ଜାଣନ୍ତୁ ନବରାତ୍ରିରେ ମାଆଙ୍କ ଆରାଧନା ପାଇଁ ଶୁଭ ସମୟ, ୯ ଦିନ ପାଇଁ କଣ ରହିଛି ଭୋଗ

ନବରାତ୍ରି କିମ୍ବା ଦୁର୍ଗା ପୂଜାକୁ ଲୋକମାନେ ଖୁବ୍‌ ଜାକ ଜମକରେ ପାଳନ କରିଥାନ୍ତି । ଭକ୍ତି ଓ ଉତ୍ସାହର ସହ ମା’ଙ୍କୁ ଧରାପୃଷ୍ଟକୁ ସ୍ୱାଗତ କରି ତାଙ୍କର ପୂଜାର୍ଚ୍ଚନା କରିଥାନ୍ତି ଶ୍ରଦ୍ଧାଳୁ । ଚଳିତ ବର୍ଷ ନବରାତ୍ରି ୩  ଅକ୍ଟୋବର ଗୁରୁବାର ଠାରୁ ଆରମ୍ଭ ହୋଇ ୧୨ ଅକ୍ଟୋବର ଶନିବାରରେ ଶେଷ ହେବ । ଏହି ପର୍ବରେ ମା’ ଦୁର୍ଗାଙ୍କର ୯ଟି ରୂପକୁ ପୂଜାର୍ଚ୍ଚନା କରାଯାଇଥାଏ ।  । ‘ନବରାତ୍ରି’ ଶଦ୍ଦ ହେଉଛି ଏକ ସଂସ୍କୃତ ଶଦ୍ଦ ଯାହାର ଅର୍ଥ ହେଉଛି ‘ନଅଟି ରାତି’ । ଗୋଟେ ବର୍ଷରେ ସମୁଦାୟ ଚାରିଟି ନବରାତ୍ରି ପଡ଼ିଥାଏ । ସେଥି ମଧ୍ୟରୁ ୨ଟି ନବରାତ୍ରିର ଅଧିକ ମାନ୍ୟତା ରହିଆସିଛି  । ପ୍ରଥମଟି ହେଉଛି ଚୈତ୍ର ନବରାତ୍ରି ଯାହା ବସନ୍ତ ଋତୁୁରେ ପଡ଼େ । ଯାହାକୁ ବାସନ୍ତିକ ଦୁର୍ଗାପୂଜା କୁହାଯାଏ । ଅନ୍ୟଟି ଶରତ ନବରାତ୍ରି । ଏହାକୁ ଶାରଦୀୟ ଦୁର୍ଗାପୂଜା କୁହାଯାଏ । ୨ଟି ନବରାତ୍ରିି ପୂଜାର ରୀତି ନୀତି ପ୍ରାୟତଃ ସମାନ ହୋଇଥାଏ । ତେବେ ଆସନ୍ତୁ ଜାଣିବା ଶରତ ନବରାତ୍ରି ପୂଜାର ଶୁଭ ମୁହୂର୍ତ୍ତ କ’ଣ ରହିଛି ।

ଚଳିତ ବର୍ଷ ନବରାତ୍ରିର ପ୍ରଥମ ଦିିନ ୩ ଅକ୍ଟୋବର ଗୁରୁବାରରେ ପଡୁଛି । କଳସ ସ୍ଥାପନାର ଶୁଭ ମୁହୂର୍ତ୍ତ ସକାଳ ୬.୧୫ ରୁ ୭.୨୨ ପର୍ଯ୍ୟନ୍ତ ରହିଛି । ଏହା ବ୍ୟତିତ ଅଭିଜିତ୍‌ ମୁହୂର୍ତ୍ତ ସକାଳ ୧୧.୪୬ ରୁ ୧୨.୩୩ ମଧ୍ୟରେ ରହୁଛି, ଏହି ସମୟରେ ମଧ୍ୟ କଳସ ସ୍ଥାପନା କରାଯାଇପାରିବ । ବିଶ୍ୱାସ ରହିଛି କି ନବରାତ୍ରିରେ ନିଷ୍ଠାର ସହ ଦେବୀ ମା’ଙ୍କୁ ପୂଜା କଲେ ଭକ୍ତଙ୍କ ଜୀବନ ସୁଖ-ଶାନ୍ତିରେ କଟିଥାଏ, ସମସ୍ତ ଅସୁବିଧାରୁ ମାଆ ତାଙ୍କ ଭକ୍ତକୁ ବଞ୍ଚାଇଥାନ୍ତି ।

ନବରାତ୍ରିର ନଅ ଦିନରେ ମା’ଙ୍କ ପାଖେ ବିଭିନ୍ନ ପ୍ରକାରର ଭୋଗ କରାଯାଇଥାଏ । ପ୍ରଥମ ଦିନ ଖିରି ଭୋଗ ଲଗାଯାଏ । ଦ୍ୱିତୀୟ ଦିନରେ ମା’ ଦୁର୍ଗାଙ୍କ ପାଖେ ଚିନିରେ ତିଆରି ଦ୍ରବ୍ୟ ଭୋଗ ଲାଗେ । ତୃତୀୟ ଦିନରେ କ୍ଷୀରରେ ପ୍ରସ୍ତୁତ ଯେକୌଣସି ଖାଦ୍ୟ ମାଙ୍କୁ ଅର୍ପଣ କରାଯାଏ । ଚତୁର୍ଥ ଦିନ ମା’ଙ୍କ ପାଖେ ମାଲପୁଆ ଭୋଗ ଲଗାଯାଏ । ଏହା ସହ ପଞ୍ଚମ ଦିନ କଦଳୀ, ଷଷ୍ଠ ଦିନ ମହୁ ଏବଂ ସପ୍ତମ ଦିନ ଗୁଡ଼ରେ ପ୍ରସ୍ତୁତ ଖାଦ୍ୟ ଭୋଗ ଲଗାଯାଏ । ଅଷ୍ଟମ ଦିନ ନଡ଼ିଆ ଏବଂ ନବମ ଦିନ ହାଲଓ୍ୱା, ପୁରୀ ଓ ଭଜା ଚଣା ମାଆଙ୍କୁ ଅର୍ପଣ କରାଯାଇଥାଏ ।

Spread the love