ଗବେଷଣା ଓ ନବସୃଜନ କ୍ଷେତ୍ରରେ ଏନ୍‌ଆଇଟିର ଭୂମିକା ଗୁରୁତ୍ୱପୂର୍ଣ୍ଣ

ରାଉରକେଲା:  ଗବେଷଣା ଓ ନବସୃଜନ କ୍ଷେତ୍ରରେ ଏନ୍‌ଆଇଟି ରାଉରକେଲାର ଭୂମିକା ଅତୀବ ଗୁରୁତ୍ୱପୂର୍ଣ୍ଣ ବୋଲି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି । ଡିସେମ୍ୱର ୨୭ରେ ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି (ଏନଆଇଟି) ରାଉରକେଲାରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଏକ ଇନ୍‌ଡୋର ସ୍ପୋର୍ଟ୍ସ କମ୍ପେ୍ଲକ୍ସ ଏବଂ ୧୦୦୦ ଆସନ ବିଶିଷ୍ଟ ଏକ ଖୋଲା ଥିଏଟରର ଉଦ୍‌ଘାଟନ କରିବା ସହ ତିନୋଟି ପ୍ରମୁଖ ପ୍ରକଳ୍ପର ଶିଳାନ୍ୟାସ କରିବା ଅବସରରେ କହିଲେ ଏହି କ୍ରୀଡ଼ା କମ୍ପେ୍ଲକ୍ସ ଛାତ୍ରଛାତ୍ରୀମାନଙ୍କୁ କେବଳ କ୍ରୀଡାରେ ନୁହେଁ ବରଂ ସୃଜନଶୀଳ ଏବଂ ସାଂସ୍କୃତିକ କ୍ଷେତ୍ରରେ ମଧ୍ୟ ନୂତନ ଉଚ୍ଚତାରେ ପହଞ୍ଚିବାରେ ସାହାଯ୍ୟ କରିବ । ଏନଆଇଟିର ଅନୁସନ୍ଧାନମୂଳକ ଗବେଷଣା ସ୍ଥାୟୀ ବିକାଶ ଏବଂ ଜଳବାୟୁ ପରିବର୍ତ୍ତନ ଏବଂ ଶକ୍ତି ସଂରକ୍ଷଣ ଭଳି ଗୁରୁତ୍ୱପୂର୍ଣ୍ଣ ଚ୍ୟାଲେଞ୍ଜକୁ ମୁକାବିଲା କରୁଛି । ରାଉରକେଲା କେବଳ ଏକ ସହର ନୁହେଁ ବରଂ ଭାରତର ଶିଳ୍ପ ଏବଂ ଶିକ୍ଷାଗତ ଶକ୍ତିର ପ୍ରତୀକ ବୋଲି ସେ କହିଥିଲେ । ଏହି ଅବସରରେ ବିଧାନସଭା ଉପବାଚସ୍ପତି ଭବାନୀ ଶଙ୍କର ଭୋଇ, ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ, ରଘୁନାଥପାଲି ବିଧାୟକ ଦୁର୍ଗା ଚରଣ ତନ୍ତୀ ଏବଂ ଝାରସୁଗୁଡା ବିଧାୟକ ଟଙ୍କଧର ତ୍ରିପାଠି ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରାଉରକେଲା ଏନ୍‌ଆଇଟିର ଛାତ୍ର କାର୍ଯ୍ୟକଳାପ କେନ୍ଦ୍ର (ଏସଏସି) ଅଧୀନରେ ଥିବା ଇନ୍‌ଡୋର ସ୍ପୋର୍ଟ୍ସ କମ୍ପେ୍ଲକ୍ସକୁ ଉଦ୍‌ଘାଟନ କରିଥିଲେ । ୩୫ କୋଟି ଟଙ୍କା ବ୍ୟୟରେ ବିକଶିତ ଏହି ଅତ୍ୟାଧୁନିକ କମ୍ପେ୍ଲକ୍ସ କ୍ରୀଡ଼ା, ଫିଟନେସ୍ ଏବଂ ସାମଗ୍ରୀକ ଛାତ୍ର ବିକାଶକୁ ପ୍ରୋତ୍ସାହିତ କରିବା ପାଇଁ ଡିଜାଇନ୍ କରାଯାଇଥିବା ଜଣାପଡ଼ିଛି । ଏହି ସ୍ପୋର୍ଟ୍ସ କମ୍ପେ୍ଲକ୍ସରେ ବ୍ୟାଡମିଣ୍ଟନ, ଲନ୍ ଟେନିସ୍ ଏବଂ ଭଲିବଲ୍ କୋର୍ଟ ସହିତ ବହୁମୁଖୀ ହଲ୍‌, ଯୋଗ, ନୃତ୍ୟ, ସଙ୍ଗୀତ ଏବଂ ଡ୍ରାମା ହଲ୍‌, ଦୁଇଟି ଡବଲ-ହାଇଟ୍ ସ୍କ୍ୱାସ୍ କୋର୍ଟ, ବାସ୍କେଟବଲ୍ ଏବଂ ବ୍ୟାଡମିଣ୍ଟନ କୋର୍ଟ, ଫିଲ୍ମ ଏବଂ ଫଟୋଗ୍ରାଫି ରୁମ୍‌, ମନୋରଞ୍ଜନ ହଲ୍‌, ସ୍ନୁକର/ବିଲିଆର୍ଡ, ଟେବୁଲ୍ ଟେନିସ୍‌, କ୍ୟାରମ୍ ଏବଂ ଚେସ୍ ରୁମ୍‌, ଜିମ୍ନାଜିୟମ୍ ଏବଂ ଅନ୍ୟାନ୍ୟ ବହୁମୁଖୀ କୋଠରୀ ଏବଂ ଲକର ଉପଲବ୍ଧ ରହିଛି । ସେହିପରି ଉଦ୍‌ଘାଟିତ ହୋଇଥିବା ୬ କୋଟି ଟଙ୍କା ବ୍ୟୟରେ ନିର୍ମିତ ଏକ ୧୦୦୦ ଆସନ ବିଶିଷ୍ଟ ଖୋଲାବାୟୁ ଥିଏଟର ହେଉଛି ଇନ୍‌ଡୋର ସ୍ପୋର୍ଟ୍ସ କମ୍ପେ୍ଲକ୍ସର ଏକ ପ୍ରମୁଖ ଅଂଶ, ଯାହା କ୍ୟାମ୍ପସରେ କ୍ରୀଡ଼ା, ସାଂସ୍କୃତିକ ଏବଂ ମନୋରଞ୍ଜନ କାର୍ଯ୍ୟକଳାପ ଉପଯୋଗୀ ହେବ । ଏନଆଇଟି ରାଉରକେଲାର ନିର୍ଦ୍ଦେଶକ ପ୍ରଫେସର କେ. ଉମାମହେଶ୍ୱର ରାଓ କହିଛନ୍ତି, ଏନ୍‌ଆଇଟି ହେଉଛି ଏକମାତ୍ର ଏନଆଇଟି ଯାହା ସ୍ଥାୟୀ ବିକାଶ ଲକ୍ଷ୍ୟ ପାଇଁ ଶ୍ରେଷ୍ଠ ଦଶରେ ସ୍ଥାନିତ ହୋଇଛି, ଜାତୀୟସ୍ତରରେ ନବମ ସ୍ଥାନ ହାସଲ କରିଛି । ଉପବାଚସ୍ପତି ଭବାନୀ ଶଙ୍କର ଭୋଇ କହିଛନ୍ତି ଏନଆଇଟି ରାଉରକେଲା ହେଉଛି ନବସୃଜନ, ଇଞ୍ଜିନିୟରିଂ ଏବଂ ଉଦ୍ୟୋଗରେ ଉତ୍କର୍ଷତାର କେନ୍ଦ୍ର, ଯାହା ବୈଜ୍ଞାନିକ, ଟେକ୍ନୋକ୍ରାଟ୍ ଏବଂ ଭଲ ପ୍ରଶାସକ ସୃଷ୍ଟି କରି ଦେଶ ବିଦେଶରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି । ଏହି ଅବସରରେ ୯୧.୧୮ କୋଟି ଟଙ୍କା ବ୍ୟୟ ଅଟକଳରେ ନିର୍ମିତ ସିଭିଲ୍ ଇଞ୍ଜିନିୟରିଂ ବିଭାଗର ଏକ କୋଠା ଲୋକାର୍ପିତ ହୋଇଥିଲା। ଏହାସହ ୩୩.୫୧ କୋଟି ଟଙ୍କା ବ୍ୟୟରେ ନିର୍ମିତ ନୂତନ ଅତିଥି ଭବନ, ୫୫.୩୫ କୋଟି ଟଙ୍କା ବ୍ୟୟରେ ନିର୍ମିତ ୫୦୦ ଶଯ୍ୟା ବିଶିଷ୍ଟ ଛାତ୍ରୀ ନିବାସ ଏମସିଏଲ ହଲ୍ ଅଫ୍ ରେସିଡେନ୍ସକୁ କେନ୍ଦ୍ରମନ୍ତ୍ରୀ ଲୋକାର୍ପିତ କରିଥିଲେ ।

Spread the love