ଫସଲ ଚରିଗଲେଣି କାଳିମୁଣ୍ଡି ପୋକ, ଚିନ୍ତାରେ ଚାଷୀ
କେନ୍ଦ୍ରାପଡା: କଳାବୁଦାରେ କାଳ ସାଜିଛନ୍ତି କାଳିମୁଣ୍ଡି ପୋକ। ଯୁଆଡେ ଦେଖିବେ ପୋକ ଆଉ ପୋକ । ପନିପରିବା ହେଉ ଅବା ବିରି,କୋଳଥ ଭଳି ଡାଲି ଜାତୀୟ ଫସଲ ଏବେ ସମ୍ପୂର୍ଣ୍ଣ ଚରିଗଲେଣି କାଳିମୁଣ୍ଡି ପୋକ। ଜମିରୁ କୋଳଥ, ବିରି ଫସଲ ସମ୍ପୂର୍ଣ ନଷ୍ଟ କରିବା ପରେ ଏବେ ଜନବସତି ମୁହାଁ କାଳିମୁଣ୍ଡି । ଭାତ ହାଣ୍ଡି, ଖାଇବା ଥାଳି, ଶୋଇବା ବିଛଣା ପାଖରୁ ରାସ୍ତା ଘାଟ ଯୁଆଡେ ଦେଖିବେ ସିଆଡେ ଖାଲି ସାଲୁବାଲୁ କାଳିମୁଣ୍ଡି ।
ଏହି ଭଳି ଦୃଶ୍ୟ ଏବେ ଦେଖିବା ପାଇଁ ମିଳିଛି କେନ୍ଦ୍ରାପଡା ଜିଲ୍ଲା ଗରଦପୁରୁ ବ୍ଲକ କଳାବୁଦା ପଞ୍ଚାୟତରେ । ଚାଷୀ ମାନେ ଧାର ଉଦ୍ଧାର କରି ରବିଫସଲ ଓ ଡାଲି ଜାତୀୟ କୋଳଥ ବିରି ଚାଷ କରିଥିଲେ । ପ୍ରଥମେ ପତ୍ର ପୋଡ଼ା ଓ ଯଉରା ରୋଗକୁ ଚାଷୀ କିଟନାଶକ ସ୍ପ୍ରେ କରି ଠିକ କଲା ବେଳକୁ ଏବେ ସମ୍ପୂର୍ଣ୍ଣ ଚରିଗଲେଣି କାଳିମୁଣ୍ଡି । କଳାବୁଦା ପଞ୍ଚାୟତର କଳାବୁଦା ଗାଁରେ ଚାଷ କରାଯାଇଥିବା ଶହଶହ ଏକର କୋଳଥ,ବିରି ଫସଲକୁ ଖାଇଯାଇଛନ୍ତି କାଳିମୁଣ୍ଡି ପୋକ । ସଂପୂର୍ଣ୍ଣ ନଷ୍ଟ କରିବା ପରେ ଏବେ ସାହି ବସ୍ତି ମୁହାଁ ପଙ୍ଗପାଳ ଭଳି ମାଡି ଆସିବା ରୁ ନାହିଁ ନ ଥିବା ଅସୁବିଧା ଭୋଗୁଛନ୍ତି ଅଞ୍ଚଳବାସି । ଚାଷ ଜମିର ନିକଟରେ ପାଖାପାଖି ଥିବା ଜନବସତିରେ ପ୍ରବେଶ କରୁଛନ୍ତି ଲକ୍ଷ ଲକ୍ଷ ସଂଖ୍ୟାରେ ଏହି କାଳିମୁଣ୍ଡି ପୋକ ।
କେତେ ବେଳେ କାହା ଖାଇବା ଥାଳିରୁ ବାହାରୁଛି ତ ପୁଣି ଶୋଇବା ବିଛଣାରୁ,ଘର,ଦ୍ବାର, ଦାଣ୍ଡ, ପିଣ୍ଢା,କାନ୍ଥ, ଦୁଆରେ ଯୁଆଡେ ଦେଖିବ ଖାଲି ପୋକ ଆଉ ପୋକ । ଫଳରେ ଏହି କାଳିମୁଣ୍ଡି ପୋକଙ୍କ ଦାଉରୁ ଭୟଭୀତ ହୋଇ ଏବେ ସ୍ଥାନୀୟ ଲୋକେ ଘର ଛାଡ଼ି ସ୍କୁଲ, କ୍ଲବ,ଛକ ବଜାରରେ ବୁଲୁଛନ୍ତି । ଗ୍ରାମବାସି ମାନେ ପ୍ରାୟ ୭ ଦିନ ହେବ ଏହି କାଳମୁଣ୍ଡି ପୋକ ମାନଙ୍କର ଆତଙ୍କରେ ଆତଙ୍କିତ ହୋଇପଡିଛନ୍ତି । ପରିସ୍ଥିତି ଏପରି ହୋଇଛି ରୋଷେଇ ବାସ ବନ୍ଦ କରି ହୋଟେଲରୁ ଖାଦ୍ୟ କିଣି ଖାଉଛନ୍ତି ଲୋକେ । ରାତିଦିନ ଘର କବାଟ ବନ୍ଦ କରି ପୋକ ମାରିବାରେ ବ୍ୟସ୍ଥ ରହୁଥିବା କହିଛନ୍ତି ଲୋକେ । ଯେତେ ପ୍ରକାର କୀଟନାଶକ ପକାଇଲେ ମଧ୍ୟ ମରୁନାହାନ୍ତି ଏହି ସାଂବାଳୁଆ ପ୍ରଜାତିର ପୋକ।
ଏନେଇ ଗ୍ରାମବାସୀ ଓ ସରପଞ୍ଚଙ୍କ ପ୍ରତିନିଧି ବିଡ଼ିଓ ତହସିଲଦାର ଏବଂ କୃଷୀ ଅଧିକାରୀଙ୍କୁ ଅନୁରୋଧ କରିଛନ୍ତି ଏହାର ସମାଧାନ ପାଇଁ । ଅନ୍ୟ ପକ୍ଷରେ ଲାଭବାନ ଆଶାରେ କରିଥିବା ବିରି ଫସଲ ସମ୍ପୂର୍ଣ୍ଣ ନଷ୍ଟ ହେବା ପରେ ମୁଣ୍ଡରେ ହାତ ଦେଇ ବସିଛନ୍ତି ଚାଷୀ । ବ୍ଲକ ପ୍ରଶାସନ ଓ କୃଷି ବିଭାଗ ଦେଇଥିବା କିଟନାଶକ ପାଉଡର ପକାଇଲେ ମଧ୍ୟ ମାନୁନାହାନ୍ତି କାଳମୁଣ୍ଡି । ଏ ନେଇ କୃଷି ବିଶେଷଜ୍ଞ କହିଛନ୍ତି ଜଳବାୟୁ ବାରମ୍ବାର ପରିବର୍ତନ ହେବା କାରଣରୁ ଏହି ଭଳି ପରିସ୍ଥିତି ଉପୁଜିଛି ଏହାର ସମାଧାନ କେବଳ କୀଟନାଶକ ଦ୍ଵାରା ହିଁ ହେଇପାରିବ ।
