୪୯ ବର୍ଷ ପରେ ବି ସୁଧୁରୁନି କଂଗ୍ରେସ : ବିରଂଚି ନାରାୟଣ ତ୍ରିପାଠୀ

ଭୁବନେଶ୍ୱର, ତା.୨୪/୦୬ : ଦେଶରେ ସାଧାରଣ ନିର୍ବାଚନ ସରିଛି । ଅଷ୍ଟାଦଶ ଲୋକସଭା ଆରମ୍ଭ ହେବା ପୂର୍ବରୁ କଂଗ୍ରେସ ତାର ସ୍ୱାର୍ଥ ହାସଲ କରିବା ପାଇଁ ହୀନ ରାଜନୀତି ଆରମ୍ଭ କରିଦେଇଛି। ୪୯ ବର୍ଷ ତଳେ କଂଗ୍ରେସ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରି ଗଣତନ୍ତ୍ର ଓ ସମ୍ମିଧାନକୁ ହତ୍ୟା କରିବାକୁ ଚେଷ୍ଟା କରିଥିବାବେଳେ ଏତେ ବର୍ଷେ ପରେ ବି ଉକ୍ତ ଦଳରେ କୌଣସି ସୁଧାର ଆସିନାହିଁ । ଲୋକସଭାରେ ୭ଥର ସଂସଦକୁ ନିର୍ବାଚିତ ହୋଇଥିବା ଏବଂ ୨ଥର ଆଦର୍ଶ ସାଂସଦ ଭାବେ ପୁରସ୍କୃତ ହୋଇଥିବା ଲୋକସଭା ସାଂସଦ ଶ୍ରୀ ଭତୃହରି ମହତାବଙ୍କୁ କଂଗ୍ରେସ ବିରୋଧ କରିଛି । ଶ୍ରୀ ମହତାବଙ୍କୁ ଅସ୍ଥାୟୀ ବାଚସ୍ପତି ଭାବେ ଯେତେବେଳେ ମାନନୀୟା ରାଷ୍ଟ୍ରପତି ଘୋଷଣା କଲେ, ତାହାକୁ କଂଗ୍ରେସ ବିରୋଧ କରିଛି । ଏଥିରୁ କଂଗ୍ରେସ ଓଡ଼ିଶା ଏବଂ ଓଡ଼ିଆ ବିରୋଧୀ ବୋଲି ପ୍ରମାଣିତ ହୋଇଥିବା ନେଇ ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ମୁଖପାତ୍ର ଦିଲୀପ ମଲ୍ଲିକ କହିଛନ୍ତି ।
ଭାରତୀୟ ସମ୍ବିଧାନ ଇତିହାସରେ କଂଗ୍ରେସ ଅତୀତରେ ଅନେକ କଳାକାହାଣୀ ଲେଖିଛି । ଆଜକୁ ୪୯ବର୍ଷ ତଳେ ଅର୍ଥାତ୍ ୧୯୭୫ମସିହା ଜୁନ୍‌୨୫ରେ ତତ୍‌କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ସରକାରୀକଳର ଅପବ୍ୟବହାର କରି ଭାରତରେ ପ୍ରଥମଥର ପାଇଁ ଜରୁରୀକାଳିନ ପରିସ୍ଥିତି ଘୋଷଣା କରିଥିଲେ । ସେ ଗଣତନ୍ତ୍ରକୁ ହତ୍ୟା କରିବା ସହ ମାନବିକ ଅଧିକାରକୁ ମଧ୍ୟ କ୍ଷୁର୍ଣ୍ଣ କରିଥିଲେ । ଦେଶର ସମସ୍ତ ବିରୋଧୀ ଦଳର ନେତୃବୃନ୍ଦକୁ ନେଇ ଜେଲ୍ ଭିତରେ ରଖିଥିଲେ । ୧୯ମାସ ଧରି କଂଗ୍ରେସ ସରକାର ଭାରତରେ ସ୍ୱେଚ୍ଛାଚାରି ଶାସନ ଚଳାଇ ସମ୍ବିଧାନର ମୁଖବନ୍ଧକୁ ପରିବର୍ତନ କରିଥିଲା ବୋଲି ରାଜ୍ୟ ଉପସଭାପତି ବିରଂଚି ନାରାୟଣ ତ୍ରିପାଠୀ କହିଛନ୍ତି ।
