ପୁରୀ: ଏଣିକି ଦର୍ଶନ ପାଇଁ ଦେବାକୁ ପଡିବ ୧୦ ଟଙ୍କା
ଭକ୍ତଙ୍କ ଉପରେ ଦର୍ଶନ ଟିକଟ୍ ବୋଝ
-ଟଙ୍କା ଦେଲେ ମିଳୁଛି ପବିତ୍ର ଓ ଧାର୍ମିକସ୍ଥଳୀ ଦର୍ଶନ
-ଗୁଣ୍ଡିଚା ମନ୍ଦିର ଖୋଲିଲେ ଦେବାକୁ ପଡ଼ିବ ୧୦ ଟଙ୍କା
ପୁରୀ : ଶ୍ରୀମନ୍ଦିର ପରିସରରେ ଏବଂ ମନ୍ଦିର ବାହାରେ ଏକାଧିକ ପବିତ୍ର ପୀଠ ବା ସ୍ଥାନ ରହିଛି । ଏଗୁଡ଼ିକ ମଧ୍ୟରେ ରୋଷଘର, କୋଇଲି ବୈକୁଣ୍ଠ, ନୀଳାଚଳ ଉପବନ, ନରେନ୍ଦ୍ର ପୁଷ୍କରିଣୀ ଅନ୍ୟତମ । ଏ ସବୁ ଶ୍ରୀମନ୍ଦିର ପ୍ରଶାସନ ଅଧୀନରେ ରହିଛି । ସେହିପରି ଶ୍ରୀକ୍ଷେତ୍ରର ବେଡ଼ି ହନୁମାନ, ଲକ୍ଷ୍ମୀଙ୍କ ବାପଘର ତଥା ଚକ୍ର ନୃସିଂହ ମନ୍ଦିର ଭଳି ଏକାଧିକ ଧାର୍ମିକସ୍ଥଳୀ ରହିଛି । ଯେଉଁଠିକୁ ମହାପ୍ରଭୁଙ୍କୁ ପ୍ରତିଦିନ ଦର୍ଶନ କରିବାକୁ ଆସୁଥିବା ଶ୍ରଦ୍ଧାଳୁଙ୍କ ମଧ୍ୟରୁ ଅଧିକାଂଶ ଏହିସବୁ ସ୍ଥାନକୁ ବୁଲି ଯାଆନ୍ତି । ଆସ୍ଥା ଓ ବିଶ୍ୱାସର ଏହି ପବିତ୍ର ତଥା ଧାର୍ମିକସ୍ଥଳୀକୁ ଯିବା ପାଇଁ ଭକ୍ତଙ୍କୁ ଟଙ୍କା ଗଣିବାକୁ ପଡୁଛି । ଏବେ ପୁଣି ଗୁଣ୍ଡିଚା ମନ୍ଦିର ଖୋଲିଲେ ସେଥିପାଇଁ ବି ଦର୍ଶନ ଦେୟ ୧୦ ଟଙ୍କା ରହିବ ବୋଲି ଘୋଷଣା କରାଯାଇଛି । ହେଲେ ଏହାକୁ ନାପସନ୍ଦ କରିଛନ୍ତି ଶ୍ରଦ୍ଧାଳୁ । ଶ୍ରୀମନ୍ଦିର ପାଇଁ ସରକାର ୫୦୦ କୋଟି ଟଙ୍କାର କର୍ପସ୍ ଫଣ୍ଡ ଏବଂ ଭକ୍ତଙ୍କୁ ମାଗଣାରେ ମହାପ୍ରସାଦ ବଣ୍ଟନ ଲାଗି ଚିନ୍ତା କରିଥିବାବେଳେ ଶ୍ରଦ୍ଧାଳୁଙ୍କ ଉପରେ ଦର୍ଶନ ଟିକଟ୍ ବୋଝ କାହିଁକି ଲଦି ଦିଆଯାଉଛି ତାହାକୁ ସମସ୍ତେ ନାପସନ୍ଦ କରୁଛନ୍ତି ।
ଶ୍ରୀମନ୍ଦିରକୁ ଆସୁଥିବା ଭକ୍ତମାନେ ମନ୍ଦିର ପରିସର (କୋଇଲି ବୈକୁଣ୍ଠ, ରୋଷଘର, ରୋହିଣୀକୁଣ୍ଡ, ନୀଳାଚଳ ଉପବନ ଇତ୍ୟାଦି) ବିଭିନ୍ନ ପବିତ୍ର ସ୍ଥାନ ବୁଲିଥା’ନ୍ତି । ସେହିପରି ଶ୍ରୀମନ୍ଦିର ପ୍ରଶାସନ ଅଧୀନରେ ମନ୍ଦିର ବାହାରେ ମଧ୍ୟ ଏକାଧିକ ପବିତ୍ର ପୀଠ (ଯେପରିକି ନରେନ୍ଦ୍ର ପୁଷ୍କରିଣୀ, ଶ୍ରୀଗୁଣ୍ଡିଚା ମନ୍ଦିର) ରହିଛି । ମହାପ୍ରଭୁଙ୍କ ଦର୍ଶନ ପରେ ଅଧିକାଂଶ ଶ୍ରଦ୍ଧାଳୁ ଏ ସବୁ ବୁଲି ଏହାର ମାହାତ୍ମ୍ୟ ଏବଂ ଇତିହାସ ସମ୍ପର୍କରେ ଅନେକ ତଥ୍ୟ ଜାଣିଥା’ନ୍ତି । ହେଲେ ଶ୍ରୀମନ୍ଦିର ପ୍ରଶାସନ ରୋଷଘର, ଲୁଣପତ୍ର, କୋଇଲି ବୈକୁଣ୍ଠ, ନରେନ୍ଦ୍ର ସଂକଳ୍ପ ଏବଂ ନୀଳାଚଳ ଉପବନକୁ ନିଲାମରେ ଦେଇଛି । ଫଳରେ ଏହିସବୁ ଜାଗା ବୁଲିବା ପାଇଁ ଚାହୁଁଥିବା ଭକ୍ତଙ୍କୁ ପ୍ରତ୍ୟେକ ସ୍ଥାନ ପାଇଁ ୧୦ ଟଙ୍କା ଲେଖାଏଁ ଦେବାକୁ ପଡୁଛି । କେବଳ ଏତିକି ନୁହେଁ, ଶ୍ରୀକ୍ଷେତ୍ରର ବେଡ଼ି ହନୁମାନ ମନ୍ଦିର, ଲକ୍ଷ୍ମୀଙ୍କ ବାପଘର ତଥା ଚକ୍ର ନୃସିଂହ ମନ୍ଦିର ଭଳି ଏମିତି କିଛି ଦେବସ୍ଥଳୀ ରହିଛି ଯେଉଁଠିକୁ ବୁଲିଗଲେ ଟଙ୍କା ଦେବାକୁ ପଡୁଛି । ଯଦିଓ ଏହି ଦେୟ ବଡ଼ ଧରଣର ନୁହେଁ କିନ୍ତୁ ଅନେକ ସମୟରେ ଏହାକୁ ନେଇ ଶ୍ରଦ୍ଧାଳୁ ଅସନ୍ତୋଷ ବ୍ୟକ୍ତ କରୁଛନ୍ତି । ଏବେ ଗୁଣ୍ଡିଚା ମନ୍ଦିରକୁ ନେଇ ଚର୍ଚ୍ଚା, ଆଲୋଚନା ଚାଲିଛି । ଦୀର୍ଘ ୬ ବର୍ଷ ଧରି ଭକ୍ତଙ୍କ ପାଇଁ ବନ୍ଦ ରହିଛି ମହାପ୍ରଭୁଙ୍କ ଜନ୍ମବେଦୀ । କୋଭିଡ୍ କଟକଣା ପରଠାରୁ ଶ୍ରଦ୍ଧାଳୁଙ୍କୁ ଗୁଣ୍ଡିଚା ମନ୍ଦିର ଭିତରକୁ ଛଡ଼ାଯାଉ ନ ଥିବାବେଳେ ଏହାକୁ ଖୋଲିବା ପାଇଁ ବିଭିନ୍ନ ସମୟରେ ଦାବି ହୋଇଆସୁଛି । ତେବେ ନିକଟରେ ଅନୁଷ୍ଠିତ ପରିଚାଳନା କମିଟି ବୈଠକରେ ଗୁଣ୍ଡିଚା ମନ୍ଦିର ଖୋଲିବା ଉପରେ ନିଷ୍ପତ୍ତି ନିଆଗଲା । ଡିସେମ୍ବର ୧ରୁ ଖୋଲାଯିବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଏବଂ ଜିଲ୍ଲାପାଳ ଗଣମାଧ୍ୟମ ସମ୍ମୁଖରେ ଘୋଷଣା କଲେ । ହେଲେ ଏହି ଘୋଷଣାର ଦିନକ ପରେ ପୁଣି ମନ୍ଦିର ଖୋଲିବାକୁ ସାମୟିକ ଭାବେ ସ୍ଥଗିତ ରଖାଗଲା ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କୁହାଗଲା । ଏଭଳି ନିଷ୍ପତ୍ତିକୁ ନେଇ ଶ୍ରଦ୍ଧାଳୁ ଅସନ୍ତୋଷ ବ୍ୟକ୍ତ କରିଥିବାବେଳେ ଏବେ ଗୁଣ୍ଡିଚା ମନ୍ଦିର ଦର୍ଶନ ଦେୟକୁ ମଧ୍ୟ ବିରୋଧ କରାଯାଉଛି । ଗୁଣ୍ଡିଚା ମନ୍ଦିର ଦର୍ଶନ ପାଇଁ ଦେୟ ୧୦ ଟଙ୍କା ରହିବ । କିନ୍ତୁ ୫ ବର୍ଷରୁ କମ୍, ୮୦ ବର୍ଷରୁ ଊର୍ଦ୍ଧ୍ୱ ଏବଂ ଦିବ୍ୟାଙ୍ଗ ଭକ୍ତଙ୍କ ପାଇଁ କୌଣସି ଟିକଟ୍ ପଡ଼ିବ ନାହିଁ ବୋଲି ମୁଖ୍ୟ ପ୍ରଶାସକ ଘୋଷଣା କରିଛନ୍ତି । ହେଲେ ଏହାକୁ ନାପସନ୍ଦ କରିଛନ୍ତି ବୁଦ୍ଧିଜୀବୀ ଓ ଶ୍ରଦ୍ଧାଳୁ । ଏହାକୁ ପ୍ରତ୍ୟାହାର ଦାବିରେ ଭଏସ୍ ଅଫ୍ କମନ୍ମ୍ୟାନ୍ର ମୁଖ୍ୟ ହେକ୍ଟର ମିଶ୍ର ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି । କୌଣସି ଦେବାଳୟରେ ଦର୍ଶନ ଶୁଳ୍କ ନେବାର ପ୍ରଥା ନ ଥିଲା । ଏହାକୁ ଗୁଣ୍ଡିଚା ମନ୍ଦିରରେ ଲାଗୁ କରିବା ମନ୍ଦିର ସଂସ୍କୃତିକୁ ବ୍ୟାପାରୀକରଣ କରିବାର ଗନ୍ଧ ବାରି ହୋଇପଡୁଛି ବୋଲି ଶ୍ରୀ ମିଶ୍ର ଅଭିଯୋଗ କରିଛନ୍ତି ।
ସୂଚନାଥାଉ କି, ଶ୍ରୀମନ୍ଦିର ଉତ୍ତର ପାଶ୍ୱର୍ରେ ରହିଛି କୋଇଲି ବୈକୁଣ୍ଠ । ଏଠାରେ ତୁଳସୀ ଏବଂ ବିଭିନ୍ନ ପ୍ରକାର ଫୁଲ ବଗିଚା ରହିଛି । ନବକଳେବର ସମୟରେ ଦାରୁଦିଅଁଙ୍କ ନୂଆ ମୂର୍ତ୍ତି ଏହା ପରିସରରେ ନିର୍ମାଣ କରାଯାଇଥାଏ । ନବକଳେବରରେ ପୁରାତନ ବିଗ୍ରହଙ୍କୁ କୋଇଲି ବୈକୁଣ୍ଠ ପରିସରରେ ପାତାଳି କରାଯାଇଥାଏ । ଏହା ହେଉଛି ସାକ୍ଷାତ୍ ବୈକୁଣ୍ଠପୁର । ଶ୍ରୀମନ୍ଦିରକୁ ଦର୍ଶନ ପାଇଁ ଆସୁଥିବା ଶ୍ରଦ୍ଧାଳୁମାନେ ଏହା ପରିସରକୁ ବୁଲିଯିବାକୁ ପ୍ରାଥମିକତା ଦେଇଥା’ନ୍ତି । ସେହିପରି ମନ୍ଦିର ପରିସରର ଅନ୍ୟ ପବିତ୍ରସ୍ଥଳୀ ହେଉଛି ନୀଳାଦ୍ରି ବିହାର ଉପବନ ଏବଂ ରୋଷଘର । ଭକ୍ତ ଏହାକୁ ମଧ୍ୟ ବୁଲି ଦେଖନ୍ତି । ସେହିପରି ମନ୍ଦିର ବାହାର ପବିତ୍ର ସ୍ଥଳ ହେଉଛି ନରେନ୍ଦ୍ର ପୁଷ୍କରିଣୀ । ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ମଦନମୋହନ, କୃଷ୍ଣ ବଳରାମ ଓ ପଞ୍ଚମହାଦେବ ପ୍ରତ୍ୟେକ ବର୍ଷ ଚନ୍ଦନ ଯାତ୍ରାରେ ଏଠାକୁ ଚାପ ଖେଳିବାକୁ ଆସନ୍ତି । ଏହି ପବିତ୍ର ଜଳାଶୟରେ ଜଗନ୍ନାଥଙ୍କ ଚନ୍ଦନ ଯାତ୍ରା ଅନୁଷ୍ଠିତ ହେଉଥିବାରୁ ଏହା ଚନ୍ଦନ ସରୋବର ନାମରେ ଖ୍ୟାତ । ତେଣୁ ପ୍ରତିଦିନ ଏଠାକୁ ଭକ୍ତ ଦର୍ଶନ ପାଇଁ ଆସୁଥିବାବେଳେ ସଂକଳ୍ପ କରିଥା’ନ୍ତି ।
