ଆଜି ବିଜେଡି ଓ ବିଜେପି ବିଧାୟକ ଦଳ ବୈଠକ

ବିଧାନସଭାର ବଜେଟ୍ ଅଧିବେଶନ ଆସନ୍ତା ୧୪ତାରିଖରେ ଆରମ୍ଭ ହେଉଛି। ଏଥିପାଇଁ ୩ ପ୍ରମୁଖ ଦଳ ନିଜ ନିଜର ରଣନୀତିକୁ ଚୂଡ଼ାନ୍ତ ପାଇଁ ବିଧାୟକ ଦଳ ବୈଠକ ଡାକିଛନ୍ତି। ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ମଧ୍ୟ ଆଜି ସର୍ବଦଳୀୟ ବୈଠକ ଡାକିଛନ୍ତି। ବିରୋଧୀ ବିଜେପିର ବିଧାୟକ ଦଳ ବୈଠକ ଆଜି ଅପରାହ୍ନ ୧ଟାରେ ହେବାକୁ ଥିବାବେଳେ କଂଗ୍ରେସ ଓ ଶାସକ ବିଜେଡିର ବିଧାୟକ ଦଳ ବୈଠକ ସନ୍ଧ୍ୟାରେ ଅନୁଷ୍ଠିତ ହେବ। ବିଜେପି ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ବଜେଟ୍ ଅଧିବେଶନରେ ଦଳର ରଣନୀତି ବିଷୟରେ ଆଲୋଚନା କରିବା ପାଇଁ ଦଳର ରାଜ୍ୟ କାର୍ଯ୍ୟାଳୟରେ ଆଜି ଅପରାହ୍ନ ୧ଟାରେ ବିଜେପିର ବିଧାୟକ ଦଳ ବୈଠକ ବସିବ। ଏଥିରେ ଦଳର ସମସ୍ତ ବିଧାୟକମାନେ ଉପସ୍ଥିତ ରହି ଆଗାମୀ ଅଧିବେଶନରେ ଦଳର ଆଭିମୁଖ୍ୟ କ’ଣ ରହିଛି ସେ ଦିଗରେ ବିଚାରବିମର୍ଶ କରିବେ ବୋଲି ବିରୋଧୀ ଦଳର ସଚେତକ ମୋହନ ମାଝୀ ସୂଚନା ଦେଇଛନ୍ତି। ସେହିପରି ଅପରାହ୍ନ ସାଢ଼େ ୫ଟାରେ ବିଧାନସଭାର ୫୪ ନମ୍ବର ପ୍ରକୋଷ୍ଠରେ ବିଜେଡି ବିଧାୟକ ଦଳ ବୈଠକ ଅନୁଷ୍ଠିତ ହେବ। ବିରୋଧୀ ଦଳକୁ କାଉଣ୍ଟର କରିବା ପାଇଁ ଶାସକ ବିଜେଡି ପକ୍ଷରୁ ରଣନୀତି ପ୍ରସ୍ତୁତ କରାଯାଇଛି। କଂଗ୍ରେସର ବିଧାୟକ ଦଳ ମଧ୍ୟ ଆଜି ସନ୍ଧ୍ୟାରେ ବସିବ ବୋଲି ସୂଚନା ମିଳିଛି।

Spread the love