ଦିଲ୍ଲୀ ବାୟୁ ପ୍ରଦୂଷଣ ସାଂଘାତିକ: ୧୧ଟି ବିମାନର ଗତିପଥ ପରିବର୍ତ୍ତନ

ନୂଆଦିଲ୍ଲୀ: ନୂଆଦିଲ୍ଲୀର ବାୟୁ ପ୍ରଦୂଷଣ ସ୍ତର ସୋମବାର ‘ସିଭିୟର ପ୍ଲସ୍’ (ଅତି ଗୁରୁତର) ଶ୍ରେଣୀରେ ପହଞ୍ଚିଥିବା ବେଳେ ୨୪ ଘଣ୍ଟାର ହାରାହାରି ବାୟୁ ଗୁଣବତ୍ତା ସୂଚକାଙ୍କ (ଏକ୍ୟୁଆଇ) ୪୮୬ରେ ପହଞ୍ଚିଛି, ଯାହା କି ଋତୁର ସବୁଠାରୁ ଖରାପ। ପ୍ରଦୂଷଣନିରୋଧୀ କଠୋର ପଦକ୍ଷେପ କାର୍ଯ୍ୟକାରୀ ହେବା ପରେ ଦଶମରୁ ଦ୍ୱାଦଶ ଶ୍ରେଣୀ ବ୍ୟତୀତ ଅନ୍ୟ ସମସ୍ତ ଶ୍ରେଣୀରେ ଅନ୍‌ଲାଇନ୍‌ରେ ପାଠପଢ଼ା ଆରମ୍ଭ ହୋଇଛି। ପ୍ରଦୂଷଣକାରୀ ଗାଡ଼ି ଓ କାର୍ଯ୍ୟକଳାପ ଉପରେ କଡ଼ା କଟକଣା ଜାରି କରାଯାଇଛି। ସହରରେ ଘନ କୁହୁଡ଼ି ଯୋଗୁଁ ଭାରତୀୟ ପାଣିପାଗ ବିଭାଗ ଅରେଞ୍ଜ ଆଲର୍ଟ ଜାରି କରିଛି। ଘନ କୁହୁଡ଼ି ଓ ଦୃଶ୍ୟମାନତା ହ୍ରାସ ଯୋଗୁ ଅନେକ ବିମାନ ଓ ଟ୍ରେନ୍ ଚଳାଚଳ ବାଧାପ୍ରାପ୍ତ ଓ ବିଳମ୍ବିତ ହୋଇଛି। ଦିଲ୍ଲୀ ବିମାନବନ୍ଦରରେ ୧୧ଟି ବିମାନର ଗତିପଥ ପରିବର୍ତ୍ତନ କରାଯାଇଛି.

