ବେଦ, ମନ୍ତ୍ର ଧ୍ୱନୀରେ ପ୍ରକମ୍ପିତ ହେଉଛି ମନ୍ଦିର: ବିଭିନ୍ନ ଦୁର୍ଲଭ ବେଶରେ ଦର୍ଶନ ଦେଉଛନ୍ତି ମାଆ କଟକ ଚଣ୍ଡୀ
କଟକ: ହଜାର ବର୍ଷର ପୁରୁଣା ସହର କଟକ । ଓଡିଶାର ପୁରୁଣା ରାଜଧାନୀ । କଳା ସଂସ୍କୃତିର ପ୍ରାଣ କେନ୍ଦ୍ର କଟକ ସହର । କଟକ ବାରବାଟୀ ଷ୍ଟାଡିୟମ ନିକଟସ୍ଥ ସୁଖ୍ୟାତ ସ୍ଥାନରେ ଆଚ୍ଛାଦିତ ମନ୍ଦିର ଭିତରେ ବିରାଜିତା ମାଆ କଟକ ଚଣ୍ଡୀ । ଉତ୍ତରରେ ମହାନଦୀ, ଦକ୍ଷିଣ ରେ କାଠଯୋଡି ପ୍ରବାହିତ ହୋଇ କଟକ ସହରର ସୌନ୍ଦର୍ଯ୍ୟକୁ ଦ୍ୱିଗୁଣିତ କରେ । ଏହାକୁ ସିଲଭର ସିଟିର ଆଖ୍ୟା ମଧ୍ୟ ଦିଆଯାଇଛି । ଓଡିଶାର କଟକ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ହେଲେ କଟକ ଚଣ୍ଡୀ । ଚଣ୍ଡୀ ଛକ ନାମରେ ସୁକ୍ଷାତ ସ୍ଥାନର ଅନତି ଦୂରରେ ପ୍ରାୟ ୩୦ଫୁଟ ଉଚ୍ଚତା ବିଶିଷ୍ଟ ଏକ ମାରବଲ ଆଚ୍ଛାଦିତ ମନ୍ଦିରରେ ବିରାଜିତ ମାଆ କଟକ ଚଣ୍ଡୀ । ଚର୍ତୁଭୁଜା, କଳା ରଙ୍ଗ ବିଶିଷ୍ଟ ମାଆ କଟକ ଚଣ୍ଡୀଙ୍କ ମୁଖ, ଗଳାରେ ବିଭିନ୍ନ ହାର ଧାରଣ କରି ଶୋଭାପାନ୍ତି ମାଆ ।
ମାଆ କଟକ ଚଣ୍ଡୀ ବ୍ରାହ୍ମଣ ପୂଜିତା ତନ୍ତ୍ର ଦେବୀ । ମାଆଙ୍କ ନିକଟରେ ଅଧିଆ ପଡି ବହୁ ଭକ୍ତ ମାନଙ୍କ ମନସ୍କାମନା ପୂରଣ ହେଉଛି । ବହୁ ସାଧକ ସିଦ୍ଧି ଲାଭ କରିଛନ୍ତି । ଏକାକ୍ଷରୀ ବିଜ ମନ୍ତ୍ରରେ ମାଆଙ୍କୁ ପୂଜା କରାଯାଇଥାଏ । ମାଆଙ୍କ ପାର୍ଶ୍ଵ ଦେବତା ଭାବେ ଦକ୍ଷିଣରେ ଶ୍ରୀ ଗଣେଷ, ପଶ୍ଚିମରେ ମନ୍ତିନି, ଉତ୍ତରରେ ଦଣ୍ଡିନୀ ପୂଜା ପାଉଛନ୍ତି । ମନ୍ଦିର ବେଢାରେ ମହାଦେବ,ଆଣ୍ଠୁଆଁ ଗୋପାଳ,ଶାଳଗ୍ରାମ,ଏବଂ ପ୍ରଭୁ ଶ୍ରୀରାମ ଓ ହନୁମାନ ପୂଜା ପାଉଛନ୍ତି । ସିଂହ ଦ୍ୱାରରେ ଗଜା ରୂଢ ସିଂହ ଦ୍ୱୟ ମନ୍ଦିରର ଶୋଭା ବର୍ଦ୍ଧନ କରୁଛନ୍ତି ।
