ଗଞ୍ଜାମରେ ଡାଇରିଆ ଆତଙ୍କ: ମୃତ୍ୟୁ ସଂଖ୍ୟା ୩କୁ ବୃଦ୍ଧି
ବ୍ରହ୍ମପୁର : ଗଞ୍ଜାମ ସାନଖେମୁଣ୍ଡିରେ ଆଉ ଜଣଙ୍କ ଜବୀନ ନେଲା ଡାଇରିଆ । ଗତ ରାତିରେ ଆଉ ଜଣେ ମହିଳାଙ୍କର ମୃତ୍ୟୁ ହୋଇଛି । ସାନଖେମୁଣ୍ଡିରେ ଡାଇରିଆ ଜନିତ ମୃତ୍ୟୁ ସଂଖ୍ୟା ୩ରେ ପହଞ୍ଚିଛି ।
ଗତକାଲି ସକାଳେ ସାନଖେମୁଣ୍ଡି ବ୍ଲକ ଦାମପୁର ଗାଁରେ ଦୁଇ ଜଣଙ୍କ ଡାଇରିଆରେ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଥିଲା । ସେହି ଗାଁରେ ରାତିରେ ଆଉ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି । ସ୍ୱାସ୍ଥ୍ୟ ବିଭାଗର ଟିମ ଓ ସାନଖେମୁଣ୍ଡି ପ୍ରଶାସନ ଗାଁରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି । ଗ୍ରାମବାସୀଙ୍କ ସ୍ବାସ୍ଥ୍ୟ ପରୀକ୍ଷା ସହ ସେମାନଙ୍କୁ ସଚେତନ କରାଯାଉଛି । ଝାଡ଼ାବାନ୍ତି ହେଲେ ପ୍ରତିଷେଧକ ବ୍ୟବସ୍ଥା ସ୍ୱରୂପ ଔଷଧ ଖାଇବା ପାଇଁ ପରାମର୍ଶ ଦେବା ସହ ORS ବଣ୍ଟନ କରାଯାଇଛି ।
ଅନ୍ୟପଟେ ଖାଦ୍ୟରେ ବିଷକ୍ରିୟା ଯୋଗୁଁ ଏପରି ହୋଇଥିବା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି । ଆଜି ମଧ୍ୟ ଏହି ଗାଁକୁ ଏକ ମେଡିକାଲ ଟିମ ଯିବା କାର୍ଯ୍ୟକ୍ରମ ରହିଛି ।
