ଦୀଘା ଜଗନ୍ନାଥ ମନ୍ଦିର ବିବାଦ ପ୍ରସଙ୍ଗ : ଇସ୍କନ ମାୟାପୁରୀକୁ ଚିଠି ଲେଖିଲେ ପୁରୀ ଗଜପତି

ଇସ୍କନ ମାୟାପୁରୀକୁ ପୁରୀ ଗଜପତି ମହାରାଜ ଦିବ୍ୟସିଂହ ଦେବଙ୍କ ଚିଠି ।  ଦୀଘା ଜଗନ୍ନାଥ ମନ୍ଦିର ବିବାଦ ପ୍ରସଙ୍ଗରେ ଇସ୍କନ ମାୟାପୁରକୁ ଚିଠି ଲେଖି ଉଦବେଗ ପ୍ରକାଶ କରିଛନ୍ତି ଗଜପତି ମହାରାଜା ଦିବ୍ୟସିଂହ ଦେବ ।  ଇସ୍କନ ପରିଚାଳନା ମୁଖ୍ୟ ମାୟାପୁରର ଗୋବର୍ଦ୍ଧନ ଦାସଙ୍କୁ ଚିଠି ଲେଖିଛନ୍ତି ଗଜପତି ।  ଦୀଘା ଜଗନ୍ନାଥ ମନ୍ଦିରକୁ ଶ୍ରୀଜଗନ୍ନାଥ ଧାମ ନାମରେ ଉଲ୍ଲେଖ କରାଯାଉଛି ।

ଏହା ଜଣାପଡ଼ିଛି ଯେ ଦୀଘା ଜଗନ୍ନାଥ ମନ୍ଦିରରେ ଇସ୍କନର ପ୍ରତିନିଧିମାନେ ମନ୍ଦିର ଟ୍ରଷ୍ଟ ବୋର୍ଡରେ ଟ୍ରଷ୍ଟି ଭାବେ ନିଯୁକ୍ତ ହୋଇଛନ୍ତି ।  ଏହାସହ ଇସ୍କନର ପ୍ରତିନିଧିମାନଙ୍କ ତତ୍ତ୍ବାବଧାନରେ ଦୀଘା ଜଗନ୍ନାଥ ମନ୍ଦିରର ସେବାପୂଜା ଅନୁଷ୍ଠିତ ହେଉଛି ।  ଶ୍ରୀକ୍ଷେତ୍ର ବ୍ୟତୀତ ଆଉ କୌଣସି ସ୍ଥାନ କିମ୍ବା ମନ୍ଦିରକୁ ଜଗନ୍ନାଥ ଧାମ କୁହାଯିବା ଉଚିତ ନୁହେଁ ।

ସନାତନ ବୈଦିକ ଧର୍ମର ସର୍ବୋଚ୍ଚ ଧାର୍ମିକ ଅଧିକାରୀ ହେଉଛନ୍ତି ପରମ ପୂଜ୍ୟ ଜଗତଗୁରୁ ଶଙ୍କରାଚାର୍ଯ୍ୟ ।  ପୁରୀ ଗୋବର୍ଦ୍ଧନ ପୀଠର ଶଙ୍କରାଚାର୍ଯ୍ୟ ଓ ଯୋଶୀ ମଠର ଶଙ୍କରାଚାର୍ଯ୍ୟ ପୁରୀକୁ ହିଁ ଜଗନ୍ନାଥ ଧାମ ବୋଲି ସ୍ପଷ୍ଟ କରିଛନ୍ତି ।  ସେହିପରି ମୁକ୍ତିମଣ୍ଡପ ପଣ୍ଡିତ ସଭା କହିଛନ୍ତି ଦୀଘାର ଶ୍ରୀଜଗନ୍ନାଥ ମନ୍ଦିରକୁ ଜଗନ୍ନାଥ ଧାମ ଭାବରେ ନାମିତ କରାଯାଇପାରିବ ନାହିଁ ।

ଶ୍ରୀଜଗନ୍ନାଥ ଧାମ, ଶ୍ରୀ ପୁରୁଷୋତ୍ତମ ଧାମ ବା କ୍ଷେତ୍ର, ଶ୍ରୀକ୍ଷେତ୍ର ଏବଂ ଶ୍ରୀ ନୀଳାଚଳ ଧାମ ପରି ନାମକରଣ କେବଳ ପୁରୀରେ ଥିବା ମହାପ୍ରଭୁ ଜଗନ୍ନାଥଙ୍କର ମୂଳ ପୀଠକୁ ବୁଝାଏ ।  ଅନ୍ୟ କୌଣସି ସ୍ଥାନ କିମ୍ବା ମନ୍ଦିର ପାଇଁ ଏହା ବ୍ୟବହାର ହୋଇପାରିବ ନାହିଁ ।  ଇସ୍କନ କର୍ତ୍ତୃପକ୍ଷ ଏନେଇ ଆବଶ୍ଯକ ପଦକ୍ଷେପ ଗ୍ରହଣ କରିବାକୁ ଚିଠିରେ ଗଜପତି ମହାରାଜ ଉଲ୍ଲେଖ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *