୧୪ ତାରିଖରେ ଖୋଲିବ ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାର

ଚଳିତ ମାସ ୧୪ ତାରିଖରେ ଖୋଲିବ ରତ୍ନଭଣ୍ଡାର । ଏନେଇ ରତ୍ନଭଣ୍ଡାର ଯାଞ୍ଚ କମିଟି ବୈଠକରେ ନିଷ୍ପତ୍ତି ହେଇଛି । ରତ୍ନଭଣ୍ଡାର କମିଟିର ଅଧ୍ୟକ୍ଷ ବିଶ୍ୱନାଥ ରଥ କହିଛନ୍ତି, ଯେକୌଣସି ଉପାୟରେ ହେଉ ନା କାହିଁକି ୧୪ ତାରିଖରେ ରତ୍ନଭଣ୍ଡାର ଖୋଲାଯିବ । ଚାବିରେ ରତ୍ନଭଣ୍ଡାର ନଖୋଲିଲେ ବି, ରତ୍ନଭଣ୍ଡାର ଖୋଲିବ ବୋଲି ସେ କହିଛନ୍ତି । ଏନେଇ ସରକାରଙ୍କ ଅନୁମତିକୁ ଅପେକ୍ଷା ବୋଲି ସେ କହିଛନ୍ତି ।

ସେ କହିଛନ୍ତି, ସରକାରଙ୍କୁ ରତ୍ନଭଣ୍ଡାର ଖୋଲିବା ନେଇ ଅନୁରୋଧ କରାଯାଉଛି । ସରକାର ଯାହା ନିଷ୍ପତ୍ତି ନେବେ, ସେହି ଅନୁସାରେ କାମ ହେବ । ରତ୍ନଭଣ୍ଡାର ଖୋଲିଲେ ଏହାର ମରାମତି ସହିତ ଗଣତି ମଣତି ହେଇପାରେ ବୋଲି ସେ ସୂଚନା ଦେଇଛନ୍ତି । ଏଥିସହ ରତ୍ନଭଣ୍ଡାର ଖୋଲିବା ନେଇ ଏସଓପି ପ୍ରସ୍ତୁତ ହେବ ଆଉ ସେହି ଏସଓପି ଅନୁସାରେ ରତ୍ନଭଣ୍ଡାର ଖୋଲାଯାଇପାରିବ ।

ସୂଚନାଯୋଗ୍ୟ ଯେ, ରତ୍ନଭଣ୍ଡାର ଖୋଲିବା ପ୍ରସଙ୍ଗରେ ଆଜି ରତ୍ନଭଣ୍ଡାର କମିଟିର ବୈଠକ ବସିଥିଲା । ଏହି ବୈଠକ ଶେଷ ହେବା ପରେ ଏପରି ସୂଚନା ଦିଆଯାଇଛି । ତେବେ  ରାଜ୍ୟ ସରକାରଙ୍କ ପକ୍ଷରୁ ହାଇକୋର୍ଟର ପୂର୍ବତନ ବିଚାରପତି ବିଶ୍ୱନାଥ ରଥଙ୍କ ଅଧ୍ୟକ୍ଷତାରେ ଗଠିତ ରତ୍ନଭଣ୍ଡାର ଯାଞ୍ଚ କମିଟିର ପ୍ରଥମ ବୈଠକ ଶନିବାର ହୋଇଥିଲା। ବୈଠକରେ ରତ୍ନଭଣ୍ଡାର ଖୋଲିବା ନେଇ ୧୬ ଜଣିଆ କମିଟି ବିସ୍ତୃତ ଆଲୋଚନା କରିଥିଲେ।

Spread the love