ଭୀମେଶ୍ୱର ଉଚ୍ଚ ବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତୀ ଲୋଗୋ ଉନ୍ମୋଚିତ
ରେମୁଣା, ୨୭। ୧୧: ରେମୁଣା ବ୍ଲକ ପତ୍ରିପାଳ ପଞ୍ଚାୟତର ଐତିହାସିକ ଶୈବ ପୀଠ ବାବା ଭୀମେଶ୍ୱରଙ୍କ ପାଦ ଦେଶରେ ପ୍ରତିଷ୍ଠିତ ଭୀମେଶ୍ୱର ସରକାରୀ ଉଚ୍ଚ ବିଦ୍ୟାଳୟ ୫୦ ବର୍ଷରେ ପଦାର୍ପଣ କରିଛି। ବିଦ୍ୟାଳୟର ପୁରାତନ ଛାତ୍ରଛାତ୍ରୀମାନେ ସୁବର୍ଣ୍ଣ ଜୟନ୍ତୀ ପାଳନ କରିବାକୁ ଆଗେଇ ଆସିଛନ୍ତି। ଏହି କ୍ରମରେ ସୁବର୍ଣ୍ଣ ଜୟନ୍ତୀ ଉତ୍ସବର ଲୋଗୋ ସ୍କୁଲ ପରିସରରେ ବୁଧବାର ଉନ୍ମୋଚିତ ହୋଇଯାଇଛି। ସର୍ବସମ୍ମତି କ୍ରମେ ଡିସେମ୍ବର ୨୬, ୨୭ ଓ ୨୮ ତିନି ଦିନ ଧରି ଧୂମଧାମରେ ପାଳିତ ହେବାକୁ ସ୍ଥିର ହୋଇଛି। ଏହି ଅବସରରେ ଏକ ସ୍ମରଣିକା ‘ଆମ ଭୀମେଶ୍ୱର’ ନାମରେ ପ୍ରକାଶ ହେବ ବୋଲି ସ୍ଥିର ହୋଇଛି।
ଆଲୁମିନି କମିଟିର ସଭାପତି ରମେଶଚନ୍ଦ୍ର ସାମଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ପ୍ରଧାନ ଶିକ୍ଷକ ସନ୍ତୋଷ କୁମାର ସେଠୀ, ବିଦ୍ୟାଳୟର ପୂର୍ବତନ ପ୍ରଧାନ ଶିକ୍ଷକ ଡ. ଭାଗବତ ପ୍ରସାଦ ଦାସ, ପୂର୍ବତନ ଶିକ୍ଷକ ପ୍ରଦୀପ ମହାନ୍ତି, ଶିକ୍ଷାବିତ ଶ୍ୟାମସୁନ୍ଦର ପଣ୍ଡା, ପୁରାତନ ଛାତ୍ର ବିନୋଦ ଚନ୍ଦ୍ର ଦାସ, ଧନଞ୍ଜୟ ଷଡ଼ଙ୍ଗୀ, ରାଧାରଞ୍ଜନ ଦାସ, ଚିତ୍ତରଞ୍ଜନ ଦାସ, ତାପସ ରଞ୍ଜନ ରଥ, କିର୍ତ୍ତୀ ରଞ୍ଜନ ଦ୍ବିବେଦୀ, ଚିନ୍ମୟ କୁମାର ରଥ, ରତିକାନ୍ତ ବେହେରା ପ୍ରମୁଖ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମରେ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସହ କର୍ମଚାରୀ ଓ ଛାତ୍ରଛାତ୍ରୀ ମାନେ ଉପସ୍ଥିତ ଥିଲେ।