ଏମିତି ବି ମୃତ୍ୟୁ ଆସେ!

କୁଆମରା : ଏକ ପିକ୍‌ଅପ୍ ଭ୍ୟାନ୍‌ରୁ ବୁଧବାର ସକାଳେ ଜଣେ ଚାଳକଙ୍କ ମୃତଦେହକୁ ଉଦ୍ଧାର କରିଛି କୁଆମରା ଫାଣ୍ଡି ପୁଲିସ । ମୃତକ ହେଉଛନ୍ତି ଠାକୁରମୁଣ୍ଡା ଥାନା ଅନ୍ତର୍ଗତ ସୁନିନ୍ଦା ଗ୍ରାମର ସନାତନ ପାରେଇ (୫୦) । ସୂଚନା ମୁତାବକ, ସନାତନ ମଙ୍ଗଳବାର ରାତିରେ ଓଡି ୦୧ ଏଟି ୮୭୮୮ ନମ୍ବର ବିଶିଷ୍ଟ ଏକ ପିକ୍‌ଅପ୍ ଭ୍ୟାନ୍‌ରେ ଠାକୁରମୁଣ୍ଡାରୁ ବେତନଟୀ ଅଞ୍ଚଳକୁ ପତରପାଲି ନେଇ ଆସିଥିଲେ । ସେଠାରେ କାର୍ଯ୍ୟ ସାରି ଘରକୁ ଫେରୁଥିବାବେଳେ ସମ୍ଭବତଃ ଅସୁସ୍ଥତା ଅନୁଭବ କରି ଖୁଣ୍ଟା ଥାନା ଅନ୍ତର୍ଗତ ପୁରୁଣା ବାରିପଦା ବଜାର ନିକଟରେ ଗାଡ଼ିକୁ ରଖି ଷ୍ଟିୟରିଂ ଧରି ଆଖି ବୁଜିଥିଲେ । ବୁଧବାର ସକାଳେ ଦୀର୍ଘ ସମୟ ଧରି ଗାଡ଼ିଟି ଅଟକି ରହିଥିବାରୁ ଭିତରେ ଥିବା ଚାଳକଙ୍କୁ ସ୍ଥାନୀୟ ଲୋକେ ଦେଖି ଡାକିଥିଲେ । ମାତ୍ର ନ ଶୁଣିବାରୁ ସନ୍ଦେହ ସୃଷ୍ଟି ହୋଇଥିଲା ଓ ପୁଲିସକୁ ଖବର ଦେଇଥିଲେ । କୁଆମରା ଫାଣ୍ଡି ଅଧିକାରୀ ରସାନନ୍ଦ ମହାନ୍ତି ପହଞ୍ଚି ଅଗ୍ନିଶମ ବିଭାଗ ସହାୟତାରେ କୁଆମରା ଡାକ୍ତରଖାନାକୁ ଆଣିଥିଲେ । ମାତ୍ର ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ । ବୁଧବାର ଉଦଳା ଡାକ୍ତରଖାନାରେ ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିବାବେଳେ ଏ ନେଇ ଖୁଣ୍ଟା ଥାନାରେ ୮୯/୨୫ରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି । ବ୍ୟବଚ୍ଛେଦ ରିପୋର୍ଟରୁ ହୃଦ୍‌ଘାତରେ ମୃତ୍ୟୁ ଘଟିଛି ବୋଲି ଫାଣ୍ଡି ଅଧିକାରୀ ଶ୍ରୀ ମହାନ୍ତି କହିଛନ୍ତି ।

Spread the love