ଋଣ ଟଙ୍କା ମାଗିବାକୁ ଯାଇ ଘରୋଇ ବ୍ୟାଙ୍କର କର୍ମଚାରୀଙ୍କୁ ନିସ୍ତୁକ ମାଡ଼

ଅନୁଗୁଳ : ଋଣ ଟଙ୍କା ମାଗିବାରୁ ବ୍ୟାଙ୍କ କର୍ମଚାରୀଙ୍କୁ ନିସ୍ତୁକ ମାଡ଼ । ଘରୋଇ ବ୍ୟାଙ୍କର କ୍ରେଡିଟ୍ କାର୍ଡ ଋଣ ଟଙ୍କା ମାଗିବାକୁ ଯାଇଥିବା କର୍ମଚାରୀଙ୍କୁ ମରଣାନ୍ତକ ଆକ୍ରମଣ ଅଭିଯୋଗ ହୋଇଛି । ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ତୁଳସୀପାଳ ଗ୍ରାମର ଘଟଣା ।

ସୂଚନା ଅନୁଯାୟୀ, ତୁଳସୀପାଳ ଗାଁର ନିର୍ମଳ ବିଶ୍ଵାଳଙ୍କ ପୁଅ ବିନମୟ ସାମଲ ବ୍ୟାଙ୍କର କ୍ରେଡିଟ୍ କାର୍ଡ ଜରିଆରେ ୩ ଲକ୍ଷ ୭୫ ହଜାର ଟଙ୍କା ଋଣ କରିଥିଲେ । ନିର୍ଦ୍ଧାରକ ସମୟରେ ଟଙ୍କା ନଦେବାରୁ ରାଉରକେଲା ଡିଭିଜନ ବ୍ୟାଙ୍କ ଅଧିକାରୀ ରମାକାନ୍ତ ରଥ, ପ୍ରମୋଦ କୁମାର ସାହୁ, ଦିବ୍ୟଜ୍ୟୋତି ସାମଲ ଓ ସନ୍ତୋଷ କୁମାର ବେହେରା ଆସି ତାଙ୍କ ଘରେ ପହଞ୍ଚି ଟଙ୍କା ମାଗିଥିଲେ । ବିନମୟ ଓ ତାଙ୍କ ବାପା ବ୍ୟାଙ୍କ କର୍ମଚାରୀଙ୍କୁ ଅସଭ୍ୟ ଭାଷାରେ ଗାଳିଗୁଲଜ କରିବା ସହ ବାଉଁଶ ଠେଙ୍ଗାରେ ନିସ୍ତୁକ ମାଡ଼ ମାରିଥିଲେ । ଜଣେ କର୍ମଚାରୀ ସେଠାରୁ ଖସିଯାଇ ପୋଲିସକୁ ଖବର ଦେଇଥିଲେ । ଘଟଣାସ୍ଥଳରେ ବଅଁରପାଳ ପୋଲିସ ପହଞ୍ଚି ବ୍ୟାଙ୍କ କର୍ମଚାରୀଙ୍କୁ ଉଦ୍ଧାର କରି ମେଡିକାଲକୁ ପଠାଇଛି । ଏ ନେଇ ବ୍ୟାଙ୍କ କର୍ମଚାରୀମାନେ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ବଅଁରପାଳ ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି ।

Spread the love