ସୋଆର ପ୍ରଥମ କୁଳପତି ପ୍ରଫେସର ପି.କେ. ଦାଶଙ୍କ ପରଲୋକ

ଭୁବନେଶ୍ୱର, ନଭେମ୍ବର୧୯ : ବିଶିଷ୍ଟ ଗବେଷକ ତଥା ଶିକ୍ଷା ଓ ଅନୁସନ୍ଧାନ (ସୋଆ) ଡିମ୍‌ଡ ଟୁ ବି ବିଶ୍ୱବିଦ୍ୟାଳୟର ପ୍ରଥମ କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ଦାଶଙ୍କର ବୁଧବାର ସକାଳେ ପରଲୋକ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୮୪ ବର୍ଷ ବୟସ ହୋଇଥିଲା । ଜଣେ ବିଶିଷ୍ଟ ଗବେଷକ ତଥା ଶିକ୍ଷାବିତ୍ ଭାବେ ଖ୍ୟାତି ଅର୍ଜନ କରିଥିବା ପ୍ରଫେସର ଦାଶ ଇଣ୍ଡିଆନ୍ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ସାଇନ୍ସ, ବେଙ୍ଗାଲୁରୁରୁ ଇଲେକ୍ଟ୍ରିକାଲ୍ ଇଞ୍ଜିନିୟରିଂରେ ବି.ଇ ଏବଂ ଏମ.ଇ ଡିଗ୍ରୀ ହାସଲ କରିଥିଲେ । ସେହିପରି ରାଉରକେଲାର ରିଜିଓନାଲ୍ ଇଞ୍ଜିନିୟରିଂ କଲେଜ (ବର୍ତମାନର ଏନ୍‌ଆଇଟି)ରୁ ସେ ପିଏଚ୍‌ଡି ହାସଲ କରିଥିଲେ । ପରେ ୟୁନିଭର୍ସିଟି ଅଫ୍ କାଲ୍‌ଗାରୀ, କାନାଡାରୁ ସେ ତାଙ୍କର ପୋଷ୍ଟ ଡକ୍ଟରାଲ୍ ଶିକ୍ଷା ଲାଭ କରିଥିଲେ । ୨୦୦୩ ମସିହାରେ ଉତ୍କଳ ବିଶ୍ୱବିଦ୍ୟାଳୟ ପକ୍ଷରୁ ଆପ୍ଲାଏଡ୍ ଆର୍ଟିଫିସିଆଲ୍ ଇନ୍‌ଟେଲିଜେନ୍ସ ନିମନ୍ତେ ଡକ୍ଟରେଟ ଅଫ୍ ସାଇନ୍ସ ସମ୍ମାନରେ ସମ୍ମାନୀତ ହୋଇଥିଲେ । ପ୍ରାୟ ୩ ଦଶନ୍ଧି ଧରି ଏନ୍‌ଆଇଟି ରାଉରକେଲାରେ ପ୍ରଫେସର ଭାବେ କାର୍ଯ୍ୟ କରିଥିବା ପ୍ରଫେସର ଦାଶ ୟୁନିଭର୍ସିଟି ଅଫ୍ ୱାଶିଂଟନ୍‌, ସିଆଟେଲ୍‌, ଭର୍ଜିନିଆ ପଲିଟେକ୍ନିକ୍ ଆଣ୍ଡ ଷ୍ଟେଟ ୟୁନିଭର୍ସିଟି, ବ୍ଲାକ୍‌ସବର୍ଗ, ୟୁନିଭର୍ସିଟି ଅଫ୍ ମାନିଟୋବା, ୟୁନିଭର୍ସିଟି ଅଫ୍ ନ୍ୟୁ ବ୍ରନ୍‌ସୱିକ୍‌, ମଲ୍ଟିମିଡିଆ ୟୁନିଭର୍ସିଟି, ମାଲେସିଆ, ନ୍ୟାସ୍‌ନାଲ୍ ୟୁନିଭର୍ସିଟି ଅଫ୍ ସିଙ୍ଗାପୁର ଏବଂ ମେମୋରିଆଲ୍ ୟୁନିଭର୍ସଟି, କାନାଡାରେ ଭିଜିଟିଂ ପ୍ରଫେସର ଭାବେ କାର୍ଯ୍ୟ କରିଛନ୍ତି । ସେ ମଧ୍ୟ ଏବିବି, ସ୍ୱିଜରଲ୍ୟାଣ୍ଡରେ ଭିଜିଟିଂ ରିସର୍ଚ୍ଚ ଇଞ୍ଜିନିୟର ଭାବେ କାର୍ଯ୍ୟ କରିବା ସହ କୁଆଲାଲାମ୍ପୁର ସ୍ଥିତ ୟୁନିଭର୍ସିଟି ଅଫ୍ ଟେଲିକମ୍‌ରେ ପ୍ରଫେସର ଭାବେ କାର୍ଯ୍ୟ କରିଛନ୍ତି ।
ଗବେଷଣା କ୍ଷେତ୍ରରେ ନିଜର ଅବଦାନ ପାଇଁ ଭାରତ ସରକାରଙ୍କ ବିଜ୍ଞାନ ଓ ପ୍ରଯୁକ୍ତି ବିଭାଗ ପକ୍ଷରୁ ଶକ୍ତି କ୍ଷେତ୍ରରେ ଦେଶର ୧୦ ଜଣ ପ୍ରମୁଖ ଗବେଷକଙ୍କ ମଧ୍ୟରେ ତାଙ୍କୁ ମାନ୍ୟତା ପ୍ରଦାନ କରାଯାଇଥିଲା । ସେହିପରି ଷ୍ଟାନ୍‌ଫୋର୍ଡ ୟୁନିଭର୍ସିଟି ପକ୍ଷରୁ ବିଶ୍ୱର ଶ୍ରେଷ୍ଠ ୨ ପ୍ରତିଶତ ବୈଜ୍ଞାନିକଙ୍କ ମଧ୍ୟରେ ତାଙ୍କୁ ସ୍ଥାନୀତ କରାଯାଇଥିଲା । ୨୦୦୭ ଜୁଲାଇ ୧୭ ତାରିଖରେ ୟୁନିଭର୍ସିଟି ଗ୍ରାଂଟସ କମିଶନ ପକ୍ଷରୁ ଶିକ୍ଷା ଓ ଅନୁସନ୍ଧାନକୁ ଡିମ୍‌ଡ ଟୁ ବି ୟୁନିଭର୍ସିଟିର ମାନ୍ୟତା ପ୍ରଦାନ କରାଯିବା ପରେ ପ୍ରଫେସର ଦାଶ ବିଶ୍ୱବିଦ୍ୟାଳୟର ପ୍ରଥମ କୁଳପତି ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ । କିଛି ଦିନ ପାଇଁ ସେ ଏହି ଦାୟିତ୍ୱରେ କାର୍ଯ୍ୟ କରିବା ପରେ ଗବେଷଣାରେ ଅଧିକ ମନୋନିବେଶ କରିବା ନିମନ୍ତେ ନିଷ୍ପତି ନେଇଥିଲେ । ବିଭିନ୍ନ ଆନ୍ତର୍ଜାତିକ ଜର୍ଣ୍ଣାଲ୍ ଏବଂ ସମ୍ମିଳନୀରେ ତାଙ୍କ ଦ୍ୱାରା ପ୍ରସ୍ତୁତ ୫୨୦ ଟି ଗବେଷଣା ସନ୍ଦର୍ଭ ପ୍ରକାଶିତ ଓ ଆଲୋଚିତ ହୋଇଥିବା ବେଳେ ସେ ଇଞ୍ଜିନିୟରିଂ ଆଣ୍ଡ କମ୍ପ୍ୟୁଟର ସାଇନ୍‌ସ କ୍ଷେତ୍ରରେ ୭୫ ରୁ ଅଧିକ ପିଏଚ୍‌ଡି ଛାତ୍ରଛାତ୍ରୀଙ୍କ ନିମନ୍ତେ ମାର୍ଗଦର୍ଶକ ଭାବେ କାର୍ଯ୍ୟ କରିଛନ୍ତି ।