ଦିଲ୍ଲୀର ୩୯ଟି ମନିଟରିଂ ଷ୍ଟେସନ ମଧ୍ୟରୁ ଅଧିକାଂଶରେ ବାୟୁଗୁଣବତ୍ତା ‘ସିଭିୟର ପ୍ଲସ୍’ ବର୍ଗ (୪୫୦+)ରେ ଥିବାରୁ ପୂର୍ବାହ୍ଣ ୧୦ଟା ସୁଦ୍ଧା ସାମଗ୍ରିକ ବାୟୁ ଗୁଣବତ୍ତା ସୂଚକାଙ୍କ (ଏକ୍ୟୁଆଇ) ୪୮୬କୁ ବୃଦ୍ଧି ପାଇଛି। ଦ୍ୱାରକା ଓ ନଜଫଗଡ଼ରେ ସର୍ବାଧିକ ଏକ୍ୟୁଆଇ ସ୍ତର ୫୦୦ ରେକର୍ଡ କରାଯାଇଛି। ନଏଡାରେ ବାୟୁର ଗୁଣବତ୍ତା ଅତ୍ୟନ୍ତ ଖରାପ ଥିବା ବେଳେ ସଦ୍ୟତମ ଏକ୍ୟୁଆଇ ୩୮୪ ରହିଛି। ଗାଜିଆବାଦ ଓ ଗୁରୁଗ୍ରାମରେ ବାୟୁ ପ୍ରଦୂଷଣ ସ୍ତର ‘ଗୁରୁତର’ ଥିବା ବେଳେ ଏକ୍ୟୁଆଇ ଯଥାକ୍ରମେ ୪୦୦ ଓ ୪୪୬ ରହିଛି। ଘନ କୁହୁଡ଼ି ଯୋଗୁଁ ଦୃଶ୍ୟମାନତା ଗୁରୁତର ଭାବେ ହ୍ରାସ ପାଇଛି ଏବଂ ଅତି କମ୍‌ରେ ୮୦ଟି ବିମାନ ଚଳାଚଳ ବାଧାପ୍ରାପ୍ତ ହୋଇଛି। ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରରେ ୩୦ ମିନିଟ୍‌ରୁ ଏକ ଘଣ୍ଟା ପର୍ଯ୍ୟନ୍ତ ବିମାନ ଚଳାଚଳରେ ବିଳମ୍ବ ହୋଇଛି ଏବଂ ୧୧ଟି ବିମାନର ଗତିପଥ ପରିବର୍ତ୍ତନ କରାଯାଇଛି।

ସରକାରଙ୍କ ନିର୍ଦ୍ଦେଶ କ୍ରମେ ସୋମବାରଠାରୁ ନବମ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ସ୍କୁଲରେ ଅନ୍‌ଲାଇନ୍ ପାଠପଢ଼ା ଆରମ୍ଭ ହୋଇଛି। ଦଶମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ସେମାନଙ୍କ ନିୟମିତ କାର୍ଯ୍ୟସୂଚୀ ଜାରି ରହିବ। ଭାରତୀୟ ରେଳବାଇ ଅନୁଯାୟୀ, କମ୍ ଭିଜିବିଲିଟି କାରଣରୁ ପ୍ରାୟ ୩୦ଟି ଟ୍ରେନ୍ ଚଳାଚଳ ୩ରୁ ୪ ଘଣ୍ଟା ପର୍ଯ୍ୟନ୍ତ ବିଳମ୍ବିତ ହୋଇଛି। ତେବେ ସ୍ବିସ୍ ଏୟାର ଟେକ୍ନୋଲୋଜି କମ୍ପାନି ଆଇକ୍ୟୁଏୟାର ଅନୁଯାୟୀ, ଆଜି ସକାଳ ୧୦ଟାରେ ଦିଲ୍ଲୀର ସମସ୍ତ ମନଟରିଂ ଷ୍ଟେସନରେ ଏକ୍ୟୁଆଇ ୧୩୦୦ରୁ ୧୬୦୦ ମଧ୍ୟରେ(ବିପଜ୍ଜନକ ବର୍ଗ)ରେ ଥିବା କୁହାଯାଇଛି। ମୁଣ୍ଡକାରେ ଏକ୍ୟୁଆଇ ସର୍ବାଧିକ ୧୫୯୧ ରହିଛି। ଦିଲ୍ଲୀ ଉପରାଜ୍ୟପାଳ ଭିକେ ସାକ୍‌ସେନା ଦିଲ୍ଲୀର ସରକାରୀ କାର୍ଯ୍ୟାଳୟଗୁଡ଼ିକର କାର୍ଯ୍ୟ ନିର୍ଘଣ୍ଟ ସମୟ ଭିନ୍ନ ଭିନ୍ନ ରହିବା ନେଇ ଘୋଷଣା କରିଛନ୍ତି। ଏମ୍‌ସିଡି କାର୍ଯ୍ୟାଳୟଗୁଡ଼ିକ ସକାଳ ୮ଟା ୩୦ରୁ ଅପରାହ୍ଣ ୫ଟା ପର୍ଯ୍ୟନ୍ତ ଚାଲିବ।

Spread the love

Leave a Reply

Your email address will not be published. Required fields are marked *