ସାମୁଦ୍ରିକ ଗବେଷଣା ସମ୍ପର୍କିତ ବକ୍ତୃତାମାଳା ସଂକଳନ ‘ସୋଫଲ୍ ମାଳା’ର ତୃତୀୟ ସଂସ୍କରଣ ଉନ୍ମୋଚିତ

ଭୁବନେଶ୍ୱର, ଜୁନ ୧୮: ବିଭିନ୍ନ କ୍ଷେତ୍ରର ପ୍ରତିଷ୍ଠିତ ବ୍ୟକ୍ତିବିଶେଷଙ୍କ ଦ୍ୱାରା ବିବିଧ ପ୍ରସଙ୍ଗରେ ଆୟୋଜିତ ଶିକ୍ଷା ଓ ଅନୁସନ୍ଧାନ ପାକ୍ଷିକ ଶୈକ୍ଷିକ ବକ୍ତୃତାମାଳା ସୋଆ ଫର୍ଟନାଇଟଲି ଏକାଡେମିକ ଲେକ୍‌ଚର ସିରିଜ (ସୋଫଲ୍‌)ର ତୃତୀୟ ସଂସ୍କରଣ ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡକ୍ଟର) ମନୋଜରଞ୍ଜନ ନାୟକଙ୍କ ଦ୍ୱାରା ମଙ୍ଗଳବାର ଉନ୍ମୋଚିତ ହୋଇଯାଇଛି । ସୋଫଲମାଳାର ସଦ୍ୟତମ ସଂକଳନ ବିଭିନ୍ନ ସାମୁଦ୍ରିକ ପ୍ରସଙ୍ଗ ଓ ଗବେଷଣା ଉପରେ ଆଧାରିତ ହୋଇଥିବା ବେଳେ ନେଦରଲ୍ୟାଣ୍ଡ, ପୋଲାଣ୍ଡ, ଭିଏତନାମ, ସିରିଆ, ଜିବୋଟି, କ୍ୟାମେରୁନ୍ ଓ ଇଣ୍ଡୋନେସିଆ ଭଳି ଦେଶର ରାଷ୍ଟ୍ରଦୂତ, ବିଶିଷ୍ଟ ଶିକ୍ଷାବିତ୍‌, ଭାରତୀୟ ନୌସେନାର ଅବସରପ୍ରାପ୍ତ ବରିଷ୍ଠ ଅଧିକାରୀ ଏହି ବକ୍ତୃତାମାଳାରେ ସାମିଲ ହୋଇ ନିଜର ବକ୍ତବ୍ୟ ରଖିଥିଲେ । ପୂର୍ବରୁ ୨୫ଟି ବକ୍ତୃତାକୁ ନେଇ ସୋଫଲମାଳାର ଦୁଇଟି ସଂସ୍କରଣ ପ୍ରକାଶିତ ହୋଇସାରିଛି । ସୋଆର ୟୁନିଭର୍ସିଟି ଆଉଟରିଚ୍ ସେଲ୍ ଦ୍ୱାରା ଫେବୃଆରୀ ୨୦, ୨୦୨୧ରେ ଏହି ବକ୍ତୃତାମାଳା ଆରମ୍ଭ ହୋଇଥିଲା । ପୁସ୍ତକ ଉନ୍ମୋଚନ ସମୟରେ ୟୁନିଭର୍ସିଟି ଆଉଟ୍‌ରିଚ୍ ପ୍ରୋଗ୍ରାମର ନିର୍ଦ୍ଦେଶକ ପ୍ରଫେସର ନଚିକେତା କେ. ଶର୍ମା ଉପସ୍ଥିତ ଥିଲେ ।

Spread the love