ତ୍ରୁଟିଶୂନ୍ୟ ହେବ କୃଷି ବିଭାଗ: ମନ୍ତ୍ରୀ ଅରୁଣ ସାହୁ

ଭୁବନେଶ୍ୱର : ରାଜ୍ୟର କୃଷକମାନଙ୍କର ଆୟ ବୃଦ୍ଧି ପାଇଁ ମନ୍ତ୍ରୀ ଅରୁଣ ସାହୁ ଆରମ୍ଭ କରିଛନ୍ତି ପ୍ରାୟସ । ପ୍ରଗତିଶୀଳ ଏବଂ ତ୍ରୁଟିଶୂନ୍ୟ ବିଭାଗରେ ପରିବର୍ତ୍ତନ ହେବ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗ । ଯାହାକି କୃଷକମାନଙ୍କର ଆୟ ବୃଦ୍ଧି କରିବାରେ ସହାୟକ ହେବ ।

ବିଗତ ଦୁଇଦଶନ୍ଧି ମଧ୍ୟରେ ରାଜ୍ୟରେ ମାଛ, ମାଂସ, ଅଣ୍ଡା ଓ ଦୁଗ୍ଧ ଉତ୍ପାଦନ ବୃଦ୍ଧି ପାଇଥିଲେ ହେଁ ଚାହିଦା ବୃଦ୍ଧି ପାଉଥିବାରୁ ଏହାର ଉତ୍ପାଦନ ବୃଦ୍ଧି କରି ରାଜ୍ୟକୁ ଆତ୍ମନିର୍ଭରଶୀଳ ସହିତ ବଳକା ରାଜ୍ୟରେ ପରିଣତ କରିବା ଦିଗରେ ନିଆଯାଇଥିବା ପଦକ୍ଷେପଗୁଡ଼ିକୁ ଅଧିକ ଫଳପ୍ରଦ କରିବା ଦିଗରେ ‘ମୋ ସରକାର’ ଏକ ବଳିଷ୍ଠ ଉଦ୍ୟମ ବୋଲି କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀ ସମ୍ପଦ, ଉଚ୍ଚଶିକ୍ଷା ମନ୍ତ୍ରୀ ଡଃ ଅରୁଣ କୁମାର ସାହୁ କହିଛନ୍ତି ।

‘ମୋ ସରକାର’ କାର୍ଯ୍ୟକ୍ରମରେ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗକୁ ଆଗାମୀ ଦିନରେ ସାମିଲ କରାଯାଉଥିବା ପରିପ୍ରେକ୍ଷୀରେ କୃଷି ଭବନଠାରେ ‘ମୋ ସରକାର’ର ଆୟୋଜିତ ଏକ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଯୋଗଦେଇ ମନ୍ତ୍ରୀ ଡଃ ସାହୁ କହିଲେ ରାଜ୍ୟରେ ବ୍ୟାପକ ପରିବର୍ତ୍ତନ ପାଇଁ ୫‘ଟି’ କାର୍ଯ୍ୟକ୍ରମ ଅଧୀନରେ ‘ମୋ ସରକାର’ ହେଉଛି ଏକ ଗୁରୁତ୍ୱପୂର୍ଣ୍ଣ ଉଦ୍ୟମ । ସରକାରୀ ସଂସ୍ଥାଗୁଡ଼ିକ ଅଧିକ ଦକ୍ଷ ଓ କ୍ରିୟାଶୀଳ କରିବା ପାଇଁ ‘ମୋ ସରକାର’ଏକ ବଳିଷ୍ଠ ପଦକ୍ଷେପ । ଫୋନ୍‌ କଲ୍‌ ମାଧ୍ୟମରେ ଜନସାଧାରଣଙ୍କ ମୂଲ୍ୟବାନ ମତାମତ ଲୋକଙ୍କ ପ୍ରତି ସରକାରୀ ଅନୁଷ୍ଠାନମାନଙ୍କର ଉତ୍ତରଦାୟିତ୍ୱକୁ ବୃଦ୍ଧି କରିବାରେ ସହାୟକ ହେବ । ଅନୁକୂଳ ମତାମତ ଭିତ୍ତିରେ ଅନୁଷ୍ଠାନ ଓ କର୍ମଚାରୀଙ୍କୁ ଭଲ ପାହ୍ୟା ଦିଆଯିବା ସହିତ ପ୍ରତିକୂଳ ମନ୍ତବ୍ୟ ପାଇଁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ସରକାରୀ ଅଫିସ୍‌ରେ ଫାଇଲକୁ ଧାର୍ଯ୍ୟ ସମୟ ମଧ୍ୟରେ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ଉପରେ ମନ୍ତ୍ରୀ ଗୁରୁତ୍ୱାରୋପ କରିବା ସହିତ ନୋଡାଲ ଅଫିସରମାନେ ଜିଲ୍ଲାଗସ୍ତ ସମୟରେ କାର୍ଯ୍ୟାଳୟର ଫାଇଲ କାର୍ଯ୍ୟକୁ ନିର୍ଦ୍ଧାରିତ ସମୟ ମଧ୍ୟରେ ସଂପାଦନ ସମ୍ପର୍କରେ ଯାଞ୍ଚ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ ।

ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗର କମିଶନର ତଥା ଶାସନ ସଚିବ ଶ୍ରୀ ଆର୍‌. ରଘୁପ୍ରସାଦ କହିଲେ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗକୁ ରାଜ୍ୟ ସରକାର ପ୍ରାଥମିକତା ପ୍ରଦାନ କରି ବଜେଟ୍‌ରେ ଅଧିକ ଅର୍ଥ ବରାଦ କରୁଛନ୍ତି । ମୋ ସରକାର କାର୍ଯ୍ୟକ୍ରମ ସାମଗ୍ରିକ ଭାବରେ ବିଭାଗର କାର୍ଯ୍ୟଦକ୍ଷତାକୁ ମପାଯିବାର ବ୍ୟବସ୍ଥା କରାଯାଇଛି । ସରକାରୀ କାର୍ଯ୍ୟ ସଂପାଦନରେ ବୃତ୍ତିଗତ ଦକ୍ଷତା ଓ ସେବା ମନୋବୃତ୍ତି ବୃଦ୍ଧି ପାଇବ । ‘ମୋ ସରକାର’ର ସଫଳ ରୂପାୟନ ଦିଗରେ ଜିଲ୍ଲାସ୍ତରରେ ଫେବୃଆରୀ ୨୦ ତାରିଖ ସୁଦ୍ଧା କ୍ଷେତ୍ର ଅଧିକାରୀମାନଙ୍କର ପ୍ରଶିକ୍ଷଣ କାର୍ଯ୍ୟ ସମ୍ପନ୍ନ କରିବା ପାଇଁ କହିଥିଲେ । ଏଥି ସହିତ ସମସ୍ତ ଜିଲ୍ଲା କାର୍ଯ୍ୟାଳୟରେ ‘ମୋ ସରକାର’ ସଂପର୍କିତ ସମସ୍ତ ପ୍ରକାର ଆନୁଷଙ୍ଗିକ ବ୍ୟବସ୍ଥା କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ ।

ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ପ୍ରାଣୀ ପାଳନ ଓ ପ୍ରାଣୀ ଚିକିତ୍ସା ନିର୍ଦ୍ଦେଶକ ଶ୍ରୀ ରନିାକର ରାଉତ ଏବଂ ମତ୍ସ୍ୟ ନିର୍ଦ୍ଦେଶକ ଡଃ ଏନ୍‌.ତିରୁମାଲା ନାୟକ ପ୍ରମୁଖ ‘ମୋ ସରକାର’ କାର୍ଯ୍ୟକ୍ରମରେ ବିଭିନ୍ନ ଦିଗ ସମ୍ପର୍କରେ ଆଲୋଚନା କରିଥିଲେ । ଏହି କାର୍ଯ୍ୟକ୍ରମରେ ସମସ୍ତ ଜିଲ୍ଲାର ସିଡିଭିଓ, ଜିଲ୍ଲା ମତ୍ସ୍ୟ ଅଧିକାରୀଙ୍କ ସମେତ ବିଭାଗୀୟ ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ ।

Spread the love