ରାଉରକେଲାରୁ ସାଇବର ଠକ ଗିରଫ; ୮୦୦ରୁ ଊର୍ଦ୍ଧ୍ୱ ଆକାଉଣ୍ଟ୍ ଖୋଲି ଠକିଥିଲେ
ରାଉରକେଲା : ବ୍ୟାଙ୍କ ଅଧିକାରୀଙ୍କ ସହ ମିଶି ରାଉରକେଲାରୁ ସାଇବର ଅପରାଧ କରୁଥିବା ୪ ଜଣିଆ ଅପରାଧୀ ସିଣ୍ଡିକେଟ୍କୁ ରାଉରକେଲା ପୁଲିସ ଠାବ କରିଛି । ଏହି ଘଟଣାରେ ୪ ଜଣଙ୍କୁ ରାଉରକେଲା ସାଇବର ଥାନା ପୁଲିସ ଗିରଫ କରିଥିବାବେଳେ ସେମାନଙ୍କ ମଧ୍ୟରୁ ୩ ଜଣଙ୍କ କିଛି ଘରୋଇ ବ୍ୟାଙ୍କ ସହ ସମ୍ପୃକ୍ତି ରହିଥିବା ସୂଚନା ମିଳିଛି । ବିଭିନ୍ନ ବ୍ୟାଙ୍କରେ ୧୧ ଶହ ଏକାଉଣ୍ଟ୍ ଖୋଲି ଅନଲାଇନ ଜରିଆରେ ଲକ୍ଷଲକ୍ଷ ଟଙ୍କା ଠକୁଥିବା ଗିରଫ ଏହି ୪ ଜଣ ସାଇବର ଠକଙ୍କ ମଧ୍ୟରୁ ତିନି ଜଣଦୁଇଟି ଘରୋଇ କୋଟାକ ମହିନ୍ଦ୍ରା ବ୍ୟାଙ୍କ ଏବଂ ଇଣ୍ଡସିଇଣ୍ଡ ବ୍ୟାଙ୍କର କର୍ମଚାରୀ ଥିବା ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି । ଗିରଫ ଅଭିଯୁକ୍ତମାନେ ହେଲେ ଅଜୟ କୁମାର ସା, ବ୍ୟାଙ୍କ କର୍ମଚାରୀ ହିମାଂଶୁ କୁମାର ସ୍ୱାଇଁ, ଶିବଶଙ୍କର ପଟ୍ଟନାୟକ ଓ ପ୍ରଭଞ୍ଜନ ନାୟକ । ଗିରଫ ସାଇବର ଠକମାନେ ଦେଶର ବିଭିନ୍ନ ସ୍ଥାନରେ ବ୍ୟାଙ୍କ ଆକାଉଣ୍ଟ୍ ଖୋଲିବା ପରେ ପାସ୍ବୁକ, ଏଟିଏମ୍କାର୍ଡ ଓ ମୋବାଇଲ ସିମ୍କାର୍ଡ ନିଜ ପାଖରେ ରଖି ସାଇବର ଠକେଇ କରୁଥିଲେ ବୋଲି ଜଣାପଡ଼ିଛି । ଗିରଫ ଅଭିଯୁକ୍ତଙ୍କ ନିକଟରୁ ୧୨ଟି ଏଟିଏମ୍ କାର୍ଡ, ବ୍ୟାଙ୍କ ପାସ୍ବୁକ , ୪ଟି ମୋବାଇଲ ଫୋନ ଓ ଏକ ହଜାରରୁ ଅଧିକ ବିଭିନ୍ନ ଡକ୍ୟୁମେଣ୍ଟ ଜବତ କରାଯାଇଛି । ବେକାର ଯୁବକ, ଗ୍ରାମାଞ୍ଚଳର ନୀରିହ ଲୋକ ବୃଦ୍ଧ ବୃଦ୍ଧାଙ୍କ ନାମରେ ବ୍ୟାଙ୍କ ଆକାଉଣ୍ଟ୍ ଖୋଲି ଠକେଇ କରୁଥିଲେ । ଗିରଫ ସାଇବର ଠକମାନେ ଓଡ଼ିଶା, ବିହାର, ଝାଡ଼ଖଣ୍ଡ, ରାୟପୁର, ଛତିଶଗଡ଼, କଲିକତା ସହିତ ଦେଶର ବିଭିନ୍ନ ସ୍ଥାନରେ ଠକେଇ ଘଟଣାରେ ସମ୍ପୃକ୍ତ ଥିବା ପୁଲିସ ତଦନ୍ତରୁ ଜଣାପଡିଛି । ଗିରଫ ଅଭିଯୁକ୍ତ ଦୁଇ ମାସରେ ୮୦୦ରୁ ଅଧିକ ବ୍ୟାଙ୍କ ଆକାଉଣ୍ଟ୍ ଖୋଲି ସାଇବର ଠକେଇ କରିଥିବା ପୁଲିସର ପ୍ରାଥମିକ ତଦନ୍ତରୁ ଜଣାପଡିଛି ।
