ତାରିଖରେ ଜଗତସିଂହପୁର ଓ କେନ୍ଦ୍ରାପଡ଼ା ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଆଶଙ୍କା ରହିଥିବା ବେଳେ ସେହିଦିନ ବାଲେଶ୍ୱର, ଭଦ୍ରକ, ଯାଜପୁର, ମୟୂରଭଞ୍ଜ, କେନ୍ଦୁଝର ଓ କଟକରେ ପ୍ରବଳ ବର୍ଷା ଆଶଙ୍କା ରହିଛି। ସେହିପରି ୨୫ ତାରିଖରେ ଏହାର ପ୍ରଭାବ ବଢ଼଼ିବା ସହ ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା ଓ ମୟୂରଭଞ୍ଜର କିଛି ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷାର ଆକଳନ କରାଯାଇଛି। ସେହିପରି ସେହିଦିନ ଜଗତସିଂହପୁର, କଟକ, ଯାଜପୁର ଓ କେନ୍ଦ୍ରାପଡ଼ାରେ ମଧ୍ୟ ପ୍ରବଳ ବର୍ଷା ନେଇ ପାଣିପାଗ କେନ୍ଦ୍ର ଆକଳନ କରିଛି।

Spread the love