କିଟ୍ ଓ କିସରେ ପାଳିତ ହେଲା ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୯୬ତମ ତିରୋଧାନ ଦିବସ

ଭୁବନେଶ୍ୱର: କିଟ୍ ଓ କିସରେ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୯୬ତମ ତିରୋଧାନ ଦିବସ ପାଳିତ ହୋଇଛି । ଏହି ଅବସରରେ କିସ୍ ପରିସରରେ ଥିବା ଉତ୍କଳମଣି ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତିରେ କିଟ୍ ଓ କିସ୍ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଉତ୍କଳମଣିଙ୍କ ସ୍ମୃତିଚାରଣ କରି ଡ. ସାମନ୍ତ କହିଲେ, ଗୋପବନ୍ଧୁ ସେବାର ମୂର୍ତ୍ତିମନ୍ତ ପ୍ରତୀକ ଥିଲେ ।

ସେବା ତାଙ୍କ ଜୀବନର ମୂଳମନ୍ତ୍ର ଥିଲା । ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନରେ ତାଙ୍କର ଉଲ୍ଲେଖନୀୟ ଯୋଗଦାନ ରହିଥିଲା । ଉତ୍କଳମଣି ଗୋପବନ୍ଧୁଙ୍କ ଆଦର୍ଶରେ ଅନୁପ୍ରାଣୀତ ହେବାକୁ ଡ. ସାମନ୍ତ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଥିଲେ ।  କିଟ୍‍ ଓ କିସ୍‍ର ବରିଷ୍ଠ ପଦାଧିକାରୀ ତଥା ଛାତ୍ରଛାତ୍ରୀମାନେ ଉପସ୍ଥିତ ରହି ଗୋପବନ୍ଧୁଙ୍କ ସ୍ମୃତିଚାରଣ କରିଥିଲେ ।

ପରେ କିସ୍‍ ବିଶ୍ୱବିଦ୍ୟାଳୟ ଗୋପବନ୍ଧୁ ଚେୟାର ପକ୍ଷରୁ ‘ପ୍ରଗତିଶୀଳ ଚେତନାର ରୂପକାର ଗୋପବନ୍ଧୁ’ ବିଷୟବସ୍ତୁ ଉପରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଛି । ଏଥିରେ ବିଶିଷ୍ଟ ନାଟ୍ୟକାର ତଥା ସାହିତ୍ୟିକ ପ୍ରଫେସର ବିଜୟ କୁମାର ଶତପଥୀ ଯୋଗଦେଇ ଗୋପବନ୍ଧୁ ରାଜନୀତି, ସାହିତ୍ୟ, ସମାଜସେବା, ବିଶ୍ୱ ମାନବବାଦ ତଥା ନବଚେନତାର ଭଗୀରଥ । ଗୋପବନ୍ଧୁଙ୍କ ଭଳି ଜନନାୟକ ଆଜିର ସମାଜର ବିରଳ ।

ପ୍ରକୃତରେ ସେ ହେଉଛନ୍ତି ପ୍ରଗତିଶୀଳ ଚେତନାର ରୂପକାର ବୋଲି ପ୍ରଫେସର ଶତପଥୀ କହିଥିଲେ । କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ କିସ୍‍ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ଦୀପକ କୁମାର ବେହେରା, କୁଳସଚିବ ଡ. ପ୍ରଶାନ୍ତ କୁମାର ରାଉତରାୟ ଓ ଗୋପବନ୍ଧୁ ଚେୟାର ପ୍ରଫେସର ବିଜୟାନନ୍ଦ ସିଂହ ପ୍ରମୁଖ ଯୋଗଦେଇ ଗୋପବନ୍ଧୁଙ୍କ ବହୁମୁଖୀ ପ୍ରତିଭା ଉପରେ ଆଲୋଚନା କରିଥିଲେ ।

Spread the love