୧୨ ଦିନିଆ ରିମାଣ୍ଡରେ ଗଲେ ମ୍ୟାଚ ଫିକ୍ସର ସଞ୍ଜୀବ ଚାୱଲା

କ୍ରିକେଟ ଭଳି ଜେଣ୍ଟିଲମ୍ୟାନ୍‌ଙ୍କ ଗେମ୍‌ରେ ୨୦ ବର୍ଷ ତଳେ ଫିକ୍ସିଂର ଦାଗ ଲଗାଇବା ଘଟଣାର ମାଷ୍ଟରମାଇଣ୍ଡ ସଞ୍ଜୀବ ଚାଓ୍ୱଲାଙ୍କୁ ଦିଲ୍ଲୀ କ୍ରାଇମବ୍ରାଞ୍ଚ ବ୍ରିଟେନରୁ ଦିଲ୍ଲୀ ଆଣିଛି। ଏହାପରେ ତାଙ୍କୁ ଦିଲ୍ଲୀ ପୁଲିସ୍‌ ୧୨ ଦିନିଆ ରିମାଣ୍ଡରେ ନେଇଛି।ଆଜି ତାଙ୍କୁ କ୍ରାଇମବ୍ରାଞ୍ଚର ଏକ ଟିମ୍ ବ୍ରିଟେନରୁ ଧରି ଦିନ ୧୧ଟା ବେଳେ ଦିଲ୍ଲୀରେ ପହଞ୍ଚିଥିଲା। ଦିନ ତମାମ ଜେରା କରିବା ପରେ ସନ୍ଧ୍ୟାରେ ତାଙ୍କୁ ଆଡସିନାଲ ଚିଫ୍‌ ମେଟ୍ରୋପଲିଟାଣ୍ଟ ମାଜିଷ୍ଟ୍ରେଟ ସୁଧୀର କୁମାରଙ୍କ ଆଗରେ ହାଜର କରାଯାଇଥିଲା।

ଏହି ସମୟରେ ପୁଲିସ୍‌ ତାଙ୍କୁ ୧୪ ଦିନ ପାଇଁ ହେପାଜତକୁ ନେବାକୁ ଆବେଦନ କରିଥିଲା। ହେଲେ ମାଜିଷ୍ଟ୍ରେଟ କେବଳ ୧୨ ଦିନିଆ ରିମାଣ୍ଡ ପାଇଁ ଅନୁମତି ଦେଇଛନ୍ତି। ସଞ୍ଜୀବ ୫ରୁ ଅଧିକ ମ୍ୟାଚ୍‌ରେ ଫିକ୍ସିଂ କରିଥିବା ପୁଲିସ୍‌ କୋର୍ଟଙ୍କୁ ଜଣାଇଛି।

ଅନ୍ୟପକ୍ଷରେ ଭାରତ ଓ ବ୍ରିଟେନ ମଧ୍ୟରେ ୧୯୯୨ରେ ହୋଇଥିବା ପ୍ରତ୍ୟାର୍ପଣ ଚୁକ୍ତି ଅନୁଯାୟୀ ପ୍ରଥମ ଥର ପାଇଁ ଜଣେ ଅଭିଯୁକ୍ତଙ୍କୁ ସ୍ୱଦେଶ ଆଣିବାରେ ସଫଳ ହୋଇଛି। ୨୦୦୦ ମସିହାରେ ଦକ୍ଷିଣ ଆଫ୍ରିକା ଟିମର ଅଧିନାୟକ ହାନସି କ୍ରୋନିଏ ମ୍ୟାଚ ଫିକ୍ସିଂ କରିଥିବାର ପ୍ରମାଣ ମିଳିଥିଲା। ଏହି ମାମଲାର ତଦନ୍ତ କରୁଥିବା ଦିଲ୍ଲୀର ପୂର୍ବତନ ପୁଲିସ କମିଶନର କେକେ ପାଲଙ୍କ ଅନୁସାରେ ମ୍ୟାଚ ଫିକ୍ସିଂ ଘଟଣାରେ ଚାଓ୍ୱଲା ଓ ହାନସି ପରସ୍ପର ସହ ସବୁବେଳେ ଯୋଗାଯୋଗ କରୁଥିଲେ। ହେଲେ ୨୦୦୦ ମସିହାରେ ହାନସିଙ୍କର ବିମାନ ଦୁର୍ଘଟଣାରେ ମୃତ୍ୟୁ ଘଟିଥିଲା।

୨୦୦୦ ମସିହାରେ ଯେତେବେଳେ ମ୍ୟାଚ ଫିକ୍ସିଂ ଘଟଣାର ଖୁଲାସା ହୋଇଥିଲା ସେତେବେଳେ ସଞ୍ଜୀବ ଇଂଲଣ୍ଡରେ ଥିଲେ। ୧୯୯୬ରୁ ସଞ୍ଜୀବ ଇଂଲଣ୍ଡ ପଳାଇଥିଲେ। ହେଲେ ୨୦୧୬ରେ କେନ୍ଦ୍ର ସରକାର ତାଙ୍କୁ ଭାରତ ଆଣିବା ପାଇଁ ଚେଷ୍ଟା ଆରମ୍ଭ କରିଥିଲେ। ୨୦୦୦ ମସିହାରେ ଦିଲ୍ଲୀ କ୍ରାଇମବ୍ରାଞ୍ଚ ମ୍ୟାଚ ଫିକ୍ସିଂ ବାବଦରେ ଖୁଲାସା କରିଥିଲା। ଏହାର ୧୩ ବର୍ଷ ପରେ ୨୦୧୩ରେ ସଞ୍ଜୀବ ଚାଓ୍ୱଲାଙ୍କ ବିରୋଧରେ ଚାର୍ଜଶିଟ୍ ଦାଖଲ ହୋଇଥିଲା। ଫୋନ୍ ରେକର୍ଡିଂକୁ ପ୍ରମାଣ ଭାବେ ଗ୍ରହଣ କରି ଦିଲ୍ଲୀ କ୍ରାଇମବ୍ରାଞ୍ଚ ସଞ୍ଜୀବ ବିରୋଧରେ ମାମଲା ରୁଜୁ କରିଥିଲା।ଚାଓ୍ୱଲା ୧୫, ୦୦୦ ଡଲାର ମ୍ୟାଚ ଫିକ୍ସିଂ ପାଇଁ ଲାଞ୍ଚ ଦେଇଥିବା ମଧ୍ୟ ଅଭିଯୋଗ ହୋଇଥିଲା। ଏମିତିକି ଚାଓ୍ୱଲା ହାନସିଙ୍କୁ ମଧ୍ୟ ଫୋନ୍ କରି ଧମକ ଦେଇଥିବାର ପ୍ରମାଣ ରହିଛି। ଏବେ ଚାଓ୍ୱଲା ଯଦି ମ୍ୟାଚ ଫିକ୍ସିଂ ମାମଲାରେ ଦୋଷୀ ସାବ୍ୟସ୍ତ ହେବେ ତାହେଲେ ତାଙ୍କୁ ୭ ବର୍ଷ ଜେଲଦଣ୍ଡା ଭୋଗିବାକୁ ହେବ।
Spread the love