କଂସ ବଧ ସହ ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରା ମହୋତ୍ସବ ଉଦ୍ଯାପିତ
ବରଗଡ଼: ଦୀର୍ଘ ଏଗାର ଦିନ ଧନୁଯାତ୍ରାର ଶନିବାର ଅନ୍ତିମ ଦିବସ ଥିଲା । ମହାରାଜ କଂସ ଉଦ୍ବିଗ୍ନ । ଆଶା ଆଉ ଭିତରେ ଆଶଙ୍କା ସମୟ ବିତିଛି । ବଡ ବଡ ଯୋଦ୍ଧା ବୀର ମାନଙ୍କୁ ହତ୍ୟାକରିଥିବା ସେଇ ଦୁଇ ବାଳକ ଆଉ ଅଳ୍ପ ସମୟପରେ ରାଜମହଲରେ ପହଞ୍ଚି ଯିବେ । ହାତ ପାହାନ୍ତାରେ ପାଇ ସେମାନଙ୍କୁ ସେ ନିଶ୍ଚୟ ହତ୍ୟା କରିବେ । ଧନୁଯାତ୍ରା ଦେଖାଇବା ଛଳରେ କପଟ କରି ଡାକିଛନ୍ତି ଯେତେବେଳେ ଲକ୍ଷ୍ୟ ପୂରଣ ଉଦ୍ଦେଶ୍ୟରେ ସେ ସମସ୍ତଙ୍କୁ ସତର୍କ କରାଇ ଦେଇଛନ୍ତି । ସବୁଠି କଡା ପ୍ରହରା । ପ୍ରସ୍ତୁତ ଅଛନ୍ତି ଅଷ୍ଟମଲ୍ଲଙ୍କ ଭଳି ଯୋଦ୍ଧା ଓ କୁବଳୟା ହସ୍ତୀ । ଏଥର ନିସ୍ତାର ନାହିଁ ସେ ଗୋପାଳ ବେନି ଭାଇଙ୍କର । କୁଆଡେ ଯିବେ ସେମାନେ । ମୃତ୍ୟୁ ତ ସୁନିଶ୍ଚିତ । କେତେବେଳେ ଏ ସବୁ ଚିନ୍ତା କରି ମହାରାଜ କଂସ ପ୍ରସନ୍ନ ହୋଇଯାଆନ୍ତି ତ ପୁଣି କେତେବେଳେ ଆତଙ୍କ ଓ ଭୟରେ ଥରି ଉଠନ୍ତି । ତଥାପି ଅଟ୍ଟହାସ୍ୟ କରି ସବୁପ୍ରକାର ଭୟକୁ ସେ ମନରୁ ଦୂରେଇ ଦିଅନ୍ତି । ଅଷ୍ଟମଲ୍ଲ, କୁବଳୟା ହସ୍ତୀ ଯଦି ବି ପରାଜିତ ହୁଅନ୍ତି ସେ ନିଜେ ତ ଅଛନ୍ତି । ବୀରାଧି ବୀର ପ୍ରବଳ ପ୍ରତାପୀ କଂସାସୁର ସିଏ । ଯାହାଙ୍କ ନାଆଁ ଶୁଣିଲେ ପ୍ରକମ୍ପିତ ହୁଏ ବସୁଧା, ଦେବତାଙ୍କ ଆସନ ହୁଏ ଥରହର ହୁଏ ତାଙ୍କୁ କ’ଣ ଏଇ ସାମାନ୍ୟ ଦୁଇ ଶିଶୁ ବଳିଯିବେ । ସେ ନିଶ୍ଚୟ ଏ ଦୁଇ ଶିଶୁଙ୍କୁ ହତ୍ୟା କରିବେ । ଦୈବୀବାଣୀକୁ ଭୁଲ ପ୍ରମାଣିତ କରି ସେ ନିଷ୍କଣ୍ଟକ ଜୀବନ ଜିଇଁବେ । ସେ ହେବେ ଅମର, ଅଜର ଓ ସମଗ୍ର ପୃଥିବୀର ମାଲିକ । ଏଇଭଳି ଭାବନା ରାଜ୍ୟରେ ରାଜମହଲ ଭିତରେ ହଜିଯାଇ ଥିବାବେଳେ ମଥୁରା କଟକ ଭ୍ରମଣ ସାରି ଧନୁଯାତ୍ରା ଦର୍ଶନ ସକାଶେ ଆସି ପହଞ୍ôଚ ଯାଆନ୍ତି ବେନିଭାଇ କୃଷ୍ଣ ବଳରାମ । କି ଅପୂର୍ବ କାନ୍ତି । ଅପରୂପ ରୂପ ଲାବଣ୍ୟ । ଉଜ୍ଜ୍ୱଳ ମୁଖ ମଣ୍ଡଳ । ବେଶଭୂଷାରେ ସେ ଯେମିତି ସାରା ଜଗତକୁ ମୋହି ନେଉଛନ୍ତି । ତାଙ୍କର ଆସିବା ଦେଖି ଧାଇଁ ଆସିଲା