ହ୍ୟୁମାନ୍ ସାଗର ମୃତ୍ୟୁ ମାମଲା; ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କଲେ ଅର୍ପିତା

କଟକ : ଲୋକପ୍ରିୟ କଣ୍ଠଶିଳ୍ପୀ ହ୍ୟୁମାନ୍ ସାଗରଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣାରେ ଏବେ ଆଇନଗତ ମୋଡ଼ ଆସିଛି । ହ୍ୟୁମାନ୍‌ଙ୍କ ମାଆ ଶେଫାଳି ସୁନାଙ୍କ ଏତଲା ଆଧାରରେ ଗିରଫଦାରୀ ଭୟ ଘାରିବାରୁ ଅଭିଯୁକ୍ତ ତାଲିକାରେ ଥିବା କଣ୍ଠଶିଳ୍ପୀ ଅର୍ପିତା ଚୌଧୁରୀ ଆଜି ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କରିଛନ୍ତି । ପାରିବାରିକ କଳହ ଓ ଅନ୍ୟାନ୍ୟ କାରଣକୁ ନେଇ ସୃଷ୍ଟି ହୋଇଥିବା ଏହି ବିବାଦ ଏବେ ନ୍ୟାୟାଳୟରେ ପହଞ୍ଚିବା ଘଟଣା ସଙ୍ଗୀତ ଜଗତରେ ଚର୍ଚ୍ଚାର ବିଷୟ ପାଲଟିଛି । ଗତ ନଭେମ୍ୱର ୧୭ ତାରିଖରେ ଭୁବନେଶ୍ୱର ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ହ୍ୟୁମାନ୍ ସାଗରଙ୍କ ମୃତ୍ୟୁ ଘଟିଥିଲା । ତେବେ ଏହାକୁ ଏକ ଯୋଜନାବଦ୍ଧ ହତ୍ୟାକାଣ୍ଡ ବା ଅବହେଳାର ପରିଣାମ ବୋଲି ସନ୍ଦେହ କରି ହ୍ୟୁମାନ୍‌ଙ୍କ ମାଆ ଶେଫାଳି ସୁନା ଗତ ୨୧ ତାରିଖରେ କଟକ ମର୍କତନଗର ଥାନାରେ ୯ ଜଣଙ୍କ ନାମରେ ଏତଲା ଦେଇଥିଲେ । ସେ ଅଭିଯୋଗ କରିଛନ୍ତି ଯେ ହ୍ୟୁମାନ୍‌ଙ୍କ ମୃତ୍ୟୁ ପଛରେ ବିଷକ୍ରିୟା, ଶାରିରୀକ ଆଘାତ, ଆର୍ଥିକ ନେଣଦେଣରେ ଅନିୟମିତତା ଏବଂ ପ୍ରମାଣ ନଷ୍ଟ ଭଳି ଗୁରୁତର ଦିଗ ରହିଛି । ଏହି ଅଭିଯୋଗ ତାଲିକାରେ ସଙ୍ଗୀତ ନିର୍ଦ୍ଦେଶକ ସୋମେଶ ଶତପଥୀଙ୍କ ସମେତ ହ୍ୟୁମାନ୍‌ଙ୍କ ପତ୍ନୀ ଶ୍ରେୟା ମିଶ୍ର, ଡାକ୍ତର ଶୁଭେନ୍ଦୁ ମିଶ୍ର, କଣ୍ଠଶିଳ୍ପୀ ଅର୍ପିତା ଚୌଧୁରୀ ଏବଂ ଅନ୍ୟ ସହଯୋଗୀମାନଙ୍କ ନାମ ରହିଛି । ଅନ୍ୟପଟେ, ହ୍ୟୁମାନ୍‌ଙ୍କ ମାଆ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ମଧ୍ୟ ଏହି ମାମଲାର ନିରପେକ୍ଷ ତଦନ୍ତ ପାଇଁ ନିବେଦନ କରିଥିଲେ । ସେ ଦାବି କରିଛନ୍ତି ଯେ ହ୍ୟୁମାନ୍‌ଙ୍କ ବ୍ୟାଙ୍କ ଆକାଉଣ୍ଟ, ସିସିଟିଭି ଫୁଟେଜ୍‌, ମୋବାଇଲ୍ ଚାଟ୍ ଏବଂ ଭିସେରା ରିପୋର୍ଟର ପୁଙ୍ଖାନୁପୁଙ୍ଖ ଯାଞ୍ଚ ହେଉ । ବିଶେଷ କରି ହ୍ୟୁମାନ୍‌ଙ୍କୁ ତାଙ୍କ ଛୋଟ ଝିଅଠାରୁ ଦୂରେଇ ରଖି ଯେଉଁ ମାନସିକ ନିର୍ଯାତନା ଦିଆଯାଉଥିଲା, ତାହା ତାଙ୍କୁ ମୃତ୍ୟୁ ମୁଖକୁ ଠେଲି ଦେଇଥାଇପାରେ ବୋଲି ଶେଫାଳି ତାଙ୍କ ଅଭିଯୋଗରେ ଦର୍ଶାଇଛନ୍ତି । ସୂଚନାଯୋଗ୍ୟ ଯେ ପୂର୍ବରୁ ଏହି ଘଟଣାରେ ସଙ୍ଗୀତ ନିର୍ଦ୍ଦେଶକ ସୋମେଶ ଶତପଥୀ ମଧ୍ୟ ହାଇକୋର୍ଟରେ ଆଗୁଆ ଜାମିନ ପାଇଁ ଆବେଦନ କରିଥିବା ଜଣାପଡ଼ିଛି ।

Spread the love