ନ୍ୟାସ୍‌ନାଲ୍ ଏକାଡେମୀ ଅଫ୍ ଇଞ୍ଜିନିୟରିଂର ଫେଲୋ ପ୍ରଫେସର ଦାଶ ଓଡ଼ିଶା ସରକାର ଏବଂ ଓଡ଼ିଶା ବିଜ୍ଞାନ ଏକାଡେମୀ ପକ୍ଷରୁ ୧୯୯୦ ମସିହାରେ ଇଞ୍ଜିନିୟରିଂ କ୍ଷେତ୍ରରେ ସାମନ୍ତ ଚନ୍ଦ୍ରଶେଖର ସମ୍ମାନରେ ସମ୍ମାନୀତ ହୋଇଥିଲେ । ସେହିପରି ଓଡ଼ିଶା ବିଜ୍ଞାନ ଏକାଡେମୀ ପକ୍ଷରୁ ୨୦୧୦ ମସିହାରେ ଗବେଷଣା କ୍ଷେତ୍ରରେ ଉତ୍କର୍ଷତା ନିମନ୍ତେ ସେ ବିଜୁ ପଟ୍ଟନାୟକ ସମ୍ମାନରେ ସମ୍ମାନୀତ ହୋଇଥିଲେ ।
ସୋଆର ପ୍ରତିଷ୍ଠାତା ସଭାପତି ତଥା ପ୍ରଫେସର ଦାଶଙ୍କର ଛାତ୍ର ପ୍ରଫେସର (ଡକ୍ଟର) ମନୋଜରଞ୍ଜନ ନାୟକ ତାଙ୍କ ପରଲୋକରେ ଗଭୀର ଶୋକ ପ୍ରକାଶ କରିବା ସହ ଗବେଷଣା ଏବଂ ଶିକ୍ଷା କ୍ଷେତ୍ର ନିମନ୍ତେ ଏହା ଏକ ଅପୂରଣୀୟ କ୍ଷତି ବୋଲି କହିଛନ୍ତି । ସୋଆର କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ନିଜର ଶୋକ ବ୍ୟକ୍ତ କରିବା ସହ ଗବେଷଣା କ୍ଷେତ୍ରରେ ତାଙ୍କର ଅବଦାନ ଅନେକ ଛାତ୍ରଛାତ୍ରୀ ଓ ଗବେଷକଙ୍କ ଉପରେ ଗଭୀର ପ୍ରଭାବ ପକାଇଛି ବୋଲି କହିଛନ୍ତି । ସୋଆ ବିଶ୍ୱବିଦ୍ୟାଳୟରେ ଏକ ଶୋକ ସଭା ଆୟୋଜିତ ହୋଇଥିବା ବେଳେ ସୋଆ କୁଳପତି ପ୍ରଫେସର ନନ୍ଦ ଏବଂ ସୋଆର ଆନ୍ତର୍ଜାତିକ ଉପଦେଷ୍ଟା ମଣ୍ଡଳୀର ଅଧ୍ୟକ୍ଷ ପ୍ରଫେସର ଦାମୋଦର ଆଚାର୍ଯ୍ୟ ପ୍ରଫେସର ଦାଶଙ୍କୁ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ। ଏହି ଶୋକ ସଭାରେ ଉପକୁଳପତି ତଥା ରେଜିଷ୍ଟ୍ରାର ପ୍ରଫେସର ବିଭୁତି ଭୂଷଣ ପ୍ରଧାନ, ଉପକୁଳପତି ପ୍ରଫେସର ପ୍ରଶାନ୍ତ କୁମାର ପାତ୍ର, ପ୍ରଫେସର ଅନୁପ କୁମାର ସାମନ୍ତରାୟ, କଂଟ୍ରୋଲର ଅଫ୍ ଏଗ୍‌ଜାମିନେସନ୍ ପ୍ରଫେସର ମଞ୍ଜୁଳା ଦାସ, ଜଏଂଟ ରେଜିଷ୍ଟ୍ରାର ଶ୍ରୀ ଭୀଷ୍ମ ଚରଣ ଦାସ, ଚିଫ୍ ଆଡମିନିଷ୍ଟ୍ରେଟିଭ ଅଫିସର ଶ୍ରୀ ପ୍ରମୋଦ କୁମାର ପଣ୍ଡା ଏବଂ ଆଇବିସିଏସ୍‌ର ଡିନ୍ ପ୍ରଫେସର ଅୟସକାନ୍ତ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ ।

Spread the love