ଶ୍ରୀ ତ୍ରିପାଠୀ କହିଛନ୍ତି ଯେ, ୧୯୭୧ ନିର୍ବାଚନରେ ଶ୍ରୀମତୀ ଗାନ୍ଧୀ ସରକାରୀକଳର ଅପବ୍ୟବହାର କରି ତାଙ୍କର ପ୍ରତିଦ୍ୱନ୍ଦ୍ୱୀ ରାଜ ନାରାୟଣଙ୍କୁ ପରାସ୍ତ କରିଥିଲେ ବୋଲି ସେତେବେଳେ କୋର୍ଟ ଆଦେଶ ଦେଇଥିଲା । ନିଜର ସାଂସଦ ପଦ ଉପରେ ଯେତେବେଳେ ପ୍ରଶ୍ନ ଉଠିଲା, ସେତେବେଳେ ଶ୍ରୀମତୀ ଗାନ୍ଧୀ ନିଜର ସ୍ୱାର୍ଥ ହାସଲ କରିବା ପାଇଁ ଓ ପ୍ରଧାନମନ୍ତ୍ରୀ ପଦବୀରେ ରହିବା ପାଇଁ କାହାରି ସଙ୍ଗେ ଆଲୋଚନା ନ କରି ଜରୁରୀକଳୀନ ପରିସ୍ଥିତି ଘୋଷଣା କରିଥିଲେ । ଏହି ଦିବସକୁ ବିଜେପି “କଳା ଦିବସ” ଭାବେ ପାଳନ କରିଆସିଛି ।
ଗଣତନ୍ତ୍ରର କଥା କହୁଥିବା କଂଗ୍ରେସ ସମ୍ବିଧାନକୁ ସର୍ବାଧିକଥର ଅପବ୍ୟବହାର କରିବା ସହ କ୍ଷତି ପହଂଚାଇଛି । ୩୫୬ ଧାରାର ସର୍ବାଧିକ ଥର ଉପଯୋଗ କରି ନିର୍ବାଚିତ ରାଜ୍ୟ ସରକାରମାନଙ୍କୁ ଏହି ଦଳ ଭାଙ୍ଗିଛି । ଭାରତୀୟ ଜନତା ପାର୍ଟି ଏକ ଦାୟିତ୍ୱ ସମ୍ପର୍ଣ୍ଣ ରାଜନୈତିକ ଦଳ ଭାବେ ସମଗ୍ର ଦେଶବାସୀଙ୍କୁ କଂଗ୍ରେସ ଦଳର ଏହି କଳା କାରନାମା ଲୋକଙ୍କୁ ଅବଗତ କରାଇଛି । ଏନେଇ ଜୁନ୍ ୨୫ତାରିଖ ରାଜ୍ୟ ବିଭିନ୍ନ ଜିଲ୍ଲାରେ ବିଜେପି ପକ୍ଷରୁ ବୁଦ୍ଧଜୀବୀ ଓ ସାମ୍ବାଦିକ ସମ୍ମିଳନୀ କରାଯିବ । ଯେଉଁମାନେ ଜରୁରୀକାଳିନ ପରିସ୍ଥିତିକୁ ବିରୋଧ କରି ଗିରଫ ହୋଇଥିଲେ, ସେମାନଙ୍କ ଅନୁଭୂତି ପାଠ ସହ ସମ୍ମାନିତ କରାଯିବ ବୋଲି ଶ୍ରୀ ତ୍ରିପାଠୀ କହିଛନ୍ତି ।
ଅତୀତରେ ଓଡ଼ିଶାର ବିକାଶ ପାଇଁ ଅର୍ଥର ଆବଶ୍ୟକତା ଥିଲାବେଳେ ତତ୍‌କାଳୀନ କଂଗ୍ରେସ ପ୍ରଧାନମନ୍ତ୍ରୀ ମନମୋହନ ସିଂ ଓଡ଼ିଶା ବିରୋଧି ମାନସିକତାର ପରିଚୟ ଦେଇ “ଟଙ୍କା ଗଛରେ ଫଳେ ନାହିଁ” ବୋଲି କହିଥିଲେ। କଂଗ୍ରେସ ଦଳ ସର୍ବଦା ଓଡ଼ିଶା ଏବଂ ଓଡିଆ ବିରୋଧୀ ମାନସିକତା ରଖିଆସିଛି। ଅପରପକ୍ଷେ ମୋଦି ସରକାର ଓଡ଼ିଶାବାସୀଙ୍କୁ ସବୁଠାରୁ ଅଧିକ ଗୁରୁତ୍ୱ ଦେଉଛନ୍ତି। ଅନେକ ଓଡ଼ିଆ ପ୍ରତିଭାମାନଙ୍କୁ ପଦ୍ମପୁରସ୍କାରରେ ସମ୍ମାନିତ କରିଛନ୍ତି। ଓଡ଼ିଶାର ଝିଅ ଆଜି ଭାରତର ସର୍ବପ୍ରଥମ ନାଗରିକ। ମନ୍ତ୍ରୀମଣ୍ଡଳରେ ଓଡ଼ିଆଙ୍କୁ ସର୍ବଦା ଗୁରୁତ୍ୱ ଦିଆଯିବା ସହ ଭାରତର ବିଭିନ୍ନ ବିଭାଗରେ ଓଡ଼ିଆକୁ ସର୍ବୋଚ ପଦବୀରେ ଅବସ୍ଥାପିତ କରାଯାଇଛି । ଓଡ଼ିଶାର ବିକାଶକୁ ବିଜେପି ଗୁରୁତ୍ୱ ଦେଉଥିବାବେଳେ କଂଗ୍ରେସ ତାହା ସହିପାରୁନାହିଁ । ଏକ ଦାୟିତ୍ୱ ସମ୍ପନ୍ନ ବିରୋଧୀ ଦଳର ଦାୟିତ୍ୱ ନେଇ କଂଗ୍ରେସ ଦେଶକୁ ଆଗକ ବଢ଼ିବାର ଚେଷ୍ଟା କରିବା ଆବଶ୍ୟକ ବୋଲି ଶ୍ରୀ ତ୍ରିପାଠି କହିଛନ୍ତି । ଏହି ସାମ୍ବାଦିକ ରାଜ୍ୟ ପ୍ରବକ୍ତା ହିତେଶ ମହାପାତ୍ର ଉପସ୍ଥିତ ଥିଲେ।

Spread the love