ଭାରତୀୟ ବଂଶୋଦ୍ଭବ ହେଲେ ବ୍ରିଟେନ୍‌ର ଅର୍ଥମନ୍ତ୍ରୀ

ଭାରତୀୟ ବଂଶୋଦ୍ଭବ ଅର୍ଥନୀତିଜ୍ଞଙ୍କୁ ବ୍ରିଟେନ୍‌ର ଅର୍ଥମନ୍ତ୍ରୀ ପଦ ମିଳିଛି। ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନ୍‌ସନ୍‌ ଆଜି ରିଶି ସୁନକଙ୍କୁ ତାଙ୍କ ମନ୍ତ୍ରିମଣ୍ଡଳରେ ଅର୍ଥମନ୍ତ୍ରୀ ଭାବେ ନିଯୁକ୍ତି ଦେଇଛନ୍ତି। ବୋରିଶଙ୍କ କ୍ୟାବିନେଟ୍‌ ଅଦଳବଦଳରେ ରିଶିଙ୍କୁ ଅର୍ଥଦାୟିତ୍ୱ ମିଳିବା ପୂର୍ବରୁ ହିଁ ଏହି ଦାୟିତ୍ୱରେ ଥିବା ସାଜିଦ୍‌ ଜାଭେଦ୍‌ ନିଜ ପଦରୁ ଇସ୍ତଫା ଦେଇଥିଲେ। ଜାଭେଦ ହେଉଛନ୍ତି ପାକିସ୍ତାନ ବଂଶୋଦ୍ଭବ। ପୂର୍ବରୁ ରିଶି ଏହି ପାକିସ୍ତାନୀ ବଂଶୋଦ୍ଭବଙ୍କ ଜୁନିୟର ଭାବେ କାର୍ଯ୍ୟ କରୁଥିଲେ। ରିଶି ସୁନକ ହେଉଛନ୍ତି ଇନଫୋସିସ୍‌ ପ୍ରତିଷ୍ଠାତା ତଥା ଭାରତର ବିଶିଷ୍ଟ ଶିଳ୍ପପତି ନାରାୟଣ ମୂର୍ତ୍ତୀଙ୍କ ଜ୍ୱାଇଁ। ବ୍ୟବସାୟିକ ପୃଷ୍ଠଭୂମିରୁ ଆସୁଥିବା ୩୯ ବର୍ଷୀୟ ରିଶି ସୁନକ ପୂର୍ବରୁ ବ୍ରିଟେନ୍‌ର ଟ୍ରେଜେରୀ ବିଭାଗର ମୁଖ୍ୟ ସଚିବ ଭାବେ ଦାୟିତ୍ୱ ତୁଲାଇ ସାରିଛନ୍ତି।

ବ୍ରିଟେନ୍‌ ରିଚ୍‌ମଣ୍ଡର ୟୋର୍କଶି ନିର୍ବାଚନ ମଣ୍ଡଳିରୁ ସାଂସଦ ହୋଇଥିବା ରିଶି ଶିଳ୍ପପତି ନାରାୟଣ ମୂର୍ତ୍ତୀ ଝିଅ ଅକ୍ଷତାଙ୍କୁ ବିବାହ କରିଛନ୍ତି। ସେ ପ୍ରଥମେ ୨୦୧୫ରେ ବ୍ରିଟେନ୍‌ ପାର୍ଲିଆମେଣ୍ଟକୁ ନିର୍ବାଚିତ ହୋଇଥିଲେ। କଞ୍ଜରଭେଟିଭ୍ ପାର୍ଟିର ଜଣେ ଟାଣୁଆ ସଦସ୍ୟ ଭାବେ ସେ ଜଣାଶୁଣା।

ରିଶି ବ୍ରିଟେନ୍‌ରେ ଜନ୍ମ ହୋଇଛନ୍ତି। ତାଙ୍କ ମା’ ଜଣେ ଫାର୍ମାଶିଷ୍ଟ ଓ ବାପା ବ୍ରିଟେନ୍‌ର ଜାତୀୟ ସ୍ୱାସ୍ଥ୍ୟ ସେବାରେ ସାଧାରଣ କର୍ମଚାରୀ ଭାବେ କାର୍ଯ୍ୟରତ ଅଛନ୍ତି। ସେ ଅକ୍ସଫୋର୍ଡ ୟୁନିଭର୍ସିଟି ଏବଂ ଷ୍ଟାଣ୍ଡଫର୍ଡରୁ ଗ୍ରାଜୁଏଟ୍‌ ହୋଇଛନ୍ତି।

ରିଶି ରାଜନୀତିକୁ ଆସିବା ପୂର୍ବରୁ ଏକ ବିଲିୟନ ପାଉଣ୍ଡ ଗ୍ଲୋବାଲ୍‌ ଇନ୍‌ଭେଷ୍ଟମେଣ୍ଟ ଫାର୍ମର ସହ-ସଂସ୍ଥାପକ ଥିଲେ। ଛୋଟ ଛୋଟ ବ୍ୟବସାୟରେ କିଭଳି ପୁଞ୍ଜିନିବେଶ କରି ହେବ ସେ କୌଶଳରେ ରିଶି ଖୁବ୍‌ ପ୍ରବୀଣ।

Spread the love