କେରଳରେ ନିଖୋଜ ଥିବା ଓଡ଼ିଆ ଡାକ୍ତର ବିଷ୍ଣୁ ପ୍ରସାଦ ଚିନାରାଙ୍କ ମୃତଦେହ ଉଦ୍ଧାର

କେରଳ: କେରଳର ୱାଏନାଡ଼ ଜିଲ୍ଲାରେ ପ୍ରକୃତି ତାଣ୍ଡବ ରଚିଛି। ତିନି ତିନି ଥର ଭୂସ୍ଖଳନ ଘଟିବା ଫଳରେ ୱାୟନାଡ଼ର ୪ ଗାଁ ଧ୍ବଂସସ୍ତୁପରେ ପରିଣତ ହୋଇଛି। ଭୂସ୍ଖଳନରେ ୧୫୮ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୨୦ରୁ ଅଧକ ଲୋକ ଆହତ ହୋଇଛନ୍ତି। ଏବେ ମଧ୍ୟ ୨୦୦ରୁ ଅଧିକ ଲୋକ ନିଖୋଜ ଥିବାରୁ ମୃତ୍ୟୁସଂଖ୍ୟା ବଢିବାର ଆଶଙ୍କା ରହିଛି। ପ୍ରବଳ ବର୍ଷା ସାଙ୍ଗକୁ ମାତ୍ର ୪ ଘଣ୍ଟା ମଧ୍ୟରେ ତିନି ତିନି ଭୂସ୍ଖଳନ ଘଟି ଶତାଧିକ ଲୋକଙ୍କ ମୃତ୍ୟୁ ହେବା ଘଟଣା ସ୍ଥାନୀୟ ଅଞ୍ଚଳରେ ଭୟାନକ ପରିସ୍ଥିତି ସୃଷ୍ଟି କରିଛି। ସେପଟେ କେରଳ ଭୟାବହ ଭୂ-ସ୍ଖଳନ ବିଭୀଷିକାରେ ନିଖୋଜ ଥିବା ଓଡ଼ିଶାର ୨ଜଣ ଡାକ୍ତରଙ୍କ ମଧ୍ୟ ଜଣଙ୍କର ମୃତଦେହ ଉଦ୍ଧାର କରାଯାଇଛି। ନିଖୋଜ ଥିବା କଟକ ଚୌଦ୍ୱାର ହାଉସିଂବୋର୍ଡ ଫେଜ୍‌‌-୨ କଲୋନୀରେ ରହୁଥିବା ଯୁବ ଡାକ୍ତର ଡା. ବିଷ୍ଣୁୁ ପ୍ରସାଦ ଚିନାରା ଓ ତାଙ୍କର ବନ୍ଧୁ ଡା. ସ୍ବାଧୀନ ପଣ୍ଡାଙ୍କ ମଧ୍ୟରୁ ବିଷ୍ଣୁୁ ପ୍ରସାଦ ଚିନାରାଙ୍କ ମୃତ ଦେହ ମିଳିଛି। ଏନେଇ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ସୂଚନା ଦେଇଛନ୍ତି। ମୃତଦେହ ପୁନଃ ଚିହ୍ନଟ ପାଇଁ ୨ ଅଧିକାରୀଙ୍କୁ କେରଳ ପଠାଯାଇଛି। ଚିହ୍ନଟ ପରେ ଓଡ଼ିଶା ଆଣିବାକୁ ବ୍ୟବସ୍ଥା କରାଯିବ ବୋଲି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି। ତେବେ ନିଖୋଜ ଅନ୍ୟ ଜଣେ ଡାକ୍ତର ସ୍ବାଧୀନ ପଣ୍ଡାଙ୍କର ଏଯାଏଁ କୌଣସି ପତ୍ତା ମିଳିନି ମିଳିନି। ଡାକ୍ତର ବିଷ୍ଣୁୁ ପ୍ରସାଦ ଚିନାରା ଭୁବନେଶ୍ୱରସ୍ଥିତ ହାଇଟେକ ମେଡିକାଲ କଲେଜର ଡାକ୍ତର ଭାବେ କାର୍ଯ୍ୟ କରୁଥିବା ବେଳେ ଡ୍ରିମ୍ସ କଲେଜରେ ଅଧ୍ୟାପିକା ଭାବେ ତାଙ୍କ ବୋହୁ ପ୍ରିୟଦର୍ଶିନୀ କାର୍ଯ୍ୟ କରୁଥିଲେ। ଡା. ବିଷ୍ଣୁଙ୍କ ସହ ତାଙ୍କର ବନ୍ଧୁ ଡା. ସ୍ୱାଧୀନ ପଣ୍ଡା ଓ ତାଙ୍କ ସ୍ତ୍ରୀ ସ୍ୱୀକୃତି ମହାପାତ୍ର ନିକଟରେ କେରଳ ବୁଲିବାକୁ ଯାଇଥିଲେ। ସେମାନେ ସମସ୍ତେ କେରଳର ୱାଇନାଡର ‘ଲିନର୍ରା ଭିଲ୍ଲା’ରେ ରାତ୍ରିଯାପନ କରିଥିବା ବେଳେ ରାତି ପ୍ରାୟ ୨ଟାରେ ହଠାତ୍‌‌ ପ୍ରବଳ ବର୍ଷା ସାଙ୍ଗକୁ ଭୂ-ସ୍ଖଳନ ଘଟିଥିଲା। ଏଥିରେ ଡା. ବିଷ୍ଣୁ ପ୍ରସାଦ ଓ ଡା. ସ୍ୱାଧୀନ ନିଖୋଜ ହୋଇଯାଇଥିଲେ। ସୌଭାଗ୍ୟବଶତଃ ଅଧ୍ୟାପିକା ପ୍ରିୟଦର୍ଶିନୀ ଓ ସ୍ୱୀକୃତି ଅଳ୍ପକେ ବର୍ତ୍ତିଯାଇଛନ୍ତି। ସ୍ଥାନୀୟ ଏକ ଡାକ୍ତରଖାନାରେ ସେମାନେ ଚିକିତ୍ସିତ ହେଉଥିବା ଜଣାପଡ଼ିଛି। ବିଷ୍ଣୁଙ୍କ ପତ୍ନୀ ମଙ୍ଗଳବାର ଭୋର ୬ଟାରେ ଟେଲିଫୋନ ଯୋଗେ ନିଜର ଶଶୁର ପ୍ରମୋଦଙ୍କୁ ଘଟଣା ସମ୍ପର୍କରେ ଅବଗତ କରାଇଥିଲେ।

Spread the love