ଏଲ୍‌ପିଜି ଦାମ୍‌ ୧୪୪ ଟଙ୍କା ବଢ଼ିଲା

ତୈଳ କଂପାନିଗୁଡ଼ିକ ଆଜି ୧୪.୨ କେଜିଆ ଅଣ ରିହାତି ଏଲ୍‌ପିଜି ସିଲିଣ୍ଡର୍‌ ଦାମ୍‌ରେ ୧୪୪ ଟଙ୍କା ୫୦ ପଇସାର ବୃଦ୍ଧି ଘୋଷଣା କରିଛନ୍ତି। ଫଳରେ ଓଡ଼ିଶାରେ ଏହି ସିଲିଣ୍ଡର୍‌ର ଦାମ୍ ୮୯୫ ଟଙ୍କାକୁ ବୃଦ୍ଧି ପାଇଛି। ଦୀର୍ଘ ୬ ବର୍ଷ ପରେ ଏଲ୍‌ପିଜି ଦାମ୍‌ରେ ଏଭଳି ବଡ଼ ଧରଣର ବୃଦ୍ଧି ଘଟିଛି। ଦିଲ୍ଲୀ ନିର୍ବାଚନ ଫଳାଫଳ ପ୍ରକାଶ ପାଇବାର ଗୋଟିଏ ଦିନ ପରେ ତେଲ କଂପାନିଗୁଡ଼ିକ ଏଲ୍‌ପିଜି ଦାମ୍‌ରେ ବୃଦ୍ଧି ଘଟାଇଛନ୍ତି। ଦେଶର ବିଭିନ୍ନ ସ୍ଥାନରେ ଅଣ ରିହାତି ଏଲ୍‌ପିଜି ସିଲିଣ୍ଡର୍‌ ଦାମ୍‌ରେ ୧୪୪ ଟଙ୍କା ୫୦ ପଇସାରୁ ୧୪୯ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି ଘଟିବ। ଗତ କିଛି ମାସ ହେଲାଣି ପ୍ରତି ମାସର ପ୍ରଥମ ଦିନରେ ତୈଳ କଂପାନିଗୁଡ଼ିକ ଏଲ୍‌ପିଜି ଦାମ୍ ଓ ବିମାନ ଇନ୍ଧନ ମୂଲ୍ୟରେ ପରିବର୍ତ୍ତନ କରୁଥିଲେ। ଗତ ସେପ୍ଟେମ୍ବର ପରଠାରୁ ଏଲ୍‌ପିଜି ଦାମ୍‌ ଛଅ ଥର ବଢ଼ିଲାଣି। ସାଧାରଣ ଗ୍ରାହକମାନେ ବଜାର ଦର‌ ଅର୍ଥାତ ବର୍ତ୍ତମାନର ୮୯୫ ଟଙ୍କା ଦାମ୍ ଦେଇ ରୋଷେଇ ପାଇଁ ଏଲ୍‌ପିଜି ସିଲିଣ୍ଡର କିଣୁଛନ୍ତି। ତେବେ ସବସିଡି ସୁବିଧା ପାଉଥିବ‌ା ଗ୍ରାହକଙ୍କ ବ୍ୟାଙ୍କ ଖାତାରେ ରିହାତି ଅର୍ଥ ଜମା ହେଉଛି। ପୂର୍ବରୁ ସିଲିଣ୍ଡର ପିଛା ୧୫୩ ଟଙ୍କା ୮୬ ପଇସାର ସବ୍‌ସିଡି ମିଳୁଥିଲା। ଏବେ ସେହି ରାଶି ୨୯୧ ଟଙ୍କା ୪୮ ପଇସାକୁ ବୃଦ୍ଧି ପାଇଛି। ଏବେ ପ୍ରତି ପରିବାରକୁ ବର୍ଷକୁ ୧୨ଟି ସିଲିଣ୍ଡର ରିହାତି ଦରରେ ମିଳୁଛି। ଏହାଠାରୁ ଅଧିକ ସିଲିଣ୍ଡର କିଣିବାକୁ ହେଲେ ବଜାର ମୂଲ୍ୟ ଦେବାକୁ ପଡ଼ୁଛି।

Spread the love