ସୀମାନ୍ତରେ ମାଓବାଦୀଙ୍କ ବର୍ବର କାଣ୍ଡ; ଆତ୍ମସମର୍ପଣକାରୀ ମାଓବାଦୀଙ୍କୁ ହତ୍ୟା

ମାଲକାନଗିରି : ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ବିଜାପୁର ଜିଲ୍ଲାରେ ମାଓବାଦୀଙ୍କ ପୁଣି ବର୍ବରକାଣ୍ଡ ଦେଖିବାକୁ ମିଳିଛି । ଜଣେ ଆତ୍ମସମର୍ପଣ କରିଥିବା ପୂର୍ବତନ ମାଓବାଦୀଙ୍କୁ ଏକ ଧାରୁଆ ଅସ୍ତ୍ରରେ ହାଣି ହତ୍ୟା କରିଛନ୍ତି ମାଓବାଦୀ । ଯୁବକଙ୍କ ମୁଣ୍ଡ, ମୁହଁ ଏବଂ ଆଖିରେ ଗଭୀର ଆଘାତ ଲାଗିଥିବା ବେଳେ ଅତ୍ୟଧିକ ରକ୍ତସ୍ରାବ ଯୋଗୁଁ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ଘଟଣାଟି ପାମେଡ ଥାନା ଅଞ୍ଚଳରେ ଘଟିଛି । ମୃତକ ଜଣଙ୍କ ହେଉଛନ୍ତି ପୁନେମ ବୁଦରା । ସେ ଗତ ୨୦୨୨ ମସିହାରେ ମାଓ ସଂଗଠନ ଛାଡି ସୁକୁମା ଜିଲ୍ଲା ପୁଲିସ ନିକଟରେ ଆତ୍ମସମର୍ପଣ କରିଥିଲେ। ତେବେ ଏହାପରେ ସେ ପାମେଡ ଥାନା ଅଞ୍ଚଳରେ ନିଜ ଘରେ ରହିଅସୁଥିଲେ। ନିଜ ଘରେ ଶୋଇଥିବା ବେଳେ କିଛି ସଶସ୍ତ୍ର ମାଓବାଦୀ ଆସି ତାଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରି ହତ୍ୟା କରିଥିଲେ। ପୁନେମ ପୁଲିସ ସୂଚନାଦାତା ଭାବେ କାର୍ଯ୍ୟ କରୁଥିବା ଅଭିଯୋଗ କରି ମାଓବାଦୀମାନେ ଏହି ହତ୍ୟା କାଣ୍ଡ କରିଥିବା ଜଣାପଡ଼ିଛି। ଏହାପରେ ଅଞ୍ଚଳରେ ଭୟର ବାତାବରଣ ଖେଳି ଯାଇଛି। ଏହାପରେ ଅଞ୍ଚଳରେ ପୁଲିସ ପକ୍ଷରୁ ତଲାସି ଅଭିଯାନ ଆରମ୍ଭ କରାଯାଇଛି । ପୁଲିସ ଘଟଣାର ତଦନ୍ତ ଜାରି ରଖିଛି । ପ୍ରକାଶ ଯେ, ଏହି ଘଟଣାକୁ ମିଶାଇ ଗତ ଏକ ସପ୍ତାହ ମଧ୍ୟରେ ଦୁଇଜଣଙ୍କୁ ମାଓବାଦୀମାନେ ହତ୍ୟା କରିଛନ୍ତି ।

Spread the love