ମାଆଙ୍କ ମନ୍ଦିରକୁ ନେଇ ଅନେକ କିମ୍ବଦନ୍ତି ରହିଛି । କୁହାଯାଏ ଯେ ମରହଟା ଶାସନ ପୂର୍ବରୁ ଦେବୀଙ୍କ ବିଗ୍ରହ ବାରବାଟୀ ଦୃର୍ଗ ପରିସର ଭିତରେ ପୂଜା ପାଉଥିଲା । ୧୫୬୮ରେ କଳା ପାହାଡ଼ ଆକ୍ରମଣ ଫଳରେ ଦେବୀ ସେଠାରୁ ଅପ୍ସିତ ହୋଇ ଦୁର୍ଗର ଦକ୍ଷିଣ ପାର୍ଶ୍ୱରେ ପୂଜା ପାଇଲେ । ଏବେ ତାହା ସର୍ବ ସାଧାରଣ ଦେବୀ ପୀଠ ରୂପେ ପ୍ରତିଷ୍ଠିତ ହୋଇଛି । ପ୍ରାଚୀନ କାଳରୁ କଟକ ଚଣ୍ଡୀଙ୍କର ନିକଟରେ ବଳି ପ୍ରଥା ଚଳି ଆସୁଥିଲା । ୧୯୮୫ ମସିହା ଅକ୍ଟୋବର ମାସରୁ ଏହି ମନ୍ଦିରରେ ବଳି ପ୍ରଥାକୁ ସବୁ ଦିନ ପାଇଁ ବନ୍ଦ କରିଦିଆଯାଇଛି ।
ମାଆଙ୍କ ଆର୍ବିଭାବ ବିଷୟରେ କୁହାଯାଏ ଯେ କନିକା ମହାରାଜାଙ୍କ ଚଣ୍ଡୀ ପୂଜକ ହଂସନାଦ ପଣ୍ଡା ପ୍ରଥମେ ମାଆଙ୍କୁ ଠାବ କରି ପୂଜା କାର୍ଯ୍ୟ ସମ୍ପାଦନ କରୁଥିଲେ । ମାଆଙ୍କ ମହିମା ତଥା ଭକ୍ତ ଜନଙ୍କ ବିଶ୍ୱାସ ଯୋଗୁଁ ରାଜ୍ୟର ଏକ ପ୍ରମୁଖ ଶକ୍ତି ପୀଠ ରୂପେ ସର୍ବଦା ସମ୍ମାନିତ ହୋଇ ଆସିଛି । ଏହି ଦିବ୍ୟ ପୀଠ ଓଡିଶାର ଗୁରୁତ୍ୱପୂର୍ଣ୍ଣ ତଥା ଜନଗହଳିପୂର୍ଣ୍ଣ ନଗରୀ କଟକରେ ବାସ କରୁଥିବା ଭକ୍ତ ଜନକ ସାମାଜିକ ଓ ଧାର୍ମିକ ଜୀବନକୁ ନିୟନ୍ତ୍ରଣ କରୁଥାଏ । ଏହି ପୀଠରେ ବର୍ଷ ତମାମ ଭକ୍ତଙ୍କ ସାମଗମ ସହିତ ବିଭିନ୍ନ ପର୍ବ ପର୍ବାଣୀ ଲାଗିରହିଥାଏ । ତେବେ ଦଶହରା ସମୟରେ ମାଆ କଟକ ଚଣ୍ଡୀଙ୍କ ଶୋଡ଼ଷ ଉପଚାର ନୀତି ଅନ୍ୟତମ । ଏହି ସମୟରେ ମାଆ ବିଭିନ୍ନ ବେଶରେ ଭକ୍ତ ମାନଙ୍କୁ ଦର୍ଶନ ଦିଅନ୍ତି । ମାଆଙ୍କୁ ଦେଖିବା ପାଇଁ କାହିଁ କେତେ ବାଟରୁ ଭକ୍ତ ମାନେ ଧାଇଁ ଆସିଥାନ୍ତି ।
କଟକ ଏଭଳି ଏକ ସହର ଯେଉଁଠି ହିନ୍ଦୁ, ମୁସଲମାନ, ଖ୍ରୀଷ୍ଟିଆନ, ଶିଖ ଓ ଅନ୍ୟ ସମ୍ପ୍ରଦାୟର ଲୋକ ମାନେ ସଭିଏଁ ଏକାଠି ହୋଇ ଭାଇଚାରକୁ ବଜାଇ ରଖିଛନ୍ତି । ଆଜି ମଧ୍ୟ ୫୨ ବଜାର ୫୩ ଗଳିର ସହର ଭିତରେ ଏବେ ମଧ୍ୟ ବଞ୍ଚି ରହିଛି ସେହି ଆତ୍ମୀୟତା ଓ ସେହି ଭାଇଚାରା । ମାଆଙ୍କୁ ନେଉ ଏଠି ଭକ୍ତଙ୍କର ଅନେକ ଅନୁଭୁତି । ସେହି ଅନୁଭୁତିର କଥା କହି ଭାବବିହ୍ୱଳ ହୁଏ ଭକ୍ତ ।