ଓଡିଆ ଅସ୍ମିତା, ଐତିହ୍ୟ, ସଂସ୍କୃତି, କଳା ଓ ପରଂପରାର ସୁରକ୍ଷା ପାଇଁ ବାଧକ ସାଜିବ ନାହିଁ ଅର୍ଥ : ମନମୋହନ ସାମଲ

ଭୁବନେଶ୍ୱର,୧୦/୦୭: ବିଜେପି ରାଜ୍ୟରେ ଏକାକୀ ସରକାର ଗଠନ କରିବା ପରେ ଆଜି ଦ୍ୱିତୀୟ କ୍ୟାବିନେଟ୍ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ୫ଟି ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ହୋଇଛି । ଏଥିରେ ଓଡ଼ିଆ ଅସ୍ମିତାଠାରୁ ଆରମ୍ଭ କରି ରାଜ୍ୟର ସାମଗ୍ରିକ ବିକାଶ ଉପରେ ଗୁରୁତ୍ୱ ଦିଆଯାଇଛି । କୃଷି, ଶ୍ରମିକ, ଶିକ୍ଷା ଓ ନିଯୁକ୍ତି ଉପରେ ବିଶେଷ ଦୃଷ୍ଟି ଦିଆଯାଇଛି ବୋଲି ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ କହିଛନ୍ତି ।
ଶ୍ରୀ ସାମଲ କହିଛନ୍ତି, “ଆମ ଓଡ଼ିଶା, ଆମ ଅସ୍ମିତା, ଆମ ପରିଚୟ” ହେଉଛି ଆମ ସଂକଳ୍ପ । ଏହାର ପ୍ରତିଫଳନ ବିଜେପି ସରକାରର କ୍ୟାବେନେଟ ନିଷ୍ପତିରେ ଦେଖିବାକୁ ମିଳିଛି । ଓଡ଼ିଆ ଅସ୍ମିତା ଭବନ ନିର୍ମାଣ, ଓଡ଼ିଆ ଅନୁବାଦ ଏକାଡେମୀ ପ୍ରତିଷ୍ଠା, ତାଳପତ୍ର ପୋଥି ସଂଗ୍ରହାଳୟ, ବିଭିନ୍ନ ବିଶ୍ୱବିଦ୍ୟାଳୟରେ ଓଡ଼ିଆ ଚେୟାର ପ୍ରତିଷ୍ଠା କରାଯିବା ପାଇଁ କ୍ୟାବିନେଟରେ ନିଷ୍ପତି ନିଆଯାଇଛି । ଏହାଦ୍ୱାରା ଓଡ଼ିଆ ଭାଷା ଉପରେ ଅଧିକ ଗବେଷଣା କରିବା ସହଜ ହେବ । ଓଡ଼ିଆ ଭାଷା ଓ ସଂସ୍କୃତି ପ୍ରତି ଲୋକେ ଅଧିକ ସଚେତନ ହୋଇପାରିବେ । ଓଡ଼ିଆ ଅସ୍ମିତା ପାଇଁ ୨୦୦ କୋଟିର କର୍ପସ ପାଣ୍ଠିିକୁ ରାଜ୍ୟ କ୍ୟାବିନେଟର ମଞ୍ଜୁରୀ ମିଳିଛି । ବିଶ୍ୱ ପ୍ରସିଦ୍ଧ ବାଲିଯାତ୍ରାକୁ ଆନ୍ତଜାର୍ତୀୟ ମାନ୍ୟତା ପ୍ରଦାନ ପାଇଁ ସରକାରଙ୍କ ଆନ୍ତରିକ ପ୍ରଚେଷ୍ଟା ସ୍ୱାଗତଯୋଗ୍ୟ । ଓଡିଆ ଅସ୍ମିତା; ଓଡିଶାର ଐତିହ୍ୟ, ସଂସ୍କୃତି, କଳା ଓ ପରଂପରାର ସୁରକ୍ଷା ପାଇଁ ଅର୍ଥୀକ ବ୍ୟବସ୍ଥା ଆଦୈା ବାଧକ ସାଜିବ ନାହିଁ ବୋଲି ଶ୍ରୀ ସାମଲ ଦୃଢୋକ୍ତି ପ୍ରକାଶ କରିଛନ୍ତି ।
