ମିଳିତ ଗବେଷଣାକୁ ପ୍ରୋତ୍ସାହନ ଦେବା ଲକ୍ଷ୍ୟରେ ସୋଆ ଏବଂ ଇମ୍‌ଜେନେକ୍ସ ଇଣ୍ଡିଆ ମଧ୍ୟରେ ବୁଝାମଣା ସ୍ୱାକ୍ଷରିତ

ଭୁବନେଶ୍ୱର, ଜୁନ ୧୩: ମିଳିତ ଗବେଷଣା ଓ ବିକାଶକୁ ପ୍ରୋତ୍ସାହନ ଦେବା ଉଦ୍ଦେଶ୍ୟରେ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପୂର୍ବ ଭାରତର ଅଗ୍ରଣୀ ବାୟୋଟେକ୍ନୋଲୋଜି କମ୍ପାନୀ ଇମ୍‌ଜେନେକ୍ସ ଇଣ୍ଡିଆ ପ୍ରାଇଭେଟ ଲିମିଟେଡ୍ ସହିତ ବୁଧବାର ଏକ ବୁଝାମଣା ସ୍ୱାକ୍ଷରିତ କରିଛି । ସୋଆର ସେଂଟର ଫର୍ ଇଣ୍ଡଷ୍ଟ୍ରିଆଲ୍ ବାୟୋଟେକ୍ନୋଲୋଜି ରିସର୍ଚ୍ଚ (ସିଆଇବିଆର୍‌) ଓ ଇମ୍‌ଜେନେକ୍ସ ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡ୍ ମିଳିତ ଭାବେ ଏହି ଗବେଷଣା କାର୍ଯ୍ୟ କରିବେ । ଇମ୍‌ଜେନେକ୍ସ ଇଣ୍ଡିଆ ହେଉଛି ଦେଶର ଅନ୍ୟତମ ଅଗ୍ରଣୀ ବାୟୋଟେକ୍ କମ୍ପାନୀ ଯାହାର ଭୁବନେଶ୍ୱର ସ୍ଥିତ ଇନ୍‌ଫୋସିଟି କମ୍‌ପ୍ଲେକ୍ସରେ ଏକ ଷ୍ଟେଟ୍ ଅଫ୍ ଦ ଆର୍ଟ ଗବେଷଣା ଓ ବିକାଶ ଲ୍ୟାବେରୋଟରୀ ରହିଛି ।
ଏହି କମ୍ପାନୀଟି ଭାରତରେ ସର୍ବାଧିକ ମୋନୋକ୍ଲୋନାଲ୍ ଓ ପୋଲିକ୍ଲୋନାଲ୍ ଆଂଟିବଡି ଉତ୍ପାଦନ କରୁଥିବା ବେଳେ ବର୍ଷକୁ ୨୫୦ ରୁ ଊର୍ଦ୍ଧ୍ୱ ମୋନୋକ୍ଲୋନାଲ୍ ଆଂଟିବଡି ଉତ୍ପାଦନ କରୁଛି ।
ବୁଝାମଣାଟି ସୋଆର କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ଓ ଇମ୍‌ଜେନେକ୍ସ ଇଣ୍ଡିଆ ପ୍ରାଇଭେଟ ଲିମିଟେଡ୍‌ର ପ୍ରତିଷ୍ଠାତା ଓ ପରିଚାଳନା ନିର୍ଦ୍ଦେଶକ ଡକ୍ଟର ସୁଜୟ ସିଂଙ୍କ ମଧ୍ୟରେ ସ୍ୱାକ୍ଷରିତ ହୋଇଥିଲା । ବୁଝାମଣା ଅନୁଯାୟୀ ଇମ୍‌ଜେନେକ୍ସ ଓ ସିଆଇବିଆର୍ ମିଳିତ ଭାବରେ ପ୍ରକଳ୍ପ ନିମନ୍ତେ ରାଜ୍ୟ, ଜାତୀୟ ଏବଂ ଅନ୍ତର୍ଜାତୀୟ ଅନୁଦାନ ନିମନ୍ତେ କାର୍ଯ୍ୟ କରିବେ । ସେହିପରି ଇମ୍‌ଜେନେକ୍ସ ନିୟମିତ ଭାବେ କ୍ଲିନିକାଲ୍ ଟ୍ରାଏଲ୍ ନିମନ୍ତେ ସୋଆର ସାହାଯ୍ୟ ନେବ । ସେହିପରି ସିଆଇବିଆର୍ ରାଜିନାମା ପରିପ୍ରେକ୍ଷୀରେ ନୋଡାଲ୍ ଏଜେନ୍ସି ଭାବେ କାର୍ଯ୍ୟ କରିବ। ଇମ୍‌ଜେନେକ୍ସର ଗବେଷକମାନେ ସୋଆର ନିୟମାନୁବଳୀ ଅନୁଯାୟୀ ପିଏଚ୍‌ଡି କାର୍ଯ୍ୟରେ ରିସର୍ଚ୍ଚ କୋ-ଗାଇଡ୍ ହେବା ସହ ପର୍ଯ୍ୟବେକ୍ଷଣ କରିବା ନିମନ୍ତେ ସୋଆ ଅନୁମତି ଦେବ । ଇମ୍‌ଜେନେକ୍ସର ଜଣେ ପିଏଚ୍‌ଡି ପ୍ରେଗ୍ରାମ୍ କୋର୍ଡିନେଟର ସିଆଇବିଆର୍‌ର ନିର୍ଦ୍ଦେଶକଙ୍କ ସହ ଏ ନେଇ ସମନ୍ୱୟ ରଖି କାର୍ଯ୍ୟ କରିବେ । ଦୁଇ ଅନୁଷ୍ଠାନ ମିଳିତ ଭାବେ ବିଭିନ୍ନ ରେଫ୍ରେସର କୋର୍ସ, ଓରିଏଂଟେସନ୍‌, ଇନ୍‌ଟର୍ଣ୍ଣସିପ୍ ଏବଂ କର୍ମଶାଳାର ଆୟୋଜନ କରିବେ । ଏହି କର୍ମଶାଳାଗୁଡ଼ିକ ଜରୁରୀକାଳୀନ ଜନସ୍ୱାସ୍ଥ୍ୟ ଏବଂ ଗବେଷଣା ସମ୍ପର୍କିତ ହେବ ।
ଏହି ଅବସରରେ ପ୍ରଫେସର ନନ୍ଦ କହିଥିଲେ ଯେ ସୋଆ ମିଳିତ ଗବେଷଣାକୁ ପ୍ରୋତ୍ସାହନ ଦେବା ନିମନ୍ତେ ବିଭିନ୍ନ ଶିଳ୍ପାନୁଷ୍ଠାନ ସହ ଯୋଡି ହେବା ନିମନ୍ତେ ଉତ୍ସୁକ ଅଟେ ।

Spread the love