ବ୍ରହ୍ମୋସର ନୂଆ ସଂସ୍କରଣ ବିକଶିତ କରୁଛି ଭାରତ

ନୂଆଦିଲ୍ଳୀ : ଅପରେସନ ସିନ୍ଦୂରରେ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରି ଅନ୍ତର୍ଜାତୀୟସ୍ତରରେ ଦୃଷ୍ଟି ଆକର୍ଷଣ କରିଥିବା ଭାରତୀୟ କ୍ଷେପଣାସ୍ତ୍ର ବ୍ରହ୍ମୋସ ଆହୁରି ବିକଶିତ ହେବାକୁ ଯାଉଛି । ସେତେବେଳେ ଏହା ପାକିସ୍ତାନର ୬ଟି ବାୟୁସେନା ଆଡ୍ଡା ଓ ୯ଟି ଆତଙ୍କବାଦୀ ଆଡ୍ଡକୁ ଧ୍ୱଂସ କରିଥିଲା । ଏହି ସୁପରସୋନିକ କ୍ଷେପଣାସ୍ତ୍ର ଆହୁରି ଶକ୍ତିଶାଳୀ ହେବାକୁ ଯାଉଛି । ଭାରତ ପ୍ରତିରକ୍ଷା ବିଭାଗ ବ୍ରହ୍ମୋସର ରେଞ୍ଜ, ଗତି, ଧ୍ୱଂସକରୀ କ୍ଷମତାକୁ ବଢ଼ାଇବା ପାଇଁ ପ୍ରସ୍ତୁତି କରୁଛି । ଏବେ ଏହାର ରେଞ୍ଜ ୩୦୦କିମି ପର୍ଯ୍ୟନ୍ତ ରହିଛି । କିନ୍ତୁ ବିକଶିତ ସଂସ୍କରଣର ରେଞ୍ଜ ୪୫୦ରୁ ୮୦୦ କିମି କରିବାକୁ କାର୍ଯ୍ୟ କରାଯାଉଛି । ନୂଆ ବ୍ରହ୍ମୋସ ଆସିବା ପରେ ଦିଲ୍ଲୀରୁ ଇସଲାମାବାଦ୍‌କୁ ସିଧା ଟାର୍ଗେଟ କରିହେବ । ଦିଲ୍ଳୀ ଓ ଇସଲାମାବାଦ ମଧ୍ୟରେ ବାୟୂରେ ଦୂରତା ୭୦୦ କିମି । ସେହିପରି ବ୍ରହ୍ମୋସର ହାଲକା ସଂସ୍କରଣ ମଧ୍ୟ ପ୍ରସ୍ତୁତ କରାଯିବ । ଏହି ଅଢେଇ ଟନ୍ ଓଜନ ବିଶିଷ୍ଟ ସ୍ୱତନ୍ତ୍ର ସଂସ୍କରଣ ସୁଖୋଇ ଏମ୍‌କେଆଇ-୩୦ ଲଢୁଆ ବିମାନର ଅଣ୍ଡରବେଲି ଅର୍ଥାତ ନିମ୍ନଭାଗରେ ଲଗାଯିବା ପାଇଁ ପ୍ରସ୍ତୁତ କରାଯାଇଛି । ପ୍ରୋଜେକ୍ଟ ଡିଜାଇନ ବୋର୍ଡର ଅନୁମୋଦନ ପରେ ଏହି ସଂସ୍କରଣ ପରବର୍ତ୍ତୀ ପର୍ଯ୍ୟାୟକୁ ସ୍ଥାନାନ୍ତର ହୋଇଛି । ଏବେ ଅଧିକ ରେଞ୍ଜର ବ୍ରହ୍ମୋସର ଗ୍ରାଉଣ୍ଡ ଟ୍ରାଏଲ ପାଇଁ ପ୍ରସ୍ତୁତି ଚାଲିଛି ବୋଲି କୁହାଯାଇଛି । ଆଗାମୀ ୩ ବର୍ଷ ମଧ୍ୟରେ ଏହାର ପ୍ରସ୍ତୁତିି ଶେଷ ହେବ ବୋଲି ଆଶା କରାଯାଉଛି । ଯଦି ସବୁକିଛି ଠିକ୍‌ଠାକ୍ ଚାଲେ ତାହେଲେ ୨୦୨୭ ସୁଦ୍ଧା ନୂଆ ବ୍ରହ୍ମୋସର ପରୀକ୍ଷା କରାଯିବ ବୋଲି ଆଶା କରାଯାଉଛି ।

Spread the love