କୃଷି ଓ କୃଷକ କଲ୍ୟାଣ ହେଉଛି ବିଜେପି ସରକାରର ପ୍ରାଥମିକତା । ଓଡ଼ିଶାର ୩୧.୬୨ ଲକ୍ଷ ଚାଷୀ ପିଏମ୍‌-କିଶାନ ଯୋଜନାରେ ଲାଭାନ୍ୱିତ ହୋଇ ବାର୍ଷିକ ୬ ହଜାର ଟଙ୍କା ଆର୍ଥୀକ ସହାୟତା ପାଉଛନ୍ତି । ପୂର୍ବ ସରକାରର ତୃଟିପୂର୍ଣ୍ଣ ନିଷ୍ପତି କାରଣରୁ ବାଦ୍ ପଡିଥିବା ୬ ଲକ୍ଷରୁ ଊର୍ଦ୍ଧ୍ୱ ଚାଷୀଙ୍କୁ ପିଏମ-କିଶାନ ଯୋଜନାରେ ସାମିଲ କରାଯାଇଛି ଏବଂ ଆଗାମୀ ଦିନରେ ମଧ୍ୟ ବଂଚିତ ଚାଷୀଙ୍କୁ ଏହି ଯୋଜନାରେ ଅନ୍ତର୍ଭୁକ୍ତ କରାଯିବ । ଚାଷୀମାନଙ୍କ ଅସୁବିଧାକୁ ଉପଲବ୍ଧ କରି ବିଜେପି ସରକାର ଉଠା ଜଳସେଚନ ଉପରେ ଗୁରୁତ୍ୱ ଦେଇଛି । ଜଳ ସେଚନ ବିଭାଗ ପକ୍ଷରୁ ୨୦୬୫ଟି ଅଚଳ ପ୍ରକଳ୍ପ ସଚଳ ହେବାକୁ ନିଷ୍ପତି ହୋଇଛି । ଏନେଇ ୫ବର୍ଷ ଭିତରେ ୧୦୪୪ କୋଟି ଅର୍ଥ ବିନିଯୋଗ କରିବାକୁ ସ୍ଥିର କରାଯାଇଛି । ବିଭିନ୍ନ ବିଦ୍ୟାଳୟରେ ଖାଲି ପଡ଼ିଥିବା ପଦବୀ ପୂରଣ ପାଇଁ ପଦକ୍ଷେପ ନେବାକୁ ବୈଠକରେ ନିଷ୍ପତି ହୋଇଛି । ଏନେଇ ୧୮ହଜାର ୭୮୮ଜଣ ପ୍ରାର୍ଥୀଙ୍କୁ ନିଯୁକ୍ତି ଦେବାକୁ ବିଜେପି ସରକାର ନିର୍ଦ୍ଦେଶ ଦେଇଛନ୍ତି । ଆଜିର ଶିଶୁ କାଲିର ଭବିଷ୍ୟତ । ସେମାନଙ୍କୁ ଉନ୍ନତ ଶିକ୍ଷା ପ୍ରଦାନ ପାଇଁ ରାଜ୍ୟରେ ପିଏମ୍‌ଶ୍ରୀ ଯୋଜନା ଲାଗୁ କରାଯାଇଛି । ଏହି ଯୋଜନାରେ ପ୍ରତି ବ୍ଲକ ଓ ସହରାଂଚଳରେ ୨ଟି ଲେଖାଏଁ ସ୍କୁଲକୁ ବିକଶିତ କରାଯିବ । ଏସବୁ ବିଦ୍ୟାଳୟରେ ନୂତନ ପ୍ରଯୁକ୍ତିବିଦ୍ୟା, ସ୍ମାର୍ଟ କ୍ଲାସରୁମ୍ ଓ କ୍ରୀଡ଼ାକୁ ଗୁରୁତ୍ୱ ଦିଆଯିବ । ବିଦ୍ୟାଳୟଗୁଡ଼ିକର ଭିତିଭୂମି ଓ ଗୁଣବତା ବୃଦ୍ଧି ପାଇଁ ଗୁରୁତ୍ୱ ଦିଆଯିବ ବୋଲି ସ୍ଥିର ହୋଇଛି । ଏହାଛଡ଼ା ଅଣକୁଶଳୀ, ଅର୍ଦ୍ଧକୁଶଳୀ, କୁଶଳୀ ଓ ଉଚ୍ଚକୁଶଳୀଙ୍କ ମଜୁରୀ ବଢ଼ାଇବା ଉପରେ ନିଷ୍ପତି ହୋଇଛି ।
ବିଜେପି ସରକାର ଆସିବା ପରଠୁ ରାଜ୍ୟର ବିକାଶ ପାଇଁ ଦ୍ରୁତଗତିରେ କାର୍ଯ୍ୟ କରିଚାଲିଛି । ପୂର୍ବରୁ ଶ୍ରୀମନ୍ଦିର ଚାରିଦ୍ୱାର ଖୋଲାଯିବା ସହ, ଧାନ କୁଇଂଟାଲ ସହାୟକ ମୂଲ୍ୟ ୩୧ଶହ ଟଙ୍କା, ଶ୍ରୀମନ୍ଦିର ପାଇଁ କର୍ପସ ଫଣ୍ଡ, ସୁଭଦ୍ରା ଯୋଜନା ଲାଗୁ ଭଳି ବଡ ନିଷ୍ପତି ହୋଇଛି । ଏନେଇ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କୁ ଓଡ଼ିଶାବାସୀଙ୍କ ତରଫରୁ ଶ୍ରୀ ସାମଲ ଧନ୍ୟବାଦ ଜ୍ଞାପନ କରିଛନ୍ତି ।

Spread the love