ବାଂଲାଦେଶକୁ ପଠାଯାଇଥିବା ଗର୍ଭବତୀ ମହିଳାଙ୍କୁ ଭାରତ ଫେରାଇ ଆଣିବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ:  ସୁପ୍ରିମକୋର୍ଟ ବୁଧବାର କେନ୍ଦ୍ର ସରକାରଙ୍କୁ ଏକ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଦେଇଛନ୍ତି । ବାଂଲାଦେଶକୁ ପଠାଯାଇଥିବା ୯ ମାସର ଗର୍ଭବତୀ ମହିଳା ସୋନାଲି ଖାତୁନ୍ ଓ ତାଙ୍କ ୮ ବର୍ଷର ପିଲାକୁ ପୁଣି ଭାରତକୁ ଫେରାଇ ଆଣିବାକୁ ସୁପ୍ରିମକୋର୍ଟ କହିଛନ୍ତି । ବେଳେବେଳେ ମାନବିକତା ଆଗରେ ଆଇନକୁ ମଧ୍ୟ ନଇଁବାକୁ ହୁଏ ବୋଲି କୋର୍ଟ କହିଛନ୍ତି । ମୁଖ୍ୟ ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତ ଓ ଜଷ୍ଟିସ ଜୟମାଲ୍ୟା ବାଗଚିଙ୍କ ଖଣ୍ଡପୀଠ ଏକ ମାମଲାରୁ ଶୁଣାଣି କରିବା ବେଳେ ଏହି ନିର୍ଦ୍ଦେଶ ଦେଇଛନ୍ତି । ଶୁଣାଣି ବେଳେ କେନ୍ଦ୍ର ସରକାରଙ୍କ ତରଫରୁ ସିଲିସିଟର ଜେନେରାଲ ତୁଷାର ମେହେଟା କୋର୍ଟକୁ କହିଛନ୍ତି ଯେ, ସରକାର ସୋନାଲି ଓ ତାଙ୍କ ପୁଅଙ୍କୁ ଭାରତକୁ ଆସିବାକୁ ଦେବେ । ମାନବିକତାକୁ ଭିତ୍ତିକରି ଏହି ଅନୁମତି ଦିଆଯିବ । କିନ୍ତୁ ଏହା ସହିତ ନାଗରିକତା ସହ ଜଡିତ ସରକାରଙ୍କ ଆଭିମୁଖ୍ୟରେ କୌଣସି ପରିବର୍ତ୍ତନ ଆସିବ ନାହିଁ । ଉଲ୍ଲେଖଥାଉ କି, ସୋନାଲି ଓ ତାଙ୍କ ପରିବାରର ୫ ସଦସ୍ୟଙ୍କୁ ବାଂଲାଦେଶୀ ହେବା କାରଣରୁ ଗତ ଜୁନ୍‌ରେ ଦିଲ୍ଳୀରେ ଗିରଫ କରାଯାଇଥିଲା । ଏହାପରେ ଜୁନ୍ ୨୭ରେ ଏହି ପରିବାରକୁ ବାଂଲାଦେଶ ସୀମା ସେପଟକୁ ପଠାଇ ଦିଆଯାଇଥିଲା । ଏବେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ଡିସେମ୍ବର ୧୦ରେ କରିବେ । ଏଥିରେ ପରିବାରର ଅନ୍ୟ ସଦସ୍ୟମାନଙ୍କୁ ଫେରାଇ ଆଣିବା ନେଇ ଶୁଣାଣି ହେବ । ଯଦି ସୋନାଲିଙ୍କ ପିତା ଭାରତୀୟ ନାଗରିକ, ତେବେ ସେ ଓ ତାଙ୍କ ପିଲା ମଧ୍ୟ ଭାରତୀୟ ବୋଲି ଜଷ୍ଟିସ ବାଗଚି କହିଛନ୍ତି । ଏବେ ପରବର୍ତ୍ତୀ ଶୁଣାଣି ଉପରେ ସମସ୍ତଙ୍କ ନଜର ରହିଛି ।

Spread the love