ନମସ୍ତେ କମଳା ମାଗୋ ସାଗର ଦୁଲ୍ଲଣୀ, ନମସ୍ତେ ନମସ୍ତେ ଲକ୍ଷ୍ମୀ ବିଷ୍ଣୁଙ୍କ ଘରଣୀ
ଧାର୍ମିକ ଶାସ୍ତ୍ର ଅନୁସାରେ, ଗୁରୁବାର ଦେବଗୁରୁ ବୃହସ୍ପତିଙ୍କୁ ଆରାଧ୍ୟା କରାଯିବା ସହ ଧନର ମା’ ଲକ୍ଷ୍ମୀଙ୍କୁ ପୂଜାର୍ଚ୍ଚନା କରାଯାଇଥାଏ । ଜ୍ୟୋତିଷ ଶାସ୍ତ୍ରରେ ବୃହସ୍ପତିଙ୍କୁ ସାଧୁ ସନ୍ଥଙ୍କ ଦେବତା ବୋଲି କୁହାଯାଇଥିବା ବେଳେ ଲକ୍ଷ୍ମୀଙ୍କୁ ଧନ ଏବଂ ସମୃଦ୍ଧିର ଦେବୀ କୁହାଯାଇଥାଏ। ତେବେ ଆପଣ ଜାଣିଛନ୍ତି ଗୁରୁବାର କିଛି ନିର୍ଦ୍ଧିଷ୍ଟ କାମ ରହିଛି ଯାହାକୁ କରିବା ଦ୍ୱାରା ଆପଣ ଲକ୍ଷ୍ମୀଛଡ଼ା ହୋଇଥାନ୍ତି।
ଓଡିଶା ହେଉଛି ଜାଗନ୍ନାଥଙ୍କ ରାଜ୍ୟ ବାର ମାସରେ ତେର ପର୍ବ ପାଳନ କରିଥାନ୍ତି ଓଡିଶାବାସୀ । ଆଉ ସେଥିରୁ ଅନ୍ୟତମ ହେଉଛି ମାର୍ଗଶୀର ମାସ ମାଣବସା ଗୁରୁବାର । ଆରମ୍ଭ ହେଇଯାଇଛି ମଗୁସୁର ମାସ । ଏହି ମାସର ସବୁ ଗୁରୁବାର ପାଳନ ହେବ ମାଣବସା । ଧନଦାତ୍ରୀ ମା ଲକ୍ଷ୍ମୀଙ୍କୁ ମାର୍ଗଶିର ମାସ ଗୁରବାର ଦିନ ସଧବା ନାରୀ ମାନେ ଅଗଣାରେ ରଙ୍ଗବିରଙ୍ଗ ଝୋଟି ପକାଇ ନୂଆ ଲୁଗା ପରିଧାନ କରି ଘରେ ଧାନ ଖଟୁଲିକୁ ସୁସଜ୍ଜିତ କରି ମାଙ୍କୁ ଆବାହନ କରିଥାନ୍ତି ।
ତେବେ ପାଞ୍ଜି ଅନୁସାରେ ବିଭିନ୍ନ ସ୍ଥାନରେ ମାଣବସା ଗୁରୁବାର ପୂଜା ପାଳନ କରାଯାଉଛି । ଅନେକ ଆସନ୍ତାକାଲି ପ୍ରଥମ ପାଳି ପୂଜା କରୁଥିବାବେଳେ, ଅନେକ ଆସନ୍ତାକାଲି ଅନାଗି ପାଳି ରୂପେ ଧରି ଆସନ୍ତା ଗୁରୁବାର ଦିନ ପୂଜା ଆରମ୍ଭ କରିବେ । ତେବେ କୁହାଯାଏ ମାର୍ଗଶିର ମାସ ହେଲେ ସୁଦ୍ଧା ପ୍ରଥମାଷ୍ଟମୀ ଯାଇନଥିବାରୁ ମାଣବସା ପାଳନ କରାଯାଇନଥାଏ । ତେଣୁ ଏହାକୁ ଅନାଗି ପାଳି ରୂପେ ବିବେଚନା କରାଯାଏ । କିନ୍ତୁ ଅନେକ ସ୍ଥାନରେ ମଧ୍ୟ ଆସନ୍ତାକାଲି ମାଣବସା ଗୁରୁବାର ପାଳନ କରୁଛନ୍ତି ।
ତେବେ ପୁରାଣରେ ବର୍ଣିତ ଅଛି ମା’ଙ୍କର ଟିକେ କୃପା ମିିଳିଲେ ଗରିବ ଧନୀ ହୋଇଯାଏ । ଏଥିପାଇ ସଧବା ନାରୀ ନିଷ୍ଠାର ସହ ଏହି ବ୍ରତ କରିଥାନ୍ତି । ଏ ପୂଜା ରେ ଜାତି,ଅଜାତି ନାହିଁ । ବ୍ରାହ୍ମଣ ଠାରୁ ଚଣ୍ଡାଳ ଯାଏ ସବୁ ଓଡ଼ିଆଙ୍କ ଘରେ ଏ ପର୍ବ ପାଳନ କରାଯାଏ । ମାର୍ଗଶୀର ମାସ ମାଣବସା ଓଡ଼ିଆଙ୍କ ଛଡ଼ା ଅନ୍ୟ କେଉଁଠି ପାଳିତ ହେଉଥିବା ଦୃଷ୍ଟିଗୋଚର ହୁଏନାହିଁ ।
