ଚିନ୍ତା ବଢ଼ାଇଲା ୟୁରାନିୟମ ଗାଏବ ଘଟଣା

ନୂଆଦିଲ୍ଲୀ : ଆମେରିକାର ଉପରାଷ୍ଟ୍ରପତି ଜେଡି ଭାନ୍ସ ଦାବି କରିଛନ୍ତି ଯେ ଇରାନରେ ୪୦୦ କିଲୋଗ୍ରାମ ୟୁରାନିୟମର ଏକ ଭଣ୍ଡାର ଗାଏବ ହୋଇଯାଇଛି। ଏହି ପରିମାଣର ୟୁରାନିୟମ ୧୦ଟି ପରମାଣୁ ଅସ୍ତ୍ର ତିଆରି କରିବା ପାଇଁ ଯଥେଷ୍ଟ ବୋଲି କୁହାଯାଉଛି। ରବିବାର ୱାସିଂଟନ୍ ତିନୋଟି ଇରାନୀ ପରମାଣୁ ପ୍ରତିଷ୍ଠାନ ଉପରେ ଛଅଟି ‘ବଙ୍କର ବଷ୍ଟର’ ବୋମା ପକାଇବା ପରେ ଏହାର ପତ୍ତା ମିଳୁନାହିଁ। ଆକ୍ରମଣର କିଛି ଦିନ ପୂର୍ବରୁ ଇରାନ କିଛି ଉପକରଣ ସହିତ ଏହାକୁ ଏକ ଗୁପ୍ତ ସ୍ଥାନକୁ ସ୍ଥାନାନ୍ତର କରିଥାଇପାରେ ବୋଲି କୁହାଯାଉଛି। ଇସ୍ରାଏଲୀ ଅଧିକାରୀମାନେ ‘ଦି ନ୍ୟୁୟର୍କ ଟାଇମ୍ସ’କୁ ମଧ୍ୟ ଏ ସଂପର୍କରେ ସୂଚନା ଦେଇ ଉଦ୍‌ବେଗ ପ୍ରକାଶ କରିଛନ୍ତି । ଆମେରିକାର ଆକ୍ରମଣ ପୂର୍ବରୁ ମିଳିଥିବା ସାଟେଲାଇଟ୍ ଚିତ୍ରଗୁଡ଼ିକ ଫୋର୍ଡୋ ପରମାଣୁ କେନ୍ଦ୍ର ବାହାରେ ୧୬ଟି ଟ୍ରକର ଏକ ଧାଡି ଦେଖାଇଥିଲା। ଏହା ଏକ ପାହାଡ଼ ଭିତରେ ନିର୍ମିତ ଏବଂ କ୍ଷେପଣାସ୍ତ୍ର ଏହାର କିଛି କ୍ଷତି କରିପାରିବ ନାହିଁ ବୋଲି ବିବେଚନା କରାଯାଏ। ଯାହା ଫଳରେ ଇସ୍ରାଏଲ ରବିବାର ଆମେରିକାକୁ ଏହାର ବି-୨ ବୋମାବର୍ଷୀ ବିମାନ ଏବଂ ଜିବିୟୁ-୩୭ ‘ବଙ୍କର୍ ବଷ୍ଟର’ ବୋମା ନିୟୋଜିତ କରିବାକୁ ଅନୁରୋଧ କରିଥିଲା। ଫୋର୍ଡୋ, ନାତାଞ୍ଜ ଏବଂ ଇସ୍ଫା‌ହାନ୍‌ ପରମାଣୁ କେନ୍ଦ୍ର ନଷ୍ଟ କରାଯାଇଥିବା ଆମେରିକା ଦାବି କରିଥିଲେ ମଧ୍ୟ ଗାଏବ ୟୁରାନିୟମ ମାମଲା ଏବେ ଚିନ୍ତା ବଢ଼ାଇଛି। ଆକ୍ରମଣ ପରବର୍ତ୍ତୀ ଫଟୋଗୁଡ଼ିକ ତିନୋଟି ପରମାଣୁ ଘାଟିର ଗୁରୁତ୍ୱପୂର୍ଣ୍ଣ କ୍ଷୟକ୍ଷତି ଦେଖାଇଥିଲା କିନ୍ତୁ ଏହି ୧୬ଟି ଟ୍ରକ ନିଖୋଜ ଥିଲା। ତେଣୁ ଇରାନ ୪୦୦ କିଲୋଗ୍ରାମ ୟୁରାନିୟମ ଗୁପ୍ତ ସ୍ଥାନକୁ ପଠାଇ ଦେଇଥିବା ଦାବି ହୋଇଛି।
ଆଇଏଇଏ (ଅନ୍ତର୍ଜାତୀୟ ପରମାଣୁ ଶକ୍ତି ସଂସ୍ଥା) ମୁଖ୍ୟ ରାଫେଲ ‌ଗ୍ରୋସିଙ୍କ ଅନୁଯାୟୀ ଇସ୍ରାଏଲର ଇରାନ ଉପରେ ପ୍ରଥମ ଆକ୍ରମଣର ଗୋଟିଏ ସପ୍ତାହ ପୂର୍ବରୁ ଏହାକୁ ଶେଷ ଥର ପାଇଁ ଯାଞ୍ଚ କରାଯାଇଥିଲା। ଗତ ସପ୍ତାହରେ ଗ୍ରୋସି ଜାତିସଂଘ ସୁରକ୍ଷା ପରିଷଦକୁ କହିଥିଲେ ଯେ ଆଇଏଇଏ ଯଥାଶୀଘ୍ର ପୁନଃ ଯାଞ୍ଚ ଆରମ୍ଭ କରିବା ଆବଶ୍ୟକ। ସେ ବିଶ୍ୱକୁ ଏହା ମଧ୍ୟ ଚେତାବନୀ ଦେଇଛନ୍ତି ଯେ ନିରନ୍ତର ସାମରିକ ଉତ୍ତେଜନା‌ ଏହି ‘ଅପରିହାର୍ଯ୍ୟ କାର୍ଯ୍ୟ’କୁ ବିଳମ୍ବ କରୁଛି ଏବଂ ଇରାନକୁ ପରମାଣୁ ଅସ୍ତ୍ର ହାସଲ କରିବାରୁ ରୋକିବା ପାଇଁ ଏକ କୂଟନୈତିକ ସମାଧାନର ସମ୍ଭାବନାକୁ ହ୍ରାସ କରୁଛି।

Spread the love