ମହୁମାଛି କେବଳ କୀଟ ନୁହେଁ, ପ୍ରକୃତିର ଆଶୀର୍ବାଦ ସୋଆରେ ବିଶ୍ୱ ମହୁମାଛି ଦିବସ ପାଳିତ
ଭୁବନେଶ୍ୱର : ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟ ପରିଚାଳିତ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଏଗ୍ରିକଲଚରାଲ ସାଇନସେସ୍ (ଆଇଏଏସ୍)ର କୀଟତତ୍ୱ ବିଭାଗ ପକ୍ଷରୁ ଶନିବାର ଦିନ ବିଶ୍ୱ ମହୁମାଛି ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସୋଆ କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ କହିଥିଲେ ଯେ ଓଡିଶା ତଥା ଭାରତରେ ମହୁମାଛି ପାଳନ ଏକ ପ୍ରମୁଖ ଉଦ୍ୟୋଗରେ ପରିଣତ ହୋଇଛି । ଏଭଳି ଦିବସ ପାଳନ କରିବା ପ୍ରଶଂସନୀୟ ବୋଲି ସେ କହିଥିଲେ ।
ସେହିପରି ମୁଖ୍ୟବକ୍ତା ଭାବେ ଓଡିଶା ଖଦୀ ଓ ଗ୍ରାମୋଦ୍ୟୋଗ ବୋର୍ଡର ସଚିବ ଡ. ସଞ୍ଜୟ କୁମାର ମିଶ୍ର ଯୋଗ ଦେଇ ଓଡିଶାରେ ମହୁମାଛି ପାଳନ ନିମନ୍ତେ ଭଲ ଭିତିଭୂମି ରହିଛି ଏବଂ ଏହାର ଅଧିକ ବିକାଶ ପାଇଁ ଚାଷୀ ଭାଇଭଉଣୀମାନେ ଉଦ୍ୟମ କରିବା ଆବଶ୍ୟକ ବୋଲି କହିଥିଲେ । ଏହା ବ୍ୟତୀତ ମହୁମାଛି ପାଳନର ବିଭିନ୍ନ ଦିଗ ସଂପର୍କରେ ଆଲୋଚନା କରିବା ସହ ଖଦୀ ଓ ଗ୍ରାମୋଦ୍ୟୋଗ ବୋର୍ଡ ଆଗାମୀ ଦିନରେ ସୋଆ ବିଶ୍ୱବିଦ୍ୟାଳୟ ସହିତ ମହୁମାଛି ପାଳନର ପ୍ରଚାର ପ୍ରସାର ଦିଗରେ କାର୍ଯ୍ୟ କରିବ ବୋଲି ପ୍ରତିଶ୍ରୁତି ଦେଇଥିଲେ ।
ମହୁମାଛି ଏକ ସାଧାରଣ କୀଟ ନୁହେଁ, ପ୍ରକୃ୍ତିର ଗୋଟିଏ ଦୁର୍ମୁଲ୍ୟ ଆଶୀର୍ବାଦ । ମହୁମାଛି ବିଲୁପ୍ତ ହେଲେ ମଣିଷର ସ୍ଥିତି ମଧ୍ୟ ସଙ୍କଟାପନ୍ନ ହେବ । ଏଣୁ ମହୁମାଛିମାନଙ୍କ ସୁରକ୍ଷା ଆଜିର ଆହ୍ୱାନ । ସମ୍ମାନିତ ଅତିଥି ଭାବେ ସୋଆ ଛାତ୍ରମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଂଜନ ଦାସ ଯୋଗ ଦେଇ କୀଟତତ୍ୱ ବିଭାଗର ଏପରି ଉଦ୍ୟମକୁ ପ୍ରଶଂସା କରିଥିଲେ । ଆଇଏଏସ୍ର ଡିନ୍ ପ୍ରଫେସର ସନ୍ତୋଷ କୁମାର ରାଉତ ବିଂଝଗିରି ସ୍ଥିତ ସୋଆର କୃଷି ଗବେଷଣା ଫାର୍ମରେ ମହୁମାଛି ପାଳନ କେନ୍ଦ୍ରର ଅଗ୍ରଗତି ସଂପର୍କରେ ସୂଚନା ଦେଇଥିଲେ । ପ୍ରଫେସର ପ୍ରଭାତ କୁମାର ଷଡଙ୍ଗୀ ଓ ଡ. ଭୁବନାନନ୍ଦ ଅଧିକାରୀଙ୍କ ଦ୍ୱାରା ପରିଚାଳିତ ଏହି ଉତ୍ସବର ମୁଖ୍ୟ ଆବାହକ କୀଟତତ୍ୱ ବିଭାଗର ବିଭାଗୀୟ ମୁଖ୍ୟ ପ୍ରଫେସର ବ୍ରଜ କିଶୋର ସାହୁ ସ୍ୱାଗତ ଭାଷଣ ଓ ପ୍ରାରମ୍ଭିକ ସୂଚନା ଦେଇ ଦୀର୍ଘ ଦିନ ଧରି ଛାତ୍ରଛାତ୍ରୀମାନଙ୍କୁ ମହୁମାଛି ପାଳନ ଓ ମୂଲ୍ୟଯୁକ୍ତ ଉତ୍ପାଦ ପ୍ରସ୍ତୁତି ନିମନ୍ତେ ଦିଆଯାଉଥିବା ତାଲିମ ବିଷୟରେ ଆଲୋକପାତ କରିଥିବାବେଳେ ପ୍ରଫେସର ଏସ.ଏମ.ଏ. ମଣ୍ଡଳଧନ୍ୟବାଦ ଅର୍ପଣ କରିଥିଲେ ।
ଏହି ଅବସରରେ ବୈଜ୍ଞାନିକ ତଥ୍ୟ ଓ ତତ୍ୱ ଆଧାରିତ ପୁସ୍ତିକା “ମହୁମାଛି ପାଳନର ବୈଜ୍ଞାନିକ ଦିଗ” ଉନ୍ମୋଚିତ ହୋଇଥିଲା । ମହୁମାଛି ପାଳନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଶ୍ରୀ ଅରୁଣ କୁମାର ଗିରି, ଶ୍ରୀ ନିତାଇ ଚରଣ ଦଳେଇ, ଶ୍ରୀମତି ପୁଷ୍ପଲକ୍ଷ୍ମୀ ବେହେରା ଓ ଶ୍ରୀ ପ୍ରଦୀପ କୁମାର ଜେନାଙ୍କୁ ସ୍ୱତନ୍ତ୍ର ଭାବେ ସମ୍ବର୍ଦ୍ଧିତ କରାଯାଇଥିଲା । ଓଡିଶାର କୋଣ ଅନୁକୋଣରୁ ଯୋଗ ଦେଇଥିବା ୫୦ ରୁ ଉର୍ଦ୍ଧ୍ୱ ଅଗ୍ରଣୀ କୃଷକ ଓ ମହୁଚାଷୀମାନଙ୍କୁ ଏହି ଅବସରରେ ସମ୍ମାନିତ କରାଯାଇଥିଲା ।
ଏହି ଅବସରରେ ଆୟୋଜିତ ସାଧାରଣ ଜ୍ଞାନ ଓ ଚିତ୍ରାଙ୍କନ ପ୍ରତିଯୋଗିତାରେ କୃତି ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରାଯାଇଥିଲା । ସାମାଜିକ ସାଂସ୍କୃ୍ତିକ ଶାଖା କ୍ରିଆଟିଭୋ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହେବା ସହିତ ଡ. ସତ୍ୟ ନାରାୟଣ ଶତପଥୀ, ଶ୍ରୀ ବିଶ୍ୱଜିତ ମିଶ୍ରଙ୍କ ତତ୍ୱାବଧାନରେ କୃଷକ-ବୈଜ୍ଞାନିକ ଆଲୋଚନା ଅନୁଷ୍ଠିତ ହୋଇଥିଲା । କୃଷକମାନଙ୍କୁ ମଧ୍ୟ ବିଂଝଗିରି ସ୍ଥିତ ମହୁମାଛି ପାଳନ କେନ୍ଦ୍ରକୁ ପରିଦର୍ଶନରେ ନିଆଯାଇଥିଲା । ଡ. ପ୍ରଜ୍ଞାପତି, ଡ. ଶୁଭଲକ୍ଷ୍ମୀ ରାୟ, ଡ. ସ୍ୱୟଂ ସିଂହ, ପ୍ରିୟଙ୍କା ପ୍ରିୟଦର୍ଶିନୀ, ଦେବୀଦତା ଆଚାର୍ଯ୍ୟ, ସିମ୍ରନ ମହାପାତ୍ର, ଦୀପକ ବେହେରା, ଶାନ୍ତି ରଂଜନ ନନ୍ଦ, ଶୁଭଶ୍ରୀ କାନୁନ୍ଗୋ , ସ୍ୱଂୟଦୀପ୍ତ ଏହି କାର୍ଯ୍ୟକ୍ରମକୁ ପରିଚାଳନ କରିଥିବାବେଳେ ଏଥିରେ ଶତାଧିକ ଛାତ୍ରଛାତ୍ରୀ ଓ ସବୁ ବିଭାଗର ଅଧ୍ୟାପକମାନେ ଉପସ୍ଥିତ ଥିଲେ ।
