ନୂଆବର୍ଷ ଆରମ୍ଭ : ରାତି ୨ଟାରୁ ଖୋଲିଛି ଶ୍ରୀମନ୍ଦିର

ମହାପ୍ରଭୁ ଜଗନ୍ନାଥଙ୍କ ଦର୍ଶନରୁ ନୂଆବର୍ଷର ପ୍ରଥମ ଦିନ ଆରମ୍ଭ କରିବାକୁ ଶ୍ରୀକ୍ଷେତ୍ରକୁ ଛୁଟି ଆସିଛନ୍ତି ହଜାର ହଜାର ଭକ୍ତ । ନୂଆବର୍ଷ ନୀତିକାନ୍ତି ପାଇଁ ରାତି ୨ଟାରୁ ଶ୍ରୀମନ୍ଦିର ଦ୍ୱାର ଖୋଲିଛି । ନୀତିକାନ୍ତି ପରେ ଦର୍ଶନ ଆରମ୍ଭ ହୋଇଛି । ଜଗାଙ୍କୁ ଦର୍ଶନ କରି ପରିବାରର ମଙ୍ଗଳ କାମନା କରି ନୂଆବର୍ଷ ସୁଖ ସମୃଦ୍ଧିରେ କଟିବାକୁ କାମନା କରୁଛନ୍ତି ଶ୍ରଦ୍ଧାଳୁ । ଶ୍ରୀଜିଉଙ୍କ ଆଶିଷ ମିଳିଲେ ହସଖୁସିରେ ବର୍ଷ କଟିଯିବ ବୋଲି ବିଶ୍ୱାସ ରହିଛି । ସେଇଥି ପାଇଁ ଦୂରଦୂରାନ୍ତରୁ ଭକ୍ତ ଛୁଟି ଆସିଛନ୍ତି ବଡ଼ଦେଉଳକୁ । ଜଗାକୁ ଦେଖି, ମନ କଥା ଦୁଃଖ ଜଣାଇ ଆଶିଷ ନେଉଛନ୍ତି । ସେପଟେ ବେଳାଭୂମୀରେ ବୁଲି ମଉଜରେ ନୂଆ ବର୍ଷ କାଟିବାକୁ ପୁରୀକୁ ଛୁଟି ଆସିଛନ୍ତି ଦେଶବିଦେଶର ପର୍ଯ୍ୟଟକ । ବେଳାଭୂମିରେ ବୁଲି ସମୁଦ୍ରରେ ସ୍ନାନ କରି ୨୦୨୬ର ପ୍ରଥମ ଦିନକୁ ନିଆରା ଢଙ୍ଗରେ କାଟିବାକୁ ଜମିଛି ପର୍ଯ୍ୟଟକଙ୍କ ଭିଡ଼ ।

ଭାରତ ତଥା ଓଡ଼ିଶାରେ ଅନେକ ଲୋକ ନୂଆବର୍ଷକୁ ଏକ ଆଧ୍ୟାତ୍ମିକ ଚିନ୍ତାଧାରା ସହିତ ଯୋଡ଼ିବାକୁ ଚାହିଁଥାନ୍ତି। ନିଜର ଆଗ୍ରହ ଅନୁସାରେ ଧର୍ମାନୁଷ୍ଠାନରେ ସମୟ ବିତାଇ ଜଣେ ଅନ୍ୟକୁ ନୂଆବର୍ଷର ଅଭିନନ୍ଦନ ଜଣାଇଥାନ୍ତି। ବର୍ଷ ଆରମ୍ଭରୁ ନିଶ୍ଚିତ ଭାବେ ଭଲ କାମ କରିବାକୁ ଅନେକ ଚାହିଁଥାନ୍ତି। ଆଜି ସେହି ସମୟ ଆସିଛି। ଶ୍ରଦ୍ଧାଳୁମାନେ ମହାପ୍ରଭୁ ଜଗନ୍ନାଥଙ୍କ ଶରଣ ନେଉଛନ୍ତି। ରାଜଧାନୀ ଭୁବନେଶ୍ବର, କଟକ, ପୁରୀ, ବ୍ରହ୍ମପୁର, ରାଉରକେଲା ଏବଂ ସମ୍ବଲପୁର ସହରରେ ବାଣ ଓ ଆତାସବାଜି ପ୍ରଦର୍ଶନ ହୋଇଛି। ଶାନ୍ତି ଶୃଙ୍ଖଳା ପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି।

Spread the love