ବିନା ଟୋପିରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ କେଜ୍ରିୱାଲ୍‌

ଆପ୍‌ର ରାଷ୍ଟ୍ରୀୟ ଆବାହକ ଅରବିନ୍ଦ କେଜ୍ରିୱାଲ୍‌  ତୃତୀୟ ଥର ପାଇଁ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ତେବେ ପୂର୍ବ ଦୁଇ ଥରର ଶପଥ ଗ୍ରହଣ ଉତ୍ସବରେ ସେ ଯେଉଁ ଗେଟ୍‌ ଅପ୍‌ରେ ଆସିଥିଲେ, ଆଜି ସେଥିରେ ଟିକେ ପରିବର୍ତ୍ତନ ହୋଇଥିଲା। ସେ କଳା ରଙ୍ଗର ପ୍ୟାଣ୍ଟ ସହିତ ଧଳା ରଙ୍ଗ ଶର୍ଟ ପିନ୍ଧିଥିଲେ। ତା’ପରେ ଲାଲ୍ ରଙ୍ଗର ସ୍ୱେଟର ପିନ୍ଧିଥିଲେ। ତେବେ ତାଙ୍କ ମୁଣ୍ଡରେ ଦଳର ସିଗ୍ନେଚର କ୍ୟାପ୍‌ (ଟୋପି) ନଥିଲା। କିନ୍ତୁ ପୂର୍ବ ଦୁଇ ଥରର ଶପଥ ଗ୍ରହଣ ବେଳେ ସେ ଆପ୍‌ ଟୋପି ପିନ୍ଧିଥିଲେ।୨୦୧୩ରେ ପ୍ରଥମ ଥର ୨୮ଟି ସିଟ୍ ଜିତିବା ପରେ ଯେଉଁ ସରକାର ଗଠନ କରିଥିଲେ, ତା’ର ଶପଥ ଗ୍ରହଣ ଉତ୍ସବରେ ସେ ଆପ୍ ଟୋପି ପିନ୍ଧିଥିଲେ। ତା’ସହିତ ଚେକ୍ କଲର ଶର୍ଟ ଓ ନୀଳ ରଙ୍ଗର ସ୍ୱେଟର ପିନ୍ଧିଥିଲେ। ୪୯ ଦିନର ଏହି ସରକାର ଭାଙ୍ଗିବା ପରେ ୨୦୧୫ରେ ସେ ପୂର୍ଣ୍ଣ ବହୁମତରେ ସରକାର ଗଢ଼ିଥିଲେ। ସେତେବେଳେ ଶପଥ ଗ୍ରହଣ ବେଳେ ସେ ନୀଳ ରଙ୍ଗର ଶର୍ଟ ଉପରେ ନୀଳ ରଙ୍ଗର ସ୍ୱେଟର ପିନ୍ଧିଥିଲେ ଏବଂ ମୁଣ୍ଡରେ ଟୋପି ପିନ୍ଧିଥିଲେ। ତେବେ ପୂର୍ବ ଦୁଇ ଶପଥ ଗ୍ରହଣ ଉତ୍ସବରେ ତାଙ୍କ ମଥାରେ ଲାଲ ରଙ୍ଗର ତିଳକ ନଥିବା ବେଳେ ଏଥର ଏହା ଦେଖିବାକୁ ମିଳିଥିଲା।

Spread the love