ଅପ୍ରେଲ ୫ରୁ ୧୬ ତାରିଖ ପର୍ଯ୍ୟନ୍ତ ଆର୍ମି ନିଯୁକ୍ତି ମେଳା

ଆସନ୍ତା ଅପ୍ରେଲ ୫ ତାରିଖରୁ ୧୬ ତାରିଖ ପର୍ଯ୍ୟନ୍ତ ପାରାଦୀପସ୍ଥିତ ଗୋପବନ୍ଧୁ ଷ୍ଟାଡିୟମ୍‌ଠାରେ ବିଶାଳ ଆର୍ମି ନିଯୁକ୍ତି ମେଳା ଆୟୋଜିତ ହେବ। ୧୦ଟି ଜିଲ୍ଲା ଯଥା କଟକ, ମୟୂରଭଞ୍ଜ, କେନ୍ଦ୍ରାପଡ଼ା, ଜଗତସିଂହପୁର, ନୟାଗଡ଼, ବାଲେଶ୍ବର, ଖୋର୍ଦ୍ଧା, ଯାଜପୁର, ପୁରୀ ଓ ଭଦ୍ରକ ଜିଲ୍ଲାର ଇଚ୍ଛୁକ ପ୍ରାର୍ଥୀମାନେ ଏହି ନିଯୁକ୍ତି ମେଳାରେ ଅଂଶଗ୍ରହଣ କରିପାରିବେ। ଇଚ୍ଛୁକ ପ୍ରାର୍ଥୀମାନେ ନିଯୁକ୍ତି ମେଳାରେ ଭାଗ ନେବା ପାଇଁ ଅନ୍‌ଲାଇନ୍‌ ଯୋଗେ ଆବେଦନ କରିବେ। ପ୍ରାର୍ଥୀମାନେ www.joinindianarmy.nic.in ୱେବ୍‌ସାଇଟ୍‌ରେ ନିଜର ନାମ ପ୍ରଥମେ ପଞ୍ଜୀକୃତ କରିପାରିବେ। ଫେବ୍ରୁଆରି ୮ ତାରିଖରୁ ମାର୍ଚ୍ଚ ୨୩ ତାରିଖ ଭିତରେ ଏହି ପଞ୍ଜୀକରଣ ପ୍ରକ୍ରିୟା ଚାଲୁ ରହିବ ବୋଲି ଆର୍ମି ପକ୍ଷରୁ ଜଣାଇ ଦିଆଯାଇଛି।

ଏହି ଆର୍ମି ନିଯୁକ୍ତି ମେଳାରେ ପ୍ରାର୍ଥୀ ଚୟନ ପ୍ରକ୍ରିୟା ସମ୍ପୂର୍ଣ୍ଣ ସ୍ବଚ୍ଛତାର ସହ ଅଟୋମେଟିକ୍‌ ପଦ୍ଧତିରେ ପରିଚାଳିତ ହେବ। ପରୀକ୍ଷାରେ ଲିଖିତ, ଶାରୀରିକ ଓ ମେଡିକାଲ୍‌ ଟେଷ୍ଟ୍‌ରେ କୌଣସି ମଧ୍ୟସ୍ଥି ସହାୟତା କରିପାରିବେ ନାହିଁ। ତେଣୁ ଦଲାଲ୍‌, ଟାଉଟର୍‌ ବା ମଧ୍ୟସ୍ଥିଙ୍କ ପ୍ରଲୋଭନରେ ନ ପଡ଼ିବା ପାଇଁ ନିର୍ଦ୍ଦେଶକ (ନିଯୁକ୍ତି) କର୍ଣ୍ଣେଲ୍‌ ଆଶିଷ ମୋହନ ତ୍ରିଖା ସୂଚନା ଦେଇଛନ୍ତି। ଅଧିକରୁ ଅଧିକ ଓଡ଼ିଆ ପିଲାମାନେ ଏହି ମେଳାରେ ଭାଗ ନେଇ ଆର୍ମିରେ ନିଯୁକ୍ତି ପାଇବା ପାଇଁ କର୍ଣ୍ଣେଲ୍‌ ତ୍ରିୟା ଜଣାଇଛନ୍ତି।

Spread the love