ଭୁଲ୍ ସିଗ୍‌ନାଲ ଯୋଗୁଁ ବିଳମ୍ୱିତ ହୋଇଥିଲା ୮୦୦ ବିମାନ

ନୂଆଦିଲ୍ଲୀ : ଶେଷରେ କେନ୍ଦ୍ର ସରକାର ସତ ସ୍ୱୀକାର କରିଛନ୍ତି । ଗତ ୭ ତାରିଖରେ ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦର (ଆଇଜିଆଇ)ର ଅଟୋମେଟିକ ମେସେଜ ସ୍ୱିଚିଂ ସିଷ୍ଟମ (ଏଏମଏସଏସ)ରେ ସାଇବର ଆକ୍ରମଣ ହୋଇଥିଲା ବୋଲି ମାନିଛନ୍ତି । ରାଜ୍ୟସଭାରେ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ କିଞ୍ଜରାପୁ ରାମମୋହନ ନାଇଡୁ ଏହା ସ୍ୱୀକାର କରିଛନ୍ତି । ସେ କହିଛନ୍ତି ଯେ \”ଆଇଜିଆଇର ରନୱେ ୧୦ରେ ବିମାନ ଜିପିଏସ ଆଧାରିତ ଅବତରଣ ପ୍ରକ୍ରିୟା ଆପଣାଉ ଥିବାବେଳେ ଜିପିଏସ ସ୍ପୁଫିଂ ହୋଇଥିଲା । ସାଇବର ଆକ୍ରମଣ ଯୋଗୁଁ ଭୁଲ୍ ସିଗ୍‌ନାଲ ମିଳିଥିଲା । ଏହା ପରେ ପାଇଲଟ ତୁରନ୍ତ ବ୍ୟାକ୍‌ଅପ ବ୍ୟବହାର କରିଥିଲେ । ତେବେ ଅନ୍ୟ ରନୱେ ଉପରେ ଏହି ସ୍ପୁଫିଂର କୌଣସି ପ୍ରଭାବ ପଡ଼ି ନ ଥିଲା । କାରଣ ସେଗୁଡ଼ିକରେ \”ଟ୍ରାଡିସନାଲ ଗ୍ରାଉଣ୍ଡ ବେସ୍‌ଡ ନେଭିଗେସନ ସିଷ୍ଟମ\’ ବ୍ୟବହାର କରାଯାଉଥିଲା\’ । ଏହି ଘଟଣା ଯୋଗୁଁ ଗତ ୭ ତାରିଖରେ ଦିଲ୍ଲୀ ବିମାନବନ୍ଦରରେ ବିମାନ ପରିଚାଳନା ୧୨ ଘଣ୍ଟାରୁ ଅଧିକ ସମୟ ପ୍ରଭାବିତ ହୋଇଥିଲା । ୮୦୦ରୁ ଅଧିକ ଘରୋଇ ଏବଂ ଅନ୍ତର୍ଜାତୀୟ ବିମାନ ବିଳମ୍ୱରେ ଉଡ଼ାଣ କରିଥିଲା । ୨୦ଟି ଉଡ଼ାଣକୁ ବାତିଲ କରିବାକୁ ପଡ଼ିଥିଲା । “ ସାଂସଦ ଏସ. ନିରଞ୍ଜନ ରେଡ୍ଡୀଙ୍କ ପ୍ରଶ୍ନର ଉତ୍ତରରେ ନାଇଡୁ ସଦନକୁ ସୂଚନା ଦେଇଛନ୍ତି ଯେ ସାରା ବିଶ୍ୱରେ ଲନସମୱେୟର-ମାଲୱେୟର ଆକ୍ରମଣର ବିପଦ ବୃଦ୍ଧି ପାଇଛି । ନିଜ ଆଇଟି ଏବଂ କ୍ରିଟିକାଲ ଇନ୍‌ଫ୍ରାଷ୍ଟ୍ରକ୍‌ଚରର ସୁରକ୍ଷା ପାଇଁ ଏୟାରପୋର୍ଟ ଅଥରିଟି ଅଫ ଇଣ୍ଡିଆ (ଏଏଆଇ) ଉନ୍ନତ ସାଇବର ସୁରକ୍ଷା ବ୍ୟବସ୍ଥା ଆପଣାଉଛନ୍ତି ।

Spread the love