କୁବଳୟା ହସ୍ତୀ । ଶତସିଂହର ବଳ ନେଇ ବେନି ଭାଇଙ୍କ ସହ ଯୁଦ୍ଧ କରିବା ସମୟରେ ସେମାନଙ୍କ ହାତରେ ନିହତ ହେଲା । ତାପରେ ଅଷ୍ଟମଲ୍ଲଙ୍କ ସହିତ ଯୁଦ୍ଧ ହୋଇଛି । ନିମିଷକ ମଧ୍ୟରେ ଧରାଶାୟୀ ହୁଅନ୍ତି ଅଷ୍ଟମଲ୍ଲ । ତା’ ପରେ ଧନୁଭଙ୍ଗ ଓ ମଞ୍ଚରେ ଚାଲେ ଘମାଘୋଟ ଲଢ଼େଇ । କୃଷ୍ଣ, ବଳରାମଙ୍କ ସହ ମହାରାଜ କଂସ । ସାମାନ୍ୟ ଦୁଗ୍ଧ ପୋଷ୍ୟ ଶିଶୁ ବୋଲି ସେ ଯାହାକୁ ମନେ କରୁଥିଲେ ଏବେ ସେଇ ମାନଙ୍କ ହାତରେ ହିଁ ତାଙ୍କର ମୃତ୍ୟୁ । ଦଇବ ଲିଖନ କେ କରିବ ଆନ । ଯାହାଙ୍କୁ ମାରିବା ପାଇଁ ଏତେ ଆୟୋଜନ ଏତେ କୂଟକପଟ, ହେଲେ ସବୁକିଛି ଓଲଟ ପାଲଟ ହୋଇଗଲା । ମାରିବାକୁ ଯାଉ ଯାଉ ନିଜେ ସେ ମରିଗଲେ । ଚାରିଆଡେ ଖେଳିଗଲା ଆନନ୍ଦର ଲହରୀ । ଉତ୍ସବର ବାଣ ଶବ୍ଦରେ କମ୍ପି ଉଠିଲା ମଥୁରାନଗରୀ । ମଥୁରା ସହ ସ୍ୱର୍ଗ, ମର୍ତ୍ତ୍ୟ, ପାତାଳ କଂସଙ୍କ ଦୌରାତ୍ମ୍ୟରୁ ମୁକ୍ତ ହେଲା । କଂସ ମହାରାଜଙ୍କ ମୃତ୍ୟୁ ପରେ ହଜାର ହଜାର ନରନାରୀଙ୍କ କଣ୍ଠରୁ ନିସୃତ ହେଲା – “କଂସ ରାଜାର ବଂଶ ବୁଡୁ, କଂସ ମଲେ ଖାଏମା ଲଡୁ ।” କଂସାସୁରଙ୍କ ମୃତ୍ୟୁରେ ଅସ୍ତି ଓ ପ୍ରାପ୍ତିଙ୍କ କାନ୍ଦଣା ଚାଲିଥିବା ସମୟରେ ଉପସ୍ଥିତ ନଗରବାସୀଙ୍କ ମଧ୍ୟରେ ଲଡୁ ବଣ୍ଟାଯାଇଛି । କୃଷ୍ଣ ଓ ବଳରାମ, ଉଗ୍ରସେନଙ୍କ ରାଜ୍ୟାଭିଷେକ କରି ମଥୁରାରେ ଶାନ୍ତି ପ୍ରତିଷ୍ଠା କରନ୍ତି, ମୁକ୍ତ କରନ୍ତି ଦେବକୀ ବସୁଦେବଙ୍କୁ ଓ ତା’ ସହିତ ଦୀର୍ଘ ୧୧ ଦିନର ଲୋକ ନାଟକର ପରିସମାପ୍ତି ଘଟେ । ସତ୍ୟ, ଧର୍ମ ଓ ନ୍ୟାୟ ପ୍ରତିଷ୍ଠା ପାଇଁ ଭଗବାନ ଯେ ଯୁଗେ ଯୁଗେ ଜନ୍ମ ନେଇ ଧରାରୁ ପାପଭାର ମୁକ୍ତ କରନ୍ତି ଏଇ ବାର୍ତ୍ତା ଦେଇ ଉଦ୍ଯାପିତ ହୁଏ ବରଗଡ଼ ବିଶ୍ୱ ପ୍ରସିଦ୍ଧ ବିରାଟ ଧନୁଯାତ୍ରା ମହୋତ୍ସବ । ମାତ୍ର କଂସତ୍ୱ ଅମର । ଏହାର କିନ୍ତୁ ଅନ୍ତ ନାହିଁ । ଭଲ ସହିତ ମନ୍ଦ ପରି କୃଷ୍ଣତ୍ୱ ସହିତ କଂସତ୍ୱ ମଧ୍ୟ ରହିବ । ସତ୍ୟ, ମିଥ୍ୟା, ଭଲ, ମନ୍ଦ ଏପରି ପରସ୍ପର ବିରୋଧୀ ତନ୍ତ୍ର ନ ଥିଲେ ସାର ଅସାରର ଭେଦ ଜାଣିହୁଏ ନାହିଁ । କଂସ ଚରିତ ବିନା କୃଷ୍ଣଙ୍କର ମହିମା ବର୍ଣ୍ଣନା କରିବା ଅସମ୍ଭବ ।
