ମଧ୍ୟରାତ୍ରିରେ କାହିଁକି ଖୋଲିଥିଲା ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ?

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପଞ୍ଚମପାଳି ସରକାରରେ ବଦଳିଛି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ(ସିଏମଓ)ର କାର୍ଯ୍ୟଶୈଳୀ। ‘ଫାଇଭ-ଟି’ ଓ ‘ମୋ-ସରକାର’ ଉପରେ ଗୁରୁତ୍ୱ ଦେଇ ଏବେ ଦୁଇଟି ସିଫ୍ଟରେ କାମ କରୁଥିବା ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଶୁକ୍ରବାର ମଧ୍ୟରାତ୍ରି ଓ ଶନିବାର ଭୋର୍ ସମୟରେ ଅଚାନକ ୩ଘଣ୍ଟା ଖୋଲା ରହିବାରୁ ରାଜ୍ୟ ପ୍ରଶାସନରେ ଚହଳ ପଡ଼ିଯାଇଥିଲା।

ସୂଚନା ଅନୁସାରେ, ଶୁକ୍ରବାର ମଧ୍ୟରାତ୍ରି ଓ ଶନିବାର ଭୋର ସମୟରେ ଅର୍ଥାତ୍ ରାତି ୨ଟାରୁ ୩ଟା ୪୫ମିନିଟ୍ ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଖୋଲା ରହିଥିଲା। ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ସଚିବ ରୂପାରୋଶନ ସାହୁ ଓ ଉପସଚିବ ମନୋଜ କୁମାର ସ୍ୱାଇଁଙ୍କ ସମେତ ଅନ୍ୟ କେତେକ ଡେସ୍କ ଅଫିସର ଓ ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କୁ ମଧ୍ୟ ରାତିରେ ଡକା ଯାଇଥିଲା। ବିଧାନସଭା ଅଧିବେଶନ ଚାଲିଥିବାବେଳେ ଶନିବାର ପୂର୍ବାହ୍ନରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ବଲାଙ୍ଗିର ଜିଲ୍ଲା ଗସ୍ତରେ ଯିବାର କାର୍ଯ୍ୟକ୍ରମ ଥିବାରୁ ସେଥିପାଇଁ ହୁଏତ କିଛି ଜରୁରୀ କାର୍ଯ୍ୟ ଯୋଗୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଖୋଲି ଥାଇପାରେ ବୋଲି ସମ୍ଭାବନା ବ୍ୟକ୍ତ କରାଯାଉଥିଲା। ମାତ୍ର ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଅଫିସରମାନେ ରାତି ୨ଟାରେ ଆସି ଦେଢ଼ଘଣ୍ଟାରୁ ଅଧିକ ସମୟ ବିତାଇବା ପରେ କାରଣ କ’ଣ ଜାଣିବାକୁ ବରିଷ୍ଠ ପୁଲିସ ଅଫିସରଙ୍କ ସମେତ କିଛି ପ୍ରଶାସନିକ ଅଫିସରଙ୍କ ମନରେ ବ୍ୟଗ୍ରତା ବଢ଼ିଯାଇଥିଲା। କିନ୍ତୁ ବାସ୍ତବରେ କ’ଣ ଚାଲିଥିଲା ତାହା ଜଣାପଡ଼ିନଥିଲା କି କେହି ମଧ୍ୟ ଏତେ ରାତିରେ କାହାରିକୁ ଫୋନ୍ କରି ପଚାରିବାର ବି ସମ୍ଭାବନା ନଥିଲା।

ତେବେ ଶନିବାର ଭୋର୍ ପ୍ରାୟ ୩ଟା ୪୫ମିନିଟରେ ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ସଚିବ ଶ୍ରୀମତୀ ସାହୁ ଲୋକସେବା ଭବନ ଛାଡ଼ିବାପରେ ସ୍ଥିତି ସ୍ପଷ୍ଟ ହୋଇଥିଲା। ନିର୍ଭରଯୋଗ୍ୟ ସୂଚନା ଅନୁସାରେ, ବଜେଟ୍ ପୁସ୍ତିିକାକୁ ଚୂଡ଼ାନ୍ତ ରୂପ ଦେଇ ଅର୍ଥ ବିଭାଗର ଅଧିକାରୀମାନେ ଏହାକୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ପଠାଇଥିଲେ। ଅର୍ଥ ବିଭାଗର ଅଧିକାରୀମାନେ ବିଳମ୍ବିତ ରାତି ପର୍ଯ୍ୟନ୍ତ ରହି ବଜେଟ୍ ପୁସ୍ତିକାକୁ ଚୂଡ଼ାନ୍ତ ରୂପ ଦେଇଥିଲେ। ମାତ୍ର ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଚୂଡ଼ାନ୍ତ ନକରିବା ପର୍ଯ୍ୟନ୍ତ ଏହାକୁ ଛପାଇବା ଅବା ପେନ୍ ଡ୍ରାଇଭରେ କପି କରିବାକୁ ପଠାଇବା ସମ୍ଭବପର ନଥିବାରୁ ଏଭଳି ରାତିଅଧିଆ ଡକରା ପଡ଼ିଥିଲା। ବଜେଟ୍ ପୁସ୍ତିକାକୁ ଚୂଡ଼ାନ୍ତ କରିବାରେ ଅହେତୁକ ବିଳମ୍ବ ହୋଇସାରିଥିବାରୁ ସେହି ରାତିରେ ଯେନତେନ ପ୍ରକାରେ ତାକୁ ଚୂଡ଼ାନ୍ତ କରିବାକୁ ନିର୍ଦ୍ଦେଶ ଥିବାରୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଅଧିକାରୀମାନେ ବିଳମ୍ବିତ ରାତ୍ରିରେ ଅଫିସ୍ ଆସିଥିଲେ ବୋଲି ଜଣାପଡ଼ିଛି।

ଅବଶ୍ୟ ମୁଖ୍ୟମନ୍ତ୍ରୀ ଭାବେ ନବୀନ ପଟ୍ଟନାୟକଙ୍କ ପଞ୍ଚମପାଳିରେ ତାଙ୍କ କାର୍ଯ୍ୟାଳୟ କର୍ପୋରେଟ ଷ୍ଟାଇଲରେ ସକାଳ ସାଢ଼େ ୮ଟାରୁ ରାତି ୯ଟା ପର୍ଯ୍ୟନ୍ତ ଦୁଇଟି ସିଫ୍ଟରେ କାର୍ଯ୍ୟ କରୁଛି। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ବିନା ଇଙ୍ଗିତରେ ରାଜ୍ୟ ପ୍ରଶାସନରେ ପତ୍ରଟିଏ ହଲୁନଥିବାରୁ କାର୍ଯ୍ୟର ବୋଝ ମଧ୍ୟ ଅଧିକ ରହିବା ସ୍ୱାଭାବିକ ବୋଲି ଚର୍ଚ୍ଚା।

Spread the love