ସ୍ଥାନାନ୍ତର ହେଲେ ୧.୭୧ଲକ୍ଷ ଲୋକ
ବାଲେଶ୍ୱର/ଭଦ୍ରକ: ଉତ୍ତର ଓଡ଼ିଶାର ଦୁଇ ଜିଲ୍ଲା ବାଲେଶ୍ବର, ଭଦ୍ରକରେ ବାତ୍ୟା ‘ଦାନା’ର ପ୍ରଭାବ ଅନୁଭୂତ ହୋଇଛି। ଦିନତମାମ ତୁହାକୁତୁହା ବର୍ଷା ଲାଗିରହିଥିବା ବେଳେ ପବନର ବେଗ ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି। ଏପରିସ୍ଥଳେ ଉଭୟ ଜିଲ୍ଲାରେ ଲୋକଙ୍କୁ ସୁରକ୍ଷିତ ଭାବେ ସ୍ଥାନାନ୍ତର କରାଯାଇଛି। ବାଲେଶ୍ବର ଜିଲ୍ଲାରେ ୧ ଲକ୍ଷ ୩୪ ହଜାର ଏବଂ ଭଦ୍ରକ ଜିଲ୍ଲାରେ ୩୭ହଜାରରୁ ଊର୍ଦ୍ଧ୍ବ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି। ଦୁଇ ଜିଲ୍ଲାରେ ମୋଟ୍ ୧ଲକ୍ଷ ୭୧ହଜାର ଲୋକଙ୍କୁ ସ୍ଥାନାନ୍ତର କରାଯାଇଥିବା ଜଣାପଡ଼ିଛି। ଆଜି ସକାଳୁ ବାଲେଶ୍ବର ଜିଲ୍ଲାର ବିଭିନ୍ନ ବ୍ଳକ୍ରେ ବାତ୍ୟାର ପ୍ରଭାବ ଦେଖିବାକୁ ମିଳିଥିଲା। ପ୍ରାୟତଃ ସବୁ ସ୍ଥାନରେ ବର୍ଷାହେବା ସହିତ ପବନର ବେଗ ବଢ଼ିଥିଲା। ଚାନ୍ଦିପୁରଠାରେ ସମୁଦ୍ରରେ ଉଚ୍ଚ ଜୁଆର ଦେଖିବାକୁ ମିଳିଥିବା ବେଳେ କ୍ରମଶଃ ଏହା ସ୍ଥଳଭାଗ ଆଡ଼କୁ ମୁହାଁଇଥିଲା। ସେହିଭଳି ଭୋଗରାଇର ତାଳସାରୀଠାରେ ସମୁଦ୍ର ଅଶାନ୍ତ ହୋଇଉଠିଛି।
ଏହାକୁ ଦୃଷ୍ଟିରେ ରଖି ବାଲେଶ୍ବର ଜିଲ୍ଲା ପ୍ରଶାସନ ପକ୍ଷରୁ ଉପକୂଳ ଅଞ୍ଚଳରେ ଲୋକଙ୍କୁ ସ୍ଥାନାନ୍ତର ଏବଂ ଉଦ୍ଧାର କାର୍ଯ୍ୟକୁ ଯୁଦ୍ଧକାଳୀନ ଭିତ୍ତିରେ ଆଗେଇ ନିଆଯାଇଛି। ଅପରାହ୍ନ ୪ଟା ସୁଦ୍ଧା ପୂରା ଜିଲ୍ଲାରେ ୭୦ ହଜାର ଲୋକଙ୍କୁ ଆଶ୍ରୟସ୍ଥଳୀ ତଥା ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ସନ୍ଧ୍ୟା ସୁଦ୍ଧା ୧ ଲକ୍ଷ ୩୪ ହଜାର ଲୋକଙ୍କୁ ସ୍ଥାନାନ୍ତର କରାଯାଇଥିବା ଜଣାପଡ଼ିଛି। ସ୍ଥାନାନ୍ତର ଓ ଉଦ୍ଧାର କାର୍ଯ୍ୟରେ ପୁଲିସ, ପ୍ରଶାସନ, ଓଡ୍ରାଫ୍ ଓ ଏନ୍ଡିଆର୍ଏଫ୍ ଟିମ୍ ନିୟୋଜିତ ହୋଇଥିଲେ।
ଅନ୍ୟପକ୍ଷରେ ‘ଶୂନ୍ୟ ମୃତାହତ’ ପାଇଁ ନିଆଯାଇଥିବା ସରକାରୀ ପଦକ୍ଷେପକୁ ତଦାରଖ ଲାଗି ବାଲେଶ୍ୱର ଦାୟିତ୍ୱରେ ଥିବା ପଞ୍ଚାୟତିରାଜ ଏବଂ ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ ବିଭାଗ ମନ୍ତ୍ରୀ ରବି ନାଏକ ଆଜି ସକାଳେ ବାଲେଶ୍ୱର ସଦର, ଭୋଗରାଇ, ବସ୍ତା ଏବଂ ବାଲିଆପାଳ ଅଞ୍ଚଳକୁ ସ୍ଥାନୀୟ ବିଧାୟକଙ୍କ ସହ ପରିଦର୍ଶନ କରିଛନ୍ତି। ସେଠାରେ ବିଭିନ୍ନ ବାତ୍ୟା ଆଶ୍ରୟସ୍ଥଳୀ ଯାଇ ଆଶ୍ରୟ ନେଇଥିବା ଲୋକଙ୍କୁ ଭେଟି ସେମାନଙ୍କ ସୁବିଧା ଅସୁବିଧା ପଚାରି ବୁଝିଛନ୍ତି। ସେପଟେ ବରିଷ୍ଠ ଆଇଏଏସ୍ ତଥା ବାଲେଶ୍ୱରର ପୂର୍ବତନ ଜିଲ୍ଲାପାଳ କେ ସୁଦର୍ଶନ ଚକ୍ରବର୍ତ୍ତୀ ମଧ୍ୟ ଜିଲ୍ଲା ପ୍ରଶାସନର ବାତ୍ୟା ମୁକାବିଲା ପ୍ରସ୍ତୁତି ଉପରେ ବାରମ୍ବାର ସମୀକ୍ଷା କରି ବରିଷ୍ଠ ଅଧିକାରୀମାନଙ୍କୁ ପରାମର୍ଶ ପ୍ରଦାନ କରୁଛନ୍ତି। ଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୂର ବିକାଶ ଆଜି ଜିଲ୍ଲା ଜରୁରୀକାଳୀନ ନିୟନ୍ତ୍ରଣ କକ୍ଷର ପୁଙ୍ଖାନୁପୁଙ୍ଖ ଅନୁଧ୍ୟାନ କରି ସମ୍ଭାବ୍ୟ ବାତ୍ୟା ପୂର୍ବରୁ ୨୪ ଘଣ୍ଟିଆ କାର୍ଯ୍ୟ ପ୍ରସ୍ତୁତିର ସମୀକ୍ଷା କରିଛନ୍ତି। ସମସ୍ତ ଜରୁରୀକାଳୀନ ଯୋଗାଯୋଗ ଏବଂ ତଦାରଖ ବ୍ୟବସ୍ଥା କାର୍ଯ୍ୟକ୍ଷମ ରହିଛି। ବିପର୍ଯ୍ୟୟ ମୁକାବିଲା ପାଇଁ ନିୟୋଜିତ ଟିମ୍ ପ୍ରସ୍ତୁତ ରହିଛନ୍ତି।
ଅନ୍ୟପକ୍ଷରେ, ଭଦ୍ରକ ଜିଲ୍ଲାରେ ବୁଧବାରଠାରୁ ସ୍ଥାନାନ୍ତର ପ୍ରକ୍ରିୟାକୁ ତ୍ବରାନ୍ବିତ କରାଯାଇଥିବା ବେଳେ ଗୁରୁବାର ସକାଳୁ ଏହାକୁ ବ୍ୟାପକ କରାଯାଇଛି। ଜିଲ୍ଲାରେ ୭୦୩ଟି ଆଶ୍ରୟସ୍ଥଳୀ କାର୍ଯ୍ୟକ୍ଷମ କରାଯାଇଛି। ପ୍ରଶାସନ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ, ଗୁରୁବାର ସୁଦ୍ଧା ଜିଲ୍ଲାର ବିପଦପୂର୍ଣ୍ଣ ଅଞ୍ଚଳଗୁଡ଼ିକରୁ ମୋଟ ୩୭,୦୭୦ ଜଣଙ୍କୁ ସ୍ଥାନାନ୍ତର କରାଯାଇଥିବା ବେଳେ ଏହି ପ୍ରକ୍ରିୟା ଜାରି ରହିଛି। ଉଚ୍ଚଶିକ୍ଷା ମନ୍ତ୍ରୀ ସୂରଜ ସୂର୍ଯ୍ୟବଂଶୀ, ଭଦ୍ରକ ଜିଲ୍ଲା ଦାୟିତ୍ବରେ ଆସିଥିବା ବରିଷ୍ଠ ଆଇଏଏସ୍ ଅଧିକାରୀ ତ୍ରିଲୋଚନ ମାଝୀ, ଜିଲ୍ଲାପାଳ ଦିଲୀପ ରାଉତରାଏ ବିଭିନ୍ନ ବାତ୍ୟା ଆଶ୍ରୟସ୍ଥଳୀ ପରିଦର୍ଶନ କରି ସ୍ଥିତି ପରଖିଛନ୍ତି। ଲୋକଙ୍କ ସହ ଆଲୋଚନା କରି ଭୟଭୀତ ନ ହେବାକୁ ବୁଝାଇଛନ୍ତି। ତା ସହିତ ତଳି ଅଞ୍ଚଳକୁ ଖାଲି କରି ଆଶ୍ରୟସ୍ଥଳୀକୁ ଯିବା ପାଇଁ ଡାକବାଜି ଯନ୍ତ୍ର ସାହାଯ୍ୟରେ ମଧ୍ୟ ପ୍ରଶାସନ ପକ୍ଷରୁ ପ୍ରଚାର କରାଯାଉଛି।