ମାଣବସା ଗୁରୁବାର ଓଷା ପୂର୍ବଦିନ ରାତିରେ ଗୃହିଣୀମାନେ ଘରଦ୍ୱାର ଲିପାପୋଛା କରି ଝୋଟିଚିତା ପକାଇଥାନ୍ତି । ଘରର ପ୍ରତ୍ୟକ ଦୁଆର ଅଗଣା କାନ୍ଥ ଓ ଚାରିପାଖ ଝୋଟି ଚିତାଦ୍ୱାରା ସଜାଯାଇଥାଏ । ମାଣ ଖଟୁଲି ଉପରେ ଏକ ନୂଆ ମାଣରେ ଧଳାଧାନ ଭରି ରଖାଯାଏ । ଖଟୁଲିରେ ରଖି ତା ଉପରେ ଧାନର ମେଣ୍ଟାକୁ ରଖାଯାଏ । ନାଲିଛିଟ ଓ ସୁନ୍ଦର ପାଟକନାରେ ଓଢଣୀ ଦେଇ ଏହାକୁ ଏକ ନବ ବଧୂର ରୂପ ସଦୃଶ କରାଯାଏ । ମା’ଲକ୍ଷ୍ମୀଙ୍କର ଖଟୁଲି ବା ଆସ୍ଥାନ ଚାରିପଟେ ଷୋଳ ପାଖୁଡା ବିଶିଷ୍ଟ ଦିବ୍ୟ, ପଦ୍ମ ଅଙ୍କନ କରାଯାଇଥାଏ ।
ଘରର ଚତୁଃପାଶ୍ୱର୍ରୁ ମା’ଙ୍କର ପଦ୍ମ ପାଦର ଚିତା ଆସ୍ଥାନ ପର୍ଯ୍ୟନ୍ତ ଅଙ୍କାଯାଏ । ଲକ୍ଷ୍ମୀଙ୍କର ସ୍ଥାପନା ପାଇଁ ଠାକୁର ଘରର ଏକ ସ୍ୱତନ୍ତ୍ର ସ୍ଥାନ ନିରୂପଣ କରାଯାଏ । ପୂଜା ପାଇଁ ପୂର୍ବରୁ ପ୍ରସ୍ତୁତ କରି ରଖାଯାଇଥାଏ ଅମଳ ହୋଇଥିବା ଶୁକ୍ଳଧାନ, ମାଣ, ଗୁଆ, କଉଡି, ନଡିଆ, ଦୁବ, ବରକୋଳି ପତ୍ର, ସିନ୍ଦୂର, ଧୂପଦୀପ ଓ ନୈବେଦ୍ୟ । ମାଣ ବସାଇବା ପୂର୍ବରୁ ସେହିମାଣକୁ ହଳଦୀ ପାଣିରେ ଧୋଇ ଖରାରେ ଶୁଖିଯିବା ପରେ ସିନ୍ଦୂର ବୋଳାଯାଏ । ବିଧି ଅନୁଯାୟୀ ଖଟୁଲି ଉପରେ ଲକ୍ଷ୍ମୀଙ୍କର କାଠରେ ନିର୍ମିତ ପ୍ରତିମା, ପାନିଆଁ, ଆଇନା, କଜ୍ଜଳ ଏବଂ ଖଟୁଲି ପାଖରେ ଆଖୁ, ମୂଳା ନିକଟରେ ରଖାଯାଇଥାଏ ।
ଏଥି ସହିତ ମଣ୍ଡା ପିଠା ତିଆରି କରାଯାଇ ଭୋଗ ଦିଆଯାଇଥାଏ । ବିଭିନ୍ନ ପାଳିରେ ଭିନ୍ନ ଭିନ୍ନ ପିଠାପଣା ପ୍ରସ୍ତୁତ କରି ଲକ୍ଷ୍ମୀଙ୍କୁ ପାଖରେ ଲାଗି କରାଯାଇଥାଏ । ଲକ୍ଷ୍ମୀଙ୍କୁ ଧୂପ, ଦୀପ, ନେବେଦ୍ୟ ସହ ବାଳଭୋଗରେ ଛୋନା, ଗୁଡ଼, ନଡ଼ିଆ, କଦଳୀକୁ ଚକଟି ଭୋଗ ଲଗାଯାଏ । ଏହି ଭୋଗ ଘରର ପ୍ରତ୍ୟେକ ସଦସ୍ୟ ଖାଇଥାନ୍ତି । ଏହିଭୋଗକୁ ପରିବାର ଛଡ଼ା ଅନ୍ୟ କାହାକୁ ନଦେବାର ନିୟମ ଅଛି । ମାର୍ଗଶିର ମାସର ଶେଷ ଗୁରୁବାର ଦିନ ବ୍ରତ ସାରି ଉଜୁଆ ଯାଏ ।