ଶକ୍ତିପୀଠ କାଳୀ ଘାଟକୁ ଶ୍ରଦ୍ଧାଳୁଙ୍କ ସୁଅ ଛୁଟୁଛି, ସୃଷ୍ଟି ହୋଇଛି ସ୍ବତନ୍ତ୍ର ଭକ୍ତିମୟ ପରିବେଶ

ଦିନକ ପରେ କାଳୀ ପୂଜା । ଏହି ଅବସରରେ କୋଲକାତାର ଶକ୍ତିପୀଠ କାଳୀ ଘାଟକୁ ଶ୍ରଦ୍ଧାଳୁଙ୍କ ସୁଅ ଛୁଟୁଛି । ସମ୍ପ୍ରତି ଶକ୍ତିପୀଠ କାଳୀଘାଟର ଆଧୁନୀକିକରଣ କରାଯାଇଛି । ମନ୍ଦିର ସମ୍ମୁଖ ଭାଗକୁ ନୂତନ ରୂପ ଦିଆଯିବା ସହ ଭୋଗ ଦୋକାନ ଗୁଡ଼ିକୁ ମଧ୍ୟ ଉନ୍ନତ କରାଯାଇଛି । ଯାହା ଦ୍ବାରା ଏକ ସ୍ବତନ୍ତ୍ର ଭକ୍ତିମୟ ପରିବେଶ କାଳୀ ଘାଟରେ ସୃଷ୍ଟି ହୋଇଥିବା ପରିଲକ୍ଷିତ ହେଉଛି । ତେବେ ଆସନ୍ତୁ କାଳିଘାଟ ସମନ୍ଧରେ ଅଧିକ ଜାଣିବା ।

ଏକାବନ ପୀଠର ଅନ୍ୟତମ ଶକ୍ତି ପୀଠ ହେଉଛି କାଳୀଘାଟ । ସତୀଙ୍କ ଦକ୍ଷିଣ ଚରଣର କାଣି ଆଙ୍ଗୁଠି ଏଠାରେ ପତିତ ହୋଇଥିବାରୁ ଭକ୍ତଙ୍କ ହୃଦୟରେ ଦକ୍ଷିଣ କାଳୀ ବୋଲି ଏହି ପୀଠ ବିଶେଷ ମର୍ଯ୍ୟାଦା ବହନ କରେ । ମାଆଙ୍କ ପୂଜିତ ବିଗ୍ରହ ମଧ୍ୟରେ ତାଙ୍କ ଦକ୍ଷିଣ ଚରଣ ପାଷାଣ ରୂପରେ ସ୍ଥାନିତ ରହିଛି । ଯାହାକୁ ଭକ୍ତମାନେ ସ୍ପର୍ଶ କରି ବିଶେଷ ଆଶୀର୍ବାଦର ଅନୁଭୂତି ଲାଭ କରିଥାନ୍ତି ।

ସାମ୍ୟ ଶାନ୍ତି ଓ ଅନୁପ୍ରେରଣାର ସ୍ଥଳୀ କାଳୀ ଘାଟ । ମାଆଙ୍କୁ ଦର୍ଶନ କଲେ ବାଧା ବିଘ୍ନ ଦୁଃଖ କଷ୍ଟ ଦୂର ହୁଏ ବୋଲି ପ୍ରତ୍ୟେକଙ୍କ ଧାରଣା ରହିଛି । ମାଆଙ୍କ ଗର୍ଭ ଗୃହକୁ ପ୍ରବେଶ କଲେ ନିଜ ହୃଦୟରେ ସ୍ଵତନ୍ତ୍ର ଶକ୍ତି ଜାତ ହୋଇଥାଏ । ଯାହାକୁ କେବଳ ଜଣେ ଭକ୍ତ ହିଁ ଅନୁଭବ କରିପାରିବ । କାଳୀ ଘାଟ ମନ୍ଦିରରେ ମାଆଙ୍କ ପ୍ରିୟ ପ୍ରସାଦ ପେଡା ଓ କ୍ଷୀରୀ ହୋଇଥିବା ବେଳେ ମନ୍ଦାର ମାଳାରେ ସେ ସଦା ସର୍ବଦା ଭୂଷିତା ହୋଇଥାନ୍ତି । ମାଆ କାଳୀ ନିରାମିଶାସୀ କିନ୍ତୁ ତାଙ୍କ ଚାମୁଣ୍ଡାଙ୍କ ପାଇଁ ପ୍ରତିଦିନ ଶହ ଶହ ଛାଗ ବଳି ଦିଆଯାଇଥାଏ । ତେବେ ଏହା ଉପରେ ସମ୍ପ୍ରତି ନିୟନ୍ତ୍ରଣ ଆସିଛି । କୁହାଯାଏ ଯେ ଏଭଳି ନକଲେ ହିଂସ୍ର ପରିବେଶ ସୃଷ୍ଟି ହୁଏ ।

ମନ୍ଦିର ନିକଟରେ ରହିଛି କୁଣ୍ଡ ପୋଖରୀ । ଯେଉଁ ପୋଖରୀର ପାଣି ମାଙ୍କ ରୋଷଶାଳାରେ ବ୍ୟବହାର ହୋଇଥାଏ । ଏହି ଜଳ ଅତ୍ୟନ୍ତ ପବିତ୍ର ବୋଲି ଶ୍ରଦ୍ଧାଳୁମାନେ ମନେ କରନ୍ତି । ସମ୍ପ୍ରତି ଏହି ପୋଖରୀ ନୂଆ ରୂପ ପାଇଛି । କାଳୀ ମନ୍ଦିର ନିକଟରେ ରହିଛି ଶିବଙ୍କ ମନ୍ଦିର । ବାବା ଓ ମାଆଙ୍କ ମନ୍ଦିର ଭାବେ ଅନେକ ଏହାକୁ ଆଖ୍ୟା ଦେଇଛନ୍ତି । ଏହି ମନ୍ଦିର ନକୁଲେଶ୍ୱର୍ ମନ୍ଦିର ନାମରେ ପରିଚିତ ।

କାଳୀ ମନ୍ଦିରରେ ହଜାର ହଜାର ଓଡ଼ିଆ ପୂଜକ ଥିଲେ କିନ୍ତୁ ପାରିପାର୍ଶ୍ବିକ କାରଣରୁ ଏହି ସଂଖ୍ୟା ଯଥେଷ୍ଟ ହ୍ରାସ ପାଇଛି । ତେବେ ଅଧିକାଂଶ ଶ୍ରଦ୍ଧାଳୁଙ୍କ ଭରଷା ଓଡ଼ିଆ ପୂଜକଙ୍କ ଉପରେ ରହିଥାଏ । କାଳୀ ଘାଟ ମନ୍ଦିର ସମ୍ପ୍ରତି ନୂଆ ରୂପ ପାଇଛି । ମାଆଙ୍କ ହାତ ଜିହ୍ୱା , ଖଣ୍ଡା ସ୍ଵର୍ଣ୍ଣରେ ନିର୍ମାଣ ହୋଇଛି । ମନ୍ଦିର ଚୁଡ଼ାରେ ସୁନା ତିଆରି ସ୍ମାରକୀ ସ୍ଥାନ ପାଉଛି । ଏହା ସହିତ କାଳୀ ମନ୍ଦିରକୁ ଆସିବା ପାଇଁ ସ୍କାଇ ୱାକ ନିର୍ମାଣ ହୋଇ ଉଦଘାଟନ ଅପେକ୍ଷାରେ ରହିଛି ।